Odiapua.com

ଭଦ୍ରକରେ ଠେଲା ବ୍ୟବସାୟୀଙ୍କ ଦୌରାତ୍ମ୍ୟ ଅଣାୟତ, ପ୍ରଶାସନ ଚୁପ୍‌, ଗରାଖକୁ ନିସ୍ତୁକ ମାରିଲେ, ଗୁରୁତର ଅବସ୍ଥାରେ କଟକ ରେଫର

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଠେଲା ବ୍ୟବସାୟୀଙ୍କ ଦୌରାତ୍ମ୍ୟ ଏଭଳି ଚରମ ସୀମାରେ ପହଞ୍ôଚଛି ଯେ ଜଣେ ଗରାଖକୁ ବିନା କାରଣରେ ମାଡମାରି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ନିନ୍ଦନୀୟ ଘଟଣା ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି କରିଛି । ଏହି ଠେଲା ବ୍ୟବସାୟୀଙ୍କ ପଛରେ ରାଜନୈତିକ ପୃଷ୍ଠଭୂମି ଓ ପୁଲିସ୍ ପ୍ରଶାସନର ଅହେତୁକ ଅନୁକମ୍ପାକୁ ସାଧାରଣ ଲୋକେ ଦାୟୀ କରିଛନ୍ତି । ଭଦ୍ରକ ସହରକୁ ସ୍ମାର୍ଟସିଟ୍‌ରେ ପରିଣତ କରିବା ନେଇ ବିଧାୟକଙ୍କ ଉଦ୍ୟମ ଏହି ଠେଲା ବ୍ୟବସାୟୀଙ୍କୁ ଦିଆଯାଉଥିବା ଅନୁକମ୍ପା ଯୋଗୁଁ ଫସର ଫାଟିଛି । ଗତ କିଛିଦିନ ତଳେ ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ସହରକୁ ଟ୍ରାଫିକ୍‌ମୁକ୍ତ ଓ ସ୍ୱଚ୍ଛ କରିବା ନେଇ ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ସ୍ଥାନାନ୍ତର କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ରାଜନୈତିକ ଚାପ ଏଭଳି ଏକ ସ୍ୱଚ୍ଛ ବ୍ୟବସ୍ଥାରେ ଅଂକୁଶ ଲଗାଇଥିଲା । ତେବେ ଗତକାଲିର ଘଟଣାରେ ପରିସ୍ଥିତି ଏଭଳି ଅଣାୟତ ହୋଇଥିଲା ଯେ ଜିଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତି ଯୋଗୁଁ ସହର ଉଭୟ ସଂପ୍ରଦାୟ ମଧ୍ୟରେ ପୁଣି ଏକ ଆସନ୍ନ ଦଙ୍ଗାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଏରେଇଁ ଅଂଚଳର କିଛି ଯୁବକ ଏକ ଅଟୋ ନେଇ ମାର୍କେଟିଂ ପାଇଁ ଆସିଥିଲେ । ସହରରେ ବୁଲି ବୁଲି କିଣାକିଣି କରିଥିଲେ । ଅପର୍ତ୍ତିବିନ୍ଧା ଛକ ନିକଟରେ ୨୦ ରୁ ଅଧିକ ଠେଲା ବେପାରୀ ରାସ୍ତା ଉପରେ ଛିଡାହୋଇ ବେପାର କରୁଥିଲେ ।

ପରିବା କିଣିବା ନିମନ୍ତେ ଏହି ଛକରେ ନିଜ ଅଟୋକୁ ରାସ୍ତା ପାଶ୍ୱର୍ରେ ପାର୍କିଂ କରି ୩ ଜଣ ଯୁବକ ବିଭିନ୍ନ ଠେଲା ବେପାରୀ ଠୁ ଦରଦାମ୍ ବୁଝୁଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଟ୍ରଲି ବ୍ୟବସାୟୀ ସେହି ପରିବା ଦାମ୍ ଅନ୍ୟମାନଙ୍କ ଠାରୁ ଟିକେ କମ୍ କହିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନ୍ୟ ୩/୪ ଜଣ ଠେଲା ବେପାରୀଙ୍କ ସହ ତାଙ୍କ ସହଯୋଗୀ ୭/୮ ଜଣ ସଂପୃକ୍ତ ଗରାଖଙ୍କୁ କାହିଁକି ଏତେ ବୁଲି ବୁଲି ବୁଝୁଛ ବୋଲି କହି ନିସ୍ତୁକ ମାଡ ମାରିଥିଲେ । ଫଳରେ ଗରାଖ ସୁରେଶ ସେଠୀ ନାମକ ଜଣେ ଯୁବକ ଆହତ ହୋଇଥିଲେ । ଏ ଘଟଣା ପରେ ଲୋକମାନେ ଭିଡ ଜମାଇବା ସହ ଠେଲା ବେପାରୀମାନେ ଯେଉଁଭଳି ଦୌରାତ୍ମ୍ୟ କରୁଛନ୍ତି; ସେଥିନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେଠାରେ ପରିସ୍ଥିତି ଅଣାୟତ ହୋଇଥିଲା । ସହରାଞ୍ଚଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ଉତ୍ତ୍ୟକ୍ତ ଲୋକେ କିଛି ଠେଲା ଗାଡିକୁ ଓଲଟାଇ ଦେଇଥିଲେ । ଫଳରେ ଅପର୍ତ୍ତିବିନ୍ଧା ଛକରେ ପୁଲିସ୍ ମୁତୟନ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଅମୃତ ସହର ଭଦ୍ରକ ମୁଖ୍ୟ ବଜାରର ରାସ୍ତା ଏବେ ଠେଲା ବ୍ୟବସାୟୀ ଓ ଉଠା ଦୋକାନୀଙ୍କ କବଜ୍‌ାରେ । ଏମାନଙ୍କ ଉପରେ ପୌର ପ୍ରଶାସନ କିମ୍ବା ଜିଲା ପୁଲିସ୍ ପ୍ରଶାସନର କୌଣସି ଲଗାମ ରହୁନି । କାରଣ ଏହି ବର୍ଗର ବ୍ୟବସାୟୀଙ୍କ ପାଇଁ ସହରର ମୁଖ୍ୟ କଚେରୀ ବଜାର ରାସ୍ତାରେ ନାହିଁ ନଥିବା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରୁନି ପ୍ରଶାସନ । କିଛି ମାସ ପୂର୍ବେ ପୌର ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାରୁ ସମସ୍ତ ଠେଲା ବ୍ୟବସାୟୀ ପୌର କାର୍ଯ୍ୟାଳୟ ପରିସରରେ ଟ୍ରଲି ରଖି ପ୍ରତିବାଦ କରିଥିଲେ ।

