Odiapua.com

ଭଦ୍ରକରେ ଖୁସିର ଲହରି, ସୂର୍ଯ୍ୟ ମହାପାତ୍ର ‘ଓଡ଼ିଶା ଅଣ୍ଡର-୧୯’ ଅଧିନାୟକ ମନୋନୀତ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ୨୨ ସଦସ୍ୟ ବିଶିଷ୍ଟ ଓଡ଼ିଶା ଅଣ୍ଡର-୧୯ ଟିମ୍ ଘୋଷଣା କରିଛି । ଏହି ଟିମ୍‌ର ଅଧିନାୟକ ରୂପେ ନେତୃତ୍ୱ ନେବେ ଭଦ୍ରକ କ୍ରିକେଟର ସୂର୍ଯ୍ୟ ମହାପାତ୍ର । ଲିଗ୍ ପର୍ଯ୍ୟାୟରେ ଶତକ ଓ ସୁପର ଲିଗ୍ ପର୍ଯ୍ୟାୟରେ ‘ଓଡ଼ିଶା ଗ୍ରୀନ୍‌’ ତରଫରୁ ତାଙ୍କ ପ୍ରଦର୍ଶନ ତାଙ୍କୁ ଏହି ସୁଯୋଗ ପ୍ରଦାନ କରିଛି । ସେପ୍ଟେମ୍ବର ୨୮ ତାରିଖରୁ ମୋହାଲିରେ ଅନୁଷ୍ଠିତ ହେବାକୁ ଥିବା ‘ବିନୁ ମଙ୍କଡ ଟ୍ରଫି’ ରେ ସେ ଓଡ଼ିଶା ଦଳର ନେତୃତ୍ୱ ନେବେ । ଓଡ଼ିଶା ଏହି ଟୁର୍ଣ୍ଣାମେଣ୍ଟରେ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସହ ଖେଳିବ । ପିଲାଦିନରୁ କ୍ରିକେଟ୍ ପ୍ରତି ଆକର୍ଷଣ ଓ ଆସକ୍ତି ଅନୁଭବ କରି ପିତା ମଦନ ମୋହନ ମହାପାତ୍ର ତାଙ୍କୁ ଭଦ୍ରକର ପ୍ରସିଦ୍ଧ କୋଚ୍ କେ.ଭି. ପ୍ରସାଦଙ୍କ ତତ୍ତ୍ୱାବଧାନରେ ପରିଚାଳିତ ‘ବିଜୟ -ଭାନୁ ମେମୋରିଆଲ କ୍ରିକେଟ୍ ଏକାଡେମୀ’ ରେ ୨୦୧୦ ମସିହାରେ ପ୍ରଶିକ୍ଷଣର ସୁଯୋଗ ଦେଇଥିଲେ । ଏଇଠି ତାଙ୍କ କ୍ରିକେଟ୍ ଜୀବନ ପ୍ରସ୍ପୁଟିତ ହୋଇଥିଲା । ୨୦୦୩ ମାର୍ଚ୍ଚ ୭ ତାରିଖ ଦିନ ଜନ୍ମିତ ସୂର୍ଯ୍ୟ ହନୁମାନଜୀଉ ହାଇସ୍କୁଲରୁ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ । ତାଙ୍କ ସଫଳତାକୁ ଭିତ୍ତି କରି ହନୁମାନ ଜୀଉ ଓଡ଼ିଶା ଇଣ୍ଟରସ୍କୁଲ ଚମ୍ପିୟାନ ହୋଇଥିଲା ଓ ଓଡ଼ିଶା ସ୍କୁଲ ଟିମ୍‌ର ଅଧିନାୟକ ଦାୟିତ୍ୱ ତାଙ୍କୁ ଅର୍ପଣ କରାଯାଇଥିଲା ।

୨୦୧୪ ମସିହାରେ ସେ ମଧ୍ୟପ୍ରଦେଶରେ ଆୟୋଜିତ ନେସେନାଲ ସ୍କୁଲ କ୍ରିକେଟ୍ ଖେଳିଥିଲେ । ୨୦୧୬-୧୭ ମସିହାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିଲା । ୨୦୧୭-୧୮, ୨୦୧୮-୧୯ ଦୁଇବର୍ଷ ସେ ଓଡ଼ିଶାରେ ଅଣ୍ଡର-୧୬ ଟିମ୍‌ର ଅଧିନାୟକ ଥିଲେ । ଆସାମ ବିପକ୍ଷରେ ନୌଗାଓଁ ଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ଶତକ ଅର୍ଜନ କରି ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ବନିଯାଇଥିଲେ । ନିଜ ପ୍ରଦର୍ଶନ ହେତୁ ସେ ସେହିବର୍ଷ ଇଷ୍ଟ ଜୋନ୍ କ୍ରିକେଟ୍ ଟିମ୍‌ରେ ସ୍ଥାନ ପାଇଥିଲେ । ୨୦୧୯-୨୦ କ୍ରିକେଟ୍ ଋତୁରେ ଆୟୋଜିତ ସର୍ବଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ସେ ଉତ୍ତରାଖଣ୍ଡ ବିପକ୍ଷରେ ଶତକ ଅର୍ଜନ କରିଥିଲେ ଓ ସେହିବର୍ଷ ଶେଷ ମ୍ୟାଚ୍‌ରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇ ତାଙ୍କର ନେତୃତ୍ୱ ପରୀକ୍ଷଣ କରିଥିଲା । ଏବେ ୨୦୨୧-୨୨ ମସିହା ପାଇଁ ତାଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ମନୋନୀତ କରିଛି । ତାଙ୍କ ମନୋନୟନ ଭଦ୍ରକ ଜିଲାର କ୍ରିକେଟ୍ ମାହୌଲକୁ ଉଷ୍ମ ଓ ଉସ୍ମାହିତ କରିଛି । ସୂର୍ଯ୍ୟଙ୍କ କୋଚ୍ କେ.ଭି. ପ୍ରସାଦ, ଏବେ ସୂର୍ଯ୍ୟ ଅଧ୍ୟୟନ କରୁଥିବା ଗରସଙ୍ଗସ୍ଥିତ ଜମ୍ବେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍‌ର ସାଧାରଣ ସଂପାଦକ ଧୀରେନ ପଲାଇଙ୍କ ସମେତ ସମସ୍ତ ସଦସ୍ୟ ଓ ତାଙ୍କ ପରିବାର ଖୁସି ପ୍ରକାଶ କରିବା ସଂଗେ ସଂଗେ ତାଙ୍କର ସଫଳତା କାମନା କରିଛନ୍ତି ।