Odiapua.com

ଭଦ୍ରକରେ ଗଣତାନ୍ତ୍ରିକ ମହିଳା ସମିତିର ପ୍ରତିବାଦ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା କମିଟି ପକ୍ଷରୁ ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଜିଲାପାଳଙ୍କ ଜରିଆରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜିର ଦିବସକୁ ସମସ୍ତ ମହିଳା ସମିତି ମାନେ ଦେଶବ୍ୟାପୀ ପ୍ରତିବାଦ ଦିବସ ରୂପେ ପାଳନ କରୁଥିବାବେଳେ ଆଜି ଭଦ୍ରକ ଜିଲା କମିଟି ପକ୍ଷରୁ ସୁରଜିତା ନାୟକ, ସଂଚିତା ମହାପାତ୍ର, ପ୍ରଭାତୀ ଜେନା, ସୁମତି ନାୟକ, ପ୍ରତିମା ସ୍ୱାଇଁ ଓ ପାକିନି ମୁଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଶେଷକରି କରୋନା କ୍ଷତିଗ୍ରସ୍ତ ସମସ୍ତ ଗରିବ ଲୋକଙ୍କୁ ରାସନ୍ କାର୍ଡ ନଥିଲେ ବି ୧୦ କେଜି ଚାଉଳ ୬ ମାସ ପାଇଁ ଦେବା, କରୋନା କ୍ଷତିଗ୍ରସ୍ତ ଗରିବ ଶ୍ରମିକ ଓ କୃଷକମାନଙ୍କ ଆକାଉଣ୍ଟକୁ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ପ୍ରଦାନ, ମାଗଣାରେ ସମସ୍ତଙ୍କୁ କଣ୍ଟ୍ରୋଲ ସାମଗ୍ରୀ ୬ ମାସ ପାଇଁ ଯୋଗାଇଦେବା, ମନରେଗା ଯୋଜନାର କାମ ବାବଦ ବର୍ଷକୁ ଦୁଇଶହ ଦିନର କର୍ମ ଦିବସ ଯୋଗାଇଦେବା, ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ଦୈନିକ ୫ ଶହ ଟଙ୍କା ମଜୁରୀ ପ୍ରଦାନୀ, କରୋନା ଗ୍ରସ୍ତ ଅବସ୍ଥାରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଲକଡାଉନ୍ ଓ ସଟଡାଉନ୍ ସମୟରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସୁରକ୍ଷା ପ୍ରଦାନ କରିବା, ମହିଳାମାନଙ୍କର ଏସ୍‌ଏଚ୍‌ଜି ଗ୍ରୁପ୍‌ର ଋଣ ଛାଡ କରିବା, ମିଥ୍ୟା ମୋକଦ୍ଦମାରେ ଜଡିତ ସାମାଜିକ କର୍ମୀମାନଙ୍କୁ ତୁରନ୍ତ ଖଲାସ କରିବା ଏବଂ ମହିଳା ଶ୍ରମଜୀବୀମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ଭଳି ଦାବି ନେଇ ମହିଳା ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।