ଉଭୟ ପୌର ପ୍ରଶାସନ ଓ ଠେଲା ବ୍ୟବସାୟୀଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟରେ ଯେଉଁ ନିଷ୍କର୍ଷ ବାହାରିଥିଲା, ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେଲାନାହିଁ । ଉକ୍ତ ନିଷ୍ପତ୍ତିକୁ ଠେଲା ବ୍ୟବସାୟୀ ପରବର୍ତ୍ତୀ ସମୟରେ ମାନିଲେ ନାହିଁ । ଅପରପକ୍ଷେ ପୌର ପ୍ରଶାସନ ମଧ୍ୟ ଏ ସମସ୍ତ ଠେଲା ବ୍ୟବସାୟୀଙ୍କ ବିରୋଧରେ ଅଧିକ କିଛି କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରିଲା ନାହିଁ । ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଠେଲା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ବେଶ୍ ହଟହଟାର ସମ୍ମୁଖୀନ ହୋଇଥିଲେ । ଯଦି ଭଦ୍ରକର ଜଜ୍ କୋର୍ଟକୁ ସହରର ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରୁଛି, ତେବେ ଠେଲା ବ୍ୟବସାୟୀମାନଙ୍କୁ ସେମାନଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ କାହିଁକି ବୁଝାଇବାରେ ବିଫଳ ହେଉଛି ଓ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୁଣ୍ଠାବୋଧ କରୁଛି ପୌର ପ୍ରଶାସନ । ଏହାବ୍ୟତୀତ ବାରମ୍ବାର ଚେତାବନୀ ସତ୍ୱେ ସେମାନେ କାହା ସାହାସରେ ସହରର ମୁଖ୍ୟ ବଜାରରେ ନିୟମିତ ଭାବେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି, ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ୫ ବର୍ଷ ପୂର୍ବେ ଭଦ୍ରକ ସହର କେନ୍ଦ୍ରୀୟ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା । କିନ୍ତୁ ଅମୃତ ଯୋଜନା ସଜ୍ଞା ଆଜିପର୍ଯ୍ୟନ୍ତ ବୁଝିପାରୁନାହାଁନ୍ତି ସହରବାସୀ । ସହରକୁ ସୌନ୍ଦର୍ଯ୍ୟକରଣ କରିବା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସମଗ୍ର ପୌରାଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନର କାନ୍ଥବାଡକୁ ବିଭିନ୍ନ କଳାକୃତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଚିତ୍ରିତ କରାଯାଉଛି । କିନ୍ତୁ ଭେଣ୍ଡିଂଜୋନ୍ ପରି ଏକ ଜରୁରୀ ଆବଶ୍ୟକତା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ସହର ମଧ୍ୟରେ ଜବରଦଖଲ ସମସ୍ୟା ବଢିବାରେ ଲାଗିଛି । ତେଣୁ ସ୍ୱାଭାବିକ ଭାବରେ ସହରର ଟ୍ରାଫିକ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଫେଲ୍ ମାରିଛି । ଭେଣ୍ଡିଂଜୋନ୍ ନଥିବାରୁ କିଛି ନାମମାତ୍ର ବ୍ୟବସାୟୀ ଠେଲାଗାଡି ଓ ଟ୍ରଲି ରିକ୍ସା ଧରି ସେମାନଙ୍କ ବ୍ୟବସାୟ ପାଇଁ ମୁଖ୍ୟ ରାସ୍ତାକୁ ମାଡି ବସିଛନ୍ତି । ତେଣୁ ଏହି ଠେଲା ଓ ଟ୍ରଲିର ଭିଡ ମଧ୍ୟରେ ହଜିହଜି ଯାଇଛି ସହରର ସୌନ୍ଦର୍ଯ୍ୟ ଓ ସୃଷ୍ଟି ହୋଇଛି ଟ୍ରାଫିକ୍ ସମସ୍ୟା । ଆଉ ରାଜନୈତିକ ଅଥବା ଅନ୍ୟ କୌଣସି କାରଣରୁ ଏ ସମସ୍ତ ଠେଲା ବ୍ୟବସାୟୀଙ୍କ ଉପରେ ପୌର ଓ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପରୋକ୍ଷରେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏହାର କେବେ ଅନ୍ତ, ତାହାକୁ ଅନାଇ ବସିଛନ୍ତି ସହରବାସୀ ।