Odiapua.com

ଭଦ୍ରକରେ ଖାଦ୍ୟ ନିରାପତା ବିଭାଗର କାର୍ଯ୍ୟ ସନ୍ଦେହରେ, ଡି.ଓ ପଦବୀ ଖାଲି, ଖୋଲା ବଜାରରେ ବଢୁଛି ବାସିଯୁକ୍ତ ଓ ଅପମିଶ୍ରଣ ଖାଦ୍ୟ ବ୍ୟବସାୟୀଙ୍କ ସଂଖ୍ୟା

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଖାଦ୍ୟ ନିରାପତା(ଫୁଡ୍ ସେଫ୍ଟି) ବିଭାଗରେ ଦୀର୍ଘ ଦିନରୁ ଅଧିକାରୀ ଓ କର୍ମଚାରୀ ଅଭାବ ସମସ୍ୟା ଲାଗି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ଦୀର୍ଘବର୍ଷରୁ ଏଠାରେ ମଞ୍ଜୁର ହୋଇଥିବା ଏହି ବିଭାଗର ମୁଖ୍ୟ ଡି.ଓ(ଡେଜିଂନେଟେଡ ଅଫିସର)ପଦବୀ ଖାଲି ରହିଛି । ଫଳରେ ଡିପିଏଚ୍‌ଓ (ଜିଲ୍ଳା ପବ୍ଲିକ ହେଲଥ୍ ଅଫିସର)ଏହି ଦାୟିତ୍ୱକୁ ଅତିରିକ୍ତ ଭାବେ ବହନ କରୁଛନ୍ତି । କହିବାକୁ ଗଲେ ଜଣେ ଏଫ.ଏସ୍‌.ଓ(ଫୁଡ୍ ସେପ୍ଟି ଅଫିସର)ଓ ଜଣେ ମାତ୍ର ଅସ୍ଥାୟୀ ଏସ୍‌.ଟି.ଏସ୍‌(ମଲ୍ଟି ଟାସ୍କିଂ ଷ୍ଟାଫ୍‌)କାର୍ଯ୍ୟଙ୍କ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ଚାଲିଛି । ଆଉ ବିଭାଗର ଏଭଳି ଅଚଳାବସ୍ଥାରୁ ବେଶ୍ ଫାଇଦା ନେଉଛନ୍ତି ଅସାଧୁ ଖାଦ୍ୟ ବ୍ୟବସାୟୀ ଓ ବିତରଣକାରୀ ବ୍ୟବସାୟୀ । ଅଧିକାରୀ ଓ କର୍ମଚାରୀ ଅଭାବରୁ ନିୟମିତ ଚଢାଉ, ଯାଂଚଞ୍ଚକରାଯାଇ ପାରୁନଥିବା ବେଳେ ଅପମିଶ୍ରଣକାରୀ ତଥା ବାସିଯୁକ୍ତ ଖାଦ୍ୟ ବିକ୍ରି କରୁଥିବା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜରିମାନା ଆଦାୟ ସଠିକ୍ ଢଙ୍ଗରେ ହେଉନାହିଁ । ଫଳରେ ଏହି ବ୍ୟବସାୟୀ ଗୋଷ୍ଠୀ ଏବେ ଜିଲ୍ଲାର ଗ୍ରାମାଚଂଳ ଠାରୁ ସହରାଚଂଳ ଯାଏଁ ବେଶ ସକ୍ରିୟ ହୋଇ ଖୋଲାଖୋଲି ଭାବେ ଖାଦ୍ୟ ନିରାପତା ଆଇନ୍‌କୁ ଉଲ୍ଲଘଂନ କରିଚାଲିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲା ଖାଦ୍ୟ ନିରପତା ବିଭାଗ ସୂତ୍ରରୁ ଜଣାଯାଇଛି ଯେ: ଜିଲ୍ଲାରେ ପ୍ରାୟ ୨ହଜାର ଭଳି ରେଜିଷ୍ଟ୍ରେଟ୍ ଲାଇସେନ୍ସ ଧାରୀ ବ୍ୟବସାୟୀ ରହିଛନ୍ତି । ତେବେ ଜଣେ ସ୍ଥାୟୀ ଡି.ଓ ନଥିବାରୁ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜରିମାନା ଆଦାୟ କରିବାର କ୍ଷମତା ତାଙ୍କର ନଥିବାରୁ ସମସ୍ୟା ଉପୁଜୁଥିବା ଜଣାଯାଇଛି । ଭଦ୍ରକ ସହରାଚଂଳରେ ଥିବା ଶତାଧିକ ଉଠା, ଠେଲା ଓ ରାସ୍ତାକଡରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀମାନେ ସେମାନଙ୍କ ପସରା ମେଲାଇଛନ୍ତି । ଭୋଜନ ସହିତ ଜଳଖିଆ ସାମଗ୍ରୀ ଠାରୁ ଆରମ୍ଭ କରି ଚାଓମିନ, ଚାର୍ଟ, ଦହିବରା, ପୁଚ୍‌କା(ଗୁପଚୁପ) ଆଦି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବ୍ୟାପକ ଭାବେ ଚଳାଇଛନ୍ତି । ତେବେ ଏହି ବ୍ୟବସାୟୀମାନଙ୍କ ଖାଦ୍ୟର ମାନ ଯାଂଚ ନିୟମିତ ହେବା ତ ଦୂରର କଥା ବର୍ଷରେ ଥରେ ହେବା ମୁସ୍କିଲ ହୋଇଛି । ସେହିଭଳି ଏହାର