Odiapua.com

ଭଦ୍ରକରେ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ବୈଠକ ଅନୁଷ୍ଠିତ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ବୈଠକ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ଦ୍ୱିଜବର ରାଉତ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲ୍ଲାଯୋଜନା ବୋର୍ଡ଼ର ସଦସ୍ୟ ସଦସ୍ୟା, ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ଚାନ୍ଦବାଲି ଡ. ରାୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ସଂପର୍କରେ ସମୀକ୍ଷା କରିଥିଲେ । ସରକାରଙ୍କ ପକ୍ଷରୁ ବହୁ ଲୋକାଭିମୁଖି ଯୋଜନାର କାର୍ଯ୍ୟକାରିତା ତଥା ତା’ର ସୁଫଳ କିପରି ଲୋକମାନେ ପାଇପାରିବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅସଂପୂର୍ଣ୍ଣ ଯୋଜନା ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କହିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାସ ଭଦ୍ରକ ଜିଲ୍ଲାର ୨୦୨୦-୨୧ ଆର୍ଥିକ ବର୍ଷର ବାର୍ଷିକ ଯୋଜନାର ଖସଡ଼ା ଉପସ୍ଥାପନ କରି ପ୍ରୋଜେକ୍ଟର ମାଧ୍ୟମରେ ଗୃହକୁ ଅବଗତ କରାଇଥିଲେ ।

ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ୨୦୨୦ -୨୧ ଆର୍ଥିକ ବର୍ଷ ବାର୍ଷିକ ଯୋଜନାରେ ୧୩୯୬କୋଟି ୯୦ଲକ୍ଷ ୮୫ହଜାର ଟଙ୍କାର ପ୍ରସ୍ତାବ ଅନୁମୋଦନ କରାଯାଇଥିଲା । ଏହି ଯୋଜନାରେ କୃଷି ଓ ଏହା ସହିତ ଅନୁବନ୍ଧିତ ବିଭାଗ ପାଇଁ ୭୧କୋଟି ୨୦ଲକ୍ଷ ୧୦ହଜାର ଟଙ୍କା, ପଞ୍ଚାୟତିରାଜ ବିଭାଗ ପାଇଁ ୧୨୪ କୋଟି ୧୩ ଲକ୍ଷ ୪୬ହଜାର, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ବାବଦକୁ ୯୭ କୋଟି ୪୩ଲକ୍ଷ ୫୪ହଜାର, ଶକ୍ତି ବିଭାଗ ନିମନ୍ତେ ୧୩ଲକ୍ଷ ୨୨ ହଜାର, ଶିଳ୍ପ ପାଇଁ ୧କୋଟି ୭ଲକ୍ଷ ୩୯ ହଜାର, ପରିବହନ ସେବା ନିମନ୍ତେ ୧୩୨ କୋଟି ୩୭ଲକ୍ଷ ୩୦ ହଜାର, ବିଜ୍ଞାନ କାରିଗରୀ ଓ ପରିବେଶ ପାଇଁ ୧ କୋଟି ୩୬ଲକ୍ଷ ୮୮ହଜାର, ସାଧାରଣ ଆର୍ଥିକ ସେବା ନିମନ୍ତେ ୧୪କୋଟି ୦୨ ଲକ୍ଷ, ସାମାଜିକ ସେବା ନିମନ୍ତେ ୯୫୫ କୋଟି ୧୬ ଲକ୍ଷ ୯୬ ହଜାର ଟଙ୍କାର ଏକ ବାର୍ଷିକ ବ୍ୟୟ ଅଟକଳର ବଜେଟ ସରକାରଙ୍କ ଠାରେ ଉପସ୍ଥାପନ କରାଯାଇଛି । ଶେଷରେ ଜିଲ୍ଲା ଯୋଜନା ବିଭାଗର ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଜ୍ଝେଲ । ବୈଠକର ପୂର୍ବରୁ ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ରାୟ ମହିଳା ସ୍ୱୟଂ ସହାୟିକା ଗେଜାଷ୍ଠୀମାନଙ୍କ ଦ୍ୱାରା ଆୟୋଜିତ ଆଦର୍ଶ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ ।