Odiapua.com

ଭଦ୍ରକରେ ଗାନ୍ଧୀ ଓ ଭଗତ ସିଂହ ଶୀର୍ଷକ ବ୍ୟାଖ୍ୟାନ, ଭଗତ ସିଂହଙ୍କ ଫାଶୀ ପାଇଁ ଗାନ୍ଧୀଙ୍କୁ ଦାୟୀ କରୁଥିବା ଲୋକେ ବ୍ରିଟିଶ ସମର୍ଥକ – ସୁଜାତା

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାଲା ଲଜପତ ରାୟ ଅହିଂସକ ମାର୍ଗରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ଚଳାଇଥିବା ବେଳେ ଭଗତ ସିଂ କିନ୍ତୁ ହିଂସାର ମାର୍ଗକୁ ଆପଣାଇଥିଲେ । ଉଭୟଙ୍କ ଭିତରେ ତୀବ୍ର ମତଭେଦ ଥିବା ସତ୍ତ୍ୱେ ପରସ୍ପର ପରସ୍ପରକୁ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ । ସେଇଥିପାଇଁ ଇଂରେଜଙ୍କ ଲାଠିରେ ପ୍ରଥମେ ଆହତ ଏବଂ ପରେ ମୃତ୍ୟୁବରଣ କରିଥିବା ଲାଲା ଲାଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସର୍ଦ୍ଦାର ଭଗତ ସିଂ ପଣ କରି ଇଂରେଜ ଅଫିସରଙ୍କୁ ଗୁଳି ଚଳାଇଥିଲେ । ବିଭିନ୍ନ ମାର୍ଗରେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ଥିବା ବିପ୍ଲବୀମାନଙ୍କ ମଧ୍ୟରେ ଯେଉଁପରି ସଦ୍‌ଭାବ ରହିଥିଲା, ତାହା ଏହି ଘଟଣାରୁ ବୁଝାପଡ଼େ । ନେତାଜୀ ସୁବାଷଙ୍କ ମତରେ ମହାତ୍ମା ଗାନ୍ଧୀ ଭଗତ ସିଂ ଓ ତାଙ୍କ ବନ୍ଧୁମାନଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ଇଂରେଜ ସରକାର ଭାରତରେ ଗାନ୍ଧୀଙ୍କ ଛବିକୁ ମଳିନ କରିବା ପାଇଁ ତରବରିଆ ଭାବେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା । ବ୍ରିଟିଶ ସରକାରର ଏହି ଭାଗ କର ଓ ଭୋଗ କର ନୀତିକୁ ବୁଝିପାରି ନେତାଜୀ ସୁବାଷ କଂଗ୍ରେସ ଛାଡିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିବା ସତ୍ତ୍ୱେ ତତ୍‌କ୍ଷଣାତ୍ ସେ କଂଗ୍ରେସ ଛାଡି ନଥିଲେ । ଶହୀଦ ଭଗତ ସିଂ ଆଦିଙ୍କ ଫାଶୀର ମାତ୍ର ଚାରି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା କରାଚୀ କଂଗ୍ରେସରେ ଭଗତ ସିଂଙ୍କ ପିତା ଓ ରାଜଗୁରୁଙ୍କ ମା’ ପହଞ୍ଚିଥିଲେ । ଏପରିକି ଏହି କଂଗ୍ରେସ ଅଧିବେଶନରେ ଭଗତ ସିଂହଙ୍କ ପିତା ଭାଷଣ ଦେଇ କହିଥିଲେ ଯେ, ଯଦି ଆପଣମାନେ ଭଗତ୍ ସିଂହ ପ୍ରତି ସମ୍ମାନ ଜଣାଇବାକୁ ଚାହାନ୍ତି, ସେମାନେ ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାନ୍ତୁ ।

ଭଗତ ସିଂହ ଓ ମହାତ୍ମାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା । ଉଭୟ ଥିଲେ ଦେଶ ଭକ୍ତ ଓ ନିଜ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧ । ଉଭୟ ଦେଶ ମାତୃକା ପାଇଁ ନିଜ ନିଜର ପ୍ରାଣବଳୀ ଦେଇଥିଲେ । ବ୍ରିଟିଶ ସରକାର ଷଡ଼ଯନ୍ତ୍ର କରି ଭଗତ ସିଂହଙ୍କୁ ଫାଶୀ ଦେଇଥିବା ବେଳେ ଆଜି ଯେଉଁମାନେ ଗାନ୍ଧିଜୀଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି, ସେମାନେ ପରୋକ୍ଷରେ ବ୍ରିଟିଶ ସରକାରକୁ ସମର୍ଥନ ଜଣାଉଛନ୍ତି ବୋଲି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖିକା ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ଡ. ସୁଜାତା ଚୌଧୁରୀ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଗାନ୍ଧୀ ଓ ଭଗତ ସିଂହ ଶୀର୍ଷକ ବ୍ୟାଖ୍ୟାନରେ କହିଥିଲେ । ପ୍ରତିଷ୍ଠାନର ସଭାପତି ଇଂ. ଅଖିଳ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉପସଭାନେତ୍ରୀ ଡ. ଝରଣା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ସମ୍ପାଦକ ଅଧ୍ୟାପକ ନାସିର ବକ୍ସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ପ୍ରଫେସର ବିଜୟ କୁମାର ଜେନା, ଅରୁଣ କୁମାର ପଣ୍ଡା, ସୋଫିଆ ଶେଖ, ବୈଲୋଚନ ବେହୁରିଆ, ପ୍ରମୁଖ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ନୂତନ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଅଧିବକ୍ତା ପବନ ଶର୍ମା ନୂତନ ସଦସ୍ୟଙ୍କୁ ଶପଥପାଠ କରାଇଥିଲେ । ଲକ୍ଷ୍ମୀକାନ୍ତ ବାରିକ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଷ୍ଠାନର ସମ୍ପାଦକ ଆଡଭୋକେଟ ତୁଷାର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ ଅଜୟ କୁମାର ନାୟକ ମୁଖ୍ୟ ଅତିଥିଙ୍କୁ ତ୍ୟାଗଭୂମି ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ଗାନ୍ଧୀ ଓଡ଼ିଶା ବାଳାଶ୍ରମର ପିଲାମାନେ ଗାନ୍ଧୀ ସଙ୍ଗୀତ ଗାନ କରିଥିଲେ ଓ ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡ଼ା ବିଶ୍ୱଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ ।