Odiapua.com

ଭଦ୍ରକରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । କାର୍ତ୍ତିକ ପୂର୍ଣ୍ଣିମାର ସକାଳୁ ପ୍ରତିଟି ଓଡ଼ିଆ ସ୍ନାନ ସାରି କଦଳୀ ପଟୁଆ ଆଉ ଡଙ୍ଗା ଭସେଇ ଧର୍ମ ମାସ କାର୍ତ୍ତିକର ଶୁଭ ମନାସନ୍ତି । ଥରୁ ଥରୁ ଶୀତ ହେଉଥାଏ, ପାଟିରୁ ଭସ ଭସ ଧୁଆଁ ବାହାରୁଥାଏ । ଆଉ ଏତିକିବେଳେ ପୋଖରୀ, ଗାଡିଆ, ନଦୀ କୂଳରେ ହୁଳହୁଳି ପକେଇ ଗୀତ ଗାଇ ଗାଇ ସମସ୍ତେ ଭସେଇ ଦିଅନ୍ତି ପୂଣ୍ୟର ଡଙ୍ଗା । କାର୍ତ୍ତିକ ପୂର୍ଣ୍ଣିମାର ପ୍ରତ୍ୟୁ ଆରମ୍ଭ ହୁଏ ପବିତ୍ରତାରୁ । ଆଷାଢ, କାର୍ତ୍ତିକ, ମାଘ ଆଉ ବୈଶାଖ । ଏ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନ୍ତାନ କାଳ । ତେଣୁ ଏହି ଚାରି ମାସରେ ସୂର୍ଯ୍ୟଦେବଙ୍କ ଉପାସନା କାରଣରୁ ଏହାକୁ ଧର୍ମର ମାସ ଭାବେ ଧରାଯାଏ । ଆଉ ଏଇ ଧର୍ମ ମାସ କାର୍ତ୍ତିକ ସହ ଓଡ଼ିଆଙ୍କର ରହିଛି କାଇଁ କେତେ କାଳର ସଂପର୍କ । ଦିନେ ସାଧବପୁଅ ମାନେ ବୋଇତରେ ଜିନିଷ ନେଇ ଯାଉଥିଲେ ସୁଦୂର । ସାତ ଦରିଆ ତେର ନଈ ପାର ହୋଇ ଜାଭାଠୁ ବାଲି, ସୁମାତ୍ରାରୁ ଏବେକାର ଇଣ୍ଡୋନେସିଆରେ ବେପାର ବଣିଜ କରୁଥିଲେ ଆମ ଓଡ଼ିଆ ପୁଅ ।

