Odiapua.com

ଭଦ୍ରକରେ ଜଗତ୍‌ଜନନୀଙ୍କୁ ଶାନ୍ତି-ଶୃଙ୍ଖଳା ସହ ବିଦାୟ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟସ୍ଥାନ ଭଳି ଭଦ୍ରକ ସହରରେ ଦୁର୍ଗାପୂଜା ଚଳିତ ବର୍ଷ ବେଶ ଯାକଜମକ ସହକାରେ ସପ୍ତମୀ ପୂଜାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଭସାଣିରେ ଶେଷ ହୋଇଛି। ତେବେ ଭଦ୍ରକାଳୀ ପୀଠର ମା’ ଭଦ୍ରକାଳୀଙ୍କର ଏହି ଦୁର୍ଗାପୂଜା ଅବସରରେ ଷୋଡ଼ଶ ଉପଚାରରେ ପୂଜା ହୋଇଆସୁଛି। ଭଦ୍ରକ ଜିଲାରେ ଚଳିତବର୍ଷ ସମୁଦାୟ ୧୫୨ ଟି ସାର୍ବଜନୀନ ଦୁର୍ଗାମେଢ଼ ପୂଜା ପାଇ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ଭସାଣି ଉତ୍ସବ ଚାଲୁ ରହିଛି। ଏହି ଭସାଣି ଉତ୍ସବରେ ମେଢ ମଧ୍ୟରେ ମା’ ବଙ୍କବାସୁଳୀ, ଗାନ୍ଧିପଡ଼ିଆ, ସାଳନ୍ଦୀ-ବାଇପାସ, ଜାନୁଗଞ୍ଜ, ତୈଳିକ ବୈଶ୍ୟ ମହାସଂଘ, ଚରମ୍ପା ବଜାର, ଓସଆରଟିସି ଗ୍ୟାରେଜ, ରେଳବାଇ କମିଟି, ସନ୍ଥିଆ, ନିଳକଣ୍ଠପୁର, ଗବସାହି, ଅପର୍ତ୍ତିବିନ୍ଧା, ବାଉଦପୁର, ସଙ୍ଗତ, ବିଶାଣି ଖରିଦା, ଚନ୍ଦନ ବଜାର, ଚରମ୍ପା ସ୍କୁଲ ରୋଡ଼, ଚୁନ୍‌ଟି ପୂଜା କମିଟି, ଲାହାପଟି, ବାଙ୍କାବଜାର, ପ୍ରାଚୀନଗର ଭଳି ମେଢଗୁଡିକୁ ମଧ୍ୟରେ ସହର ପରିକ୍ରମା କରାଯାଇ ସନ୍ଥିଆ ଘାଟ, ଚରମ୍ପାସ୍ଥିତ ଏଲ୍‌ଏନ୍‌ଣ୍ଟି ପୋଖରୀ, ଚରମ୍ପା କେନାଲ ବନ୍ଧ, ବାଇପାସ୍ ନିକଟ ଛପୁଲିଆ ଭଳି ସ୍ଥାନମାନଙ୍କରେ ବିସର୍ଜିତ କରାଯାଇଛି। ଅନୁରୂପ ଜାନୁଗଞ୍ଜ ଦୁର୍ଗାପୂଜା କମିଟି ପକ୍ଷରୁ ବାଗୁରାଇ ସାଳନ୍ଦୀ ନଦୀଘାଟରେ ରାବଣି ପୋଡି ଉତ୍ସବ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଏହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଶାନ୍ତି-ଶୃଙ୍ଖଳା ରକ୍ଷାଲାଗି ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।