Odiapua.com

ଭଦ୍ରକରେ ଗରିମାମୟ ପରିବେଶରେ ପାଳିତ ହେଲା ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ ଏକ ଗରିମାମୟ କାର୍ଯ୍ୟକ୍ରମ ୨୯ ଜୁନ ୨୦୨୬ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ ଭଦ୍ରକ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଉନ୍ନତ ଶାସନ ବ୍ୟବସ୍ଥା, ପ୍ରମାଣଭିତିକ ନୀତି ପ୍ରଣୟନ ଏବଂ ସାମାଜିକ–ଆର୍ôଥକ ବିକାଶରେ ପରିସଂଖ୍ୟାନର ଗୁରୁତ୍ୱକୁ ଉଜାଗର କରିବା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଭଦ୍ରକ ରବିନାରାୟଣ ସାହୁ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଉପ-ନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ପ୍ରହଲ୍ଲାଦ ରଣା, ସହକାରୀ ନିର୍ଦ୍ଦେଶକ (ପରିସଂଖ୍ୟାନ) ସୌମ୍ୟରଞ୍ଜନ ନାୟକ, ଆର୍ôଥକ ବିଶେଷଜ୍ଞ (ଯୋଜନା) ଡ଼ଃ ଭଗବାନ ବାରିକ, ଉଦ୍ୟାନ କୃଷି ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ, କ୍ଷେତ୍ରସ୍ତରୀୟ ପରିସଂଖ୍ୟାନ କର୍ମଚାରୀ, ଯୋଜନା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷର ଜାତୀୟ ପରିସଂଖ୍ୟାନ ଦିବସର ବିଷୟବସ୍ତୁ “ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ ଉପରେ ବିଶେଷ ଆଲୋଚନା ହୋଇଥିଲା। ବକ୍ତାମାନେ ପ୍ରଶାସନିକ ତଥ୍ୟର ସଠିକ୍ ବ୍ୟବହାର ମାଧ୍ୟମରେ ଗୁଣାତ୍ମକ, ବିଶ୍ୱସନୀୟ ଏବଂ ସମୟୋପଯୋଗୀ ପରିସଂଖ୍ୟାନ ପ୍ରସ୍ତୁତିର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଏହା ସହିତ ସୁଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗଠନ, ଆଧୁନିକ ତଥ୍ୟ ପରିଚାଳନା ଏବଂ ନୀତି ନିର୍ଦ୍ଧାରଣରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଭାରତର ବିଶିଷ୍ଟ ପରିସଂଖ୍ୟାନବିତ୍‌, ଦୂରଦର୍ଶୀ ଅର୍ଥନୀତିବିଦ୍ ଏବଂ ଆଧୁନିକ ଭାରତୀୟ ପରିସଂଖ୍ୟାନ ବ୍ୟବସ୍ଥାର ରୂପକାର ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଳନୋବିସଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ସର୍ବେକ୍ଷଣ ପ୍ରଣାଳୀ, ପରିସଂଖ୍ୟାନ ବିଜ୍ଞାନ ଏବଂ ଜାତୀୟ ଯୋଜନା ପ୍ରଣୟନ କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ଭାରତର ବିକାଶ ଯାତ୍ରାକୁ ଦୃଢ଼ ଭିତି ପ୍ରଦାନ କରିଥିବା ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ସଠିକ୍‌, ନିର୍ଭରଯୋଗ୍ୟ ଏବଂ ସମୟୋପଯୋଗୀ ତଥ୍ୟ ହେଉଛି ସୁଶାସନ, ସ୍ୱଚ୍ଛ ପ୍ରଶାସନ ଓ ଜନକଲ୍ୟାଣମୂଳକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନର ମୂଳ ଆଧାର। ତେଣୁ ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଓ ପରିଚାଳନାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗକୁ ପ୍ରାଧାନ୍ୟ ଦେବା ସମୟର ଆହ୍ୱାନ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ ୨୮ ଜୁନ ୨୦୨୬ ତାରିଖରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହା ମାଧ୍ୟମରେ ଯୁବପିଢ଼ୀଙ୍କ ମଧ୍ୟରେ ପରିସଂଖ୍ୟାନ ବିଷୟ ପ୍ରତି ଆଗ୍ରହ, ସଚେତନତା ଓ ଜ୍ଞାନବୃଦ୍ଧିକୁ ପ୍ରୋତ୍ସାହିତ କରିବାର ପ୍ରୟାସ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ପର୍ବରେ ସଭାପତି, ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି, ସମସ୍ତ ଅଧିକାରୀ, କର୍ମଚାରୀ, ଅଂଶଗ୍ରହଣକାରୀ ଏବଂ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଥିଲା। ଏହି ଉତ୍ସବ ମାଧ୍ୟମରେ ଜିଲ୍ଲା ପ୍ରଶାସନ, ଭଦ୍ରକ ପକ୍ଷରୁ ଏକ ସୁଦୃଢ଼, ଆଧୁନିକ ଓ ବିଶ୍ୱସନୀୟ ପରିସଂଖ୍ୟାନ ବ୍ୟବସ୍ଥା ଗଠନ ସହ ଉନ୍ନୟନମୂଳକ ଯୋଜନାଗୁଡ଼ିକରେ ଗୁଣାତ୍ମକ ତଥ୍ୟର ଉପଯୋଗକୁ ଅଧିକ ସୁଦୃଢ଼ କରିବାର ସଂକଳ୍ପକୁ ପୁନର୍ବ୍ୟକ୍ତ କରାଯାଇଥିଲା।