ସୁଯୋଗ ନେଇ ବହୁ ଖାଦ୍ୟ ବ୍ୟବସାୟୀ ପଂଜିକରଣ କରୁନଥିବା ଜଣାଯାଇଛି । ଏବେ ଜିଲ୍ଲାରେ ଲାଇସେନ୍ସ ନେଇ ବିଭିନ୍ନ ବ୍ରାଣ୍ଡର ସୁଖୀଲା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । ତେବେ ଏହି ଖାଦ୍ୟ ସାମଗ୍ରୀ ଗୁଡିକର ମାନ ଯାଂଚ ନିୟମିତ ହେବା ଦରକାର ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅନୁରୂପ ଭାବେ ଭଦ୍ରକ ସହର ଓ ସହର ଉପକଣ୍ଠରେ ଗୋଲି ସୋଡା, ଆଇସ୍‌କ୍ରିମ ର ବଡ ବଡ କମ୍ପାନୀ ଖୋଲି ସେମାନଙ୍କ ଖାଦ୍ୟ ସାମଗ୍ରୀ ଖୋଲାବଜାରରେ ବିକ୍ରି କରୁଛନ୍ତି । ସେହିପରି ଏକାଧିକ ମିକ୍ସଚର, ବେକରୀ ପ୍ରୋଡକ୍ଟ ମଧ୍ୟ ଚାଲିଛି । ତେବେ ଏହି ସବୁ କମ୍ପାନୀ ଫୁଡ୍ ସ୍ପେଟି ଷ୍ଟାଣ୍ଡାଡ୍ ଅଥରିଟି ଅଫ୍ ଇଣ୍ଡିଆ(ଏଫଏସଏସ୍‌ଏଆଇ)ଠାରୁ ଲାଇସେନ୍ସ ନେଇଛନ୍ତି ସତ, ହେଲେ ସେମାନେ ସେମାନଙ୍କ ଖାଦ୍ୟ ସାମଗ୍ରୀରେ ମିଶ୍ରଣ କରୁଥିବା ପାଣି ଠାରୁ ଆମରମ୍ଭ କରି ଅନ୍ୟାନ୍ୟ ଦ୍ରବ୍ୟ ଗୁଡିକର ଯାଂଚ ହେଉନାହିଁ । ଫଳରେ କେତେବେଳେ ଯେ, କଣ ଅଘଟଣ ନଘଟିବ ଏହା କିଏ କହିବ ବୋଲି ଆଲୋଚନା ଚାଲିଛି । ଖାଦ୍ୟ ନିରପାତ୍ତା ଆଇନରେ : ବିନା ଖାଦ୍ୟ ଲାଇସେନ୍ସ ଓ ରେଜିଷ୍ଟ୍ରସନରେ କୌଣସି ବ୍ୟବସାୟ କରିପାରିବେ ନାହିଁ । ଆଉ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି ଦଣ୍ଡନୀୟ ଅପରାଧ, ଖାଦ୍ୟ ତିଆରି ପାଇଁ ବିଶୁଦ୍ଧ ଜଳର ବ୍ୟବହାର, ଖାଦ୍ୟଦ୍ରବ୍ୟ ଦେବା ନେବାରେ ପଲିଥିନ ବ୍ୟବହାର ନକରିବା, ବାସି ପଚାଶଢା ଖାଦ୍ୟ ବିକ୍ରୟ ନକରିବା, ରେଷେଇ ଘରକୁ ପରିସ୍କାର ରଖିବା ଓ ରାସ୍ତାକଡରେ ଖାଦ୍ୟ ସାମଗ୍ରୀକୁ ଘୋଡାଇ ରଖିବା ଏବଂ ଗରମ ପାଣିରେ ବାସନ କୁସନକୁ ଧୋଇବା ଭଳି ଅନେକ ନିୟମ ରହିଛି । ତେବେ ଭଦ୍ରକ ଜିଲ୍ଳା ସଦର ମହକୁମା ଠାରୁ ଆରମ୍ଭ କରି ଗ୍ରାମାଚଂଳରେ ଶହ ଶହ ସଂଖ୍ୟକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଛୋଟବଡ ବ୍ୟବସାୟୀ ଏହି ନିୟମକୁ ସଠିକ୍ ଭାବେ ଆଦୌ ପାଳନ କରୁନଥିବା ଜଣାଯାଇଛି । ଜଣେ ଡିଓ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତ କରାନଗଲେ ଏହି ବିଭାଗ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଅସମ୍ଭବ ବୋଲି କୁହଯାଉଛି । ଅନେକ ବ୍ୟବସାୟୀ ଲାଇସେନ୍ସ ବା ପଂଜୀକରଣ କରୁନଥିବା ବେଳେ ଅଧିକାଂଶ ଅନୁପଯୋଗୀ ଖାଦ୍ୟର ବହୁଳ କାରବାର କରି ସାଧାରଣ ଲୋକଙ୍କୁ ରୋଗାକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଳା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏଦିଗରେ ଗୁୁରୁତର ସହ ଦୃଷ୍ଟି ଦେଇ ଖାଦ୍ୟ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅଧିକ କ୍ରୀୟାଶୀଳ କରିବାକୁ ଦାବି ହୋଇଛି ।