ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଆଜି ପୂର୍ବାହ୍ନ ୧୧.୦୦ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ସଭାଗୃହରେ “ବିପର୍ଯ୍ୟୟ ପ୍ରସ୍ତୁତି ୨୦୨୬” ଉପରେ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ୧୯.୦୬.୨୦୨୬ ରେ ଜିଲ୍ଲାର ସମସ୍ତ ବ୍ଲକରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯିବ । ଏହି ଅଭ୍ୟାସ ମାଧ୍ୟମରେ ପୂର୍ବ ସତର୍କବାବାଣି , ସ୍ଥାନାନ୍ତରଣ ,ଉଦ୍ଧାର କାର୍ଯ୍ୟ ,ଚିକିତ୍ସା ସେବା ,ଆଶ୍ରୟସ୍ଥଳ ପରିଚାଳନା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ କ୍ଷମତାର ପରୀକ୍ଷା କରାଯିବ ,ଯାହାଦ୍ୱାରା ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରାଯିବ। ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଡେପୁଟି କଲେକ୍ଟର ଏସ ଏଲ ପ୍ରସାଦ ସେଠୀ , ନୋଡାଲ ଅଧିକାରୀ ମେଘନାଥ ବେହେରା, ଡାକ୍ତର ସଂଗୀତା ବଳ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଲାଇନ ଡିପାର୍ଟମେଂଟର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ବନ୍ୟା, ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ବିଭାଗର ଭୂମିକା, ସମନ୍ୱୟ ଓ ପ୍ରତିକ୍ରିୟା ଯୋଜନା ସମ୍ପର୍କରେ ପାୱାର ପଏଂଟ ମାଧ୍ୟମରେ ବିସ୍ତୃତ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗକୁ ଆଗୁଆ ପ୍ରସ୍ତୁତି ଓ ତୁରନ୍ତ ପ୍ରତିକ୍ରିୟା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଏସଡିଏମ୍ ର ସହଯୋଗରେ ଆୟୋଜିତ ଏହି ଟିଟିଇଏକ୍ସ ର ମୁଖ୍ୟ ଉଦ୍ଦେଶ୍ୟ ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ସମନ୍ୱୟ ଦକ୍ଷତାକୁ ପରଖିବା।