ରେଶମୀ ପାଟ, ସୁଗନ୍ଧ ଦ୍ରବ୍ୟ, କାରିଗରୀ ଶିଳ୍ପ ଭଳି କେତେ କଣ ଜିନିଷ ଧରି ବୋଇତରେ ସାଧବ ପୁଅ ଯାଉଥିଲେ କାହିଁ କେତେ ଦୂର । ଆଉ ସାଧବ ବୋହୂମାନେ ମଙ୍ଗକୋଣରେ ମଙ୍ଗଳା ବନ୍ଦେଇ ସାଧବ ପୁଅଙ୍କୁ ଦେଉଥିଲେ ଶେଷ ମେଲାଣି । ଓଡ଼ିଆରେ ଆଶ୍ୱିନ ମାସ ପରେ ପରେ ମାର୍ଗଶିର ମାସ ପୂର୍ବରୁ ପଡେ ଧର୍ମ ମାସ କାର୍ତ୍ତିକ । ପୋଥି ପୁରାଣରେ ଏ ମାସକୁ ଶ୍ରେଷ୍ଠ ମାସ କୁହାଯାଉଥିବାବେଳେ ଏ ମାସରେ ଶ୍ରୀକ୍ଷେତ୍ରରେ ହବିଷ ପାଳନ୍ତି ହବିଷିଆଳି । ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସେଇ ହବିଷିଆଳି ନିଜ ବ୍ରତ ଉଜାନ୍ତି । ଆଉ ମାସକ ଧର୍ମକୁ ଅର୍ଜନ କରିଥାନ୍ତି । ଯାହା ଆଜି ବି ଏ ଆ କା ମା ବୈ ଗୀତରେ ଶୁଣିବାକୁ ମିଳେ । ଆଜି ଓଡିଶାର ସେହି ଗୌରବମୟ ନୌବାଣିଜ୍ୟର ସ୍ମାରକୀ ବହନ କରୁଥିବା କାର୍ତ୍ତକ ପୂର୍ଣ୍ଣିମା ଭଦ୍ରକରେ ପାଳିତ ହୋଇଯାଇଛି । ଚଳିତବର୍ଷ ରାତି ପ୍ରାୟ ୩ଟାରୁ ଭଦ୍ରକ ସହରର ସାଳନ୍ଦୀ କୂଳରେ ଥିବା ରାଜଘାଟ, ସାହାପୁର ଘାଟ, ସନ୍ଥିଆ ଘାଟ, ଗରଦପୁର, ମଠସାହି, ବାଉଦପୁର, ଏଲଖା, ଅସ୍ଥଳ ପ୍ରମୁଖ ସ୍ଥାନରେ ହଜାର ହଜାର ଭକ୍ତ ବୁଡ଼ ପକାଇବା ସହ ସୋଲ, କଦଳୀପଟୁଆ ନିର୍ମିତ ଡ଼ଙ୍ଗା ଅତ୍ୟନ୍ତ ଭକ୍ତିର ସହ ସାଳନ୍ଦୀରେ ଭସାଇଥିଲେ । ଅନୁରୂପ ସନ୍ଥିଆ ହନୁମାନ ନଦୀ ଘାଟରେ ଶହଶହ ଭକ୍ତ ସ୍ନାନକରି ଡ଼ଙ୍ଗାମାନ ଭସାଇଥିଲେ । ସେହିଭଳି ଭଦ୍ରକର ସଦାବର୍ତ୍ତ ମଠ, ସନ୍ଥିଆର ନୀଳକଣ୍ଠେଶ୍ୱର ଶ୍ରୀ ହନୁମାନ ମନ୍ଦିର, କୁଆଁସ ବଡ଼ଦାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିର, ମଦନମୋହନ, ଗୋବିନ୍ଦ ଜୀଉ, ରାଧାଦାମୋଦର, ଶ୍ୟାମସୁନ୍ଦର ଜୀଉ, ବିପ୍ରେଶ୍ୱର ମହାଦେବ, ଜଗନ୍ନାଥ ଗୌଡ଼ୀୟ ମଠ, ସାହାପୁର ସ୍ଥିତ ପଞ୍ଚମୂଖି ହନୁମାନ ମନ୍ଦିର, ବ୍ରହ୍ମେଶ୍ୱର ମହାଦେବ, ମା’ ଶଙ୍କଟ ତାରିଣୀ, ମା’ ଗ୍ରାମଦେବତୀ ଓ କଣ୍ଟି ମଙ୍ଗଳା ପ୍ରଭୃତି ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ଲାଗିରହିଥିଲା ।

ବହୁ ଶ୍ରଦ୍ଧାଳୁ ଭକ୍ତ ବାବା ଲୋକନାଥ, ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର, ବାଲଗୋପାଲଜୀଉ ମନ୍ଦିର, ଶ୍ରୀ ଚୈତନ୍ୟ ଆଶ୍ରମ, ମା’ ବଙ୍କବାସୁଳୀ, ମା’ ତାରିଣୀ, ରାଜଘାଟ ମହାଦେବ, ମଠସାହି ମା’ ଦକ୍ଷିଣେଶ୍ୱର କାଳୀଙ୍କ ଭଳି ବିଭିନ୍ନ ପୀଠକୁ ଯାଇ ନିଜର ଭକ୍ତି ନୌବେଦ୍ୟ ଅର୍ପଣ କରିଥିଲେ । ଝିଅବୋହୂମାନେ ତୁଳସୀ ଚଉରା ସମ୍ମୁଖରେ ମୁରୁଜରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଚିତ୍ର ଆଙ୍କି ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଦେବାଳୟରେ ହବିଷ୍ୟାଳିମାନେ ଆଜିର ହବିଷ ଭୋଜନକରି ପ୍ରଭୁ କୃପା ଲାଭ କରିଥିଲେ । ବିଶେଷକରି ଆଜିଠାରୁ ସହରର ବାଉଦପୁରର ଦୁଇ ଜାଗାରେ ବେଶ୍ ଯାକ ଜମକରେ ଆରମ୍ଭ ହୋଇଛି ବାଲିଯାତ୍ରା । ବିଭିନ୍ନ ପ୍ରକାର ଦୋକାନ ବଜାର ସାଙ୍ଗକୁ ରାମଦୋଳି, ବ୍ରେକ୍‌ଡ୍ୟାନ୍ସ ପଡିଛି, ଯାହା ଲୋକଙ୍କୁ ଆକୃଷ୍ଣ କରିବ । ଏବଂ ଉଭୟ ଜାଗାରେ ମଧ୍ୟ ଅପେରା ପାର୍ଟି ପଡିଥିବାର ଜଣାପଡିଛି । ଏହା ସାତ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାର ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ସୂଚନା ଦେଇଛନ୍ତି ।