Odiapua.com

ଭଦ୍ରକରେ ଗଣେଶ ପୂଜା ଓ ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ,ଶାନ୍ତି-ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୪ ସେପ୍େଟମ୍ବରରେ ଭଦ୍ରକ ସହରରେ ହେବାକୁ ଥିବା ‘ଗଣେଶ ପୂଜା ଓ ଭସାଣି ଉତ୍ସବ-୨୦୨୬’କୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ନେଇ ଆଜି ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଭଦ୍ରକ ଆରକ୍ଷୀ ଅଧିକାରୀ, ଡିଆଇବିର ଅତିରିକ୍ତ ଏସ୍‌ପିଙ୍କ ସମେତ ପୁଲିସ ଓ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଗଣେଶ ପୂଜା କମିଟିର କର୍ମକର୍ତା ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ଗଣେଶ ପୂଜା ଓ ଭସାଣି ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ନିୟନ୍ତ୍ରଣ, ଭସାଣି ମାର୍ଗର ସୁବ୍ୟବସ୍ଥା, ଘାଟରେ ଆଲୋକ ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଏବଂ ଅଗ୍ନିଶମ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଭସାଣି ସମୟରେ ଭିଡ଼ ନିୟନ୍ତ୍ରଣ ଓ ଯାତାୟାତକୁ ସୁବ୍ୟବସ୍ଥିତ କରିବା ସହ ଶ୍ରଦ୍ଧାଳୁ ଓ ପୂଜା କମିଟିର ସଦସ୍ୟମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂଜା କମିଟିଗୁଡ଼ିକ ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ଆବଶ୍ୟକ ଅନୁମତି ନେବା ସହ ନିର୍ଦ୍ଧାରିତ ନିୟମ ମାନିବାକୁ କୁହାଯାଇଥିଲା। ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଗଣେଶ ପ୍ରତିମା ବିସର୍ଜନ ସମୟରେ ଜଳ ପ୍ରଦୂଷଣ ରୋକିବା ଏବଂ ପରିବେଶ ସୁରକ୍ଷା ନେଇ ବୈଠକରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂଜାରେ ବ୍ୟବହୃତ ଫୁଲ, ଫଳ, ପତ୍ର, ପ୍ରସାଦ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀକୁ ସିଧାସଳଖ ନଦୀ, କେନାଲ, ନାଳ କିମ୍ବା ଅନ୍ୟାନ୍ୟ ଜଳାଶୟରେ ନ ପକାଇବା ପାଇଁ ଲୋକଙ୍କୁ ସଚେତନ କରାଯିବ। ଭସାଣି ଘାଟଗୁଡ଼ିକରେ ପରିମଳ ଓ ଆଲୋକ ବ୍ୟବସ୍ଥା ସୁଦୃଢ଼ କରିବା ସହ ଆବଶ୍ୟକ ସ୍ଥାନରେ କୃତ୍ରିମ ଜଳାଶୟ ବ୍ୟବସ୍ଥା ଏବଂ ପୂଜା ସାମଗ୍ରୀକୁ ଜୈବିକ ସାରରେ ପରିଣତ କରିବା ନେଇ ମଧ୍ୟ ପଦକ୍ଷେପ ଗ୍ରହଣ ଉପରେ ଆଲୋଚନା ହୋଇଥିଲା। ଗୁଜବ ଓ ସୋସିଆଲ ମିଡିଆ ଉପରେ ନଜରପୂଜା ଓ ଭସାଣି ସମୟରେ ସାମାଜିକ ଗଣମାଧ୍ୟମରେ ଗୁଜବ, ଭ୍ରାନ୍ତିକର କିମ୍ବା ଉତେଜନାମୂଳକ ସୂଚନା ପ୍ରଚାର ନକରିବାକୁ ଆହ୍ୱାନ କରାଯାଇଥିଲା। ଉଭୟ ସମ୍ପ୍ରଦାୟର ପ୍ରତିନିଧି, ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତି ଓ ପୂଜା କମିଟିଗୁଡ଼ିକର ସହଯୋଗରେ ଶାନ୍ତି ଓ ସଦଭାବ ବଜାୟ ରଖି ଉତ୍ସବ ପାଳନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଉତ୍ସବ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଆବଶ୍ୟକ ସ୍ଥାନରେ ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍ ନିୟୋଜନ, ଅଗ୍ନିଶମ ସେବା ପ୍ରସ୍ତୁତ ରଖିବା ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ନଜର ରଖିବା ନେଇ ମଧ୍ୟ ବିଭାଗୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ସାମଗ୍ରିକ ଭାବେ ଭଦ୍ରକ ସହରରେ ଗଣେଶ ପୂଜା ଓ ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ, ଶୃଙ୍ଖଳିତ ଓ ପରିବେଶ ଅନୁକୂଳ ଭାବେ ସମ୍ପନ୍ନ କରିବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି।