Odiapua.com

ଭଦ୍ରକରେ ଏକାଦଶ କର୍ଦ୍ଦମ ଦିବସ ପାଳିତ

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିକାଲି କିଏ ପାଳୁଛି ‘ଚକୋଲେଟ୍ ଦିବସ’ ତ କିଏ ପାଳୁଛି ‘ଟେଡି ଦିବସ’ ହେଲେ ପ୍ରକୃତିକୁ ଭଲପାଇ ତାର ସୁରକ୍ଷା କରିବା ପାଇଁ କେତୋଟି ହାତ ଗଣତି ଦିବସ ପାଳନ କରାଯାଉଛି । ‘ବିଶ୍ୱ କର୍ଦ୍ଦମ ଦିବସ’ ପାଳନ ଏ ଦିଗରେ ଏକ ଯୁଯୋଗପଯୋଗୀ ପଦକ୍ଷେପ ବୋଲି କୁହନ୍ତି ଏ ଦିବସର ପ୍ରାଣ ପ୍ରତିଷ୍ଠାତା ରାଧାକାନ୍ତ ତ୍ରିପାଠୀ । ପରିବେଶ ସନ୍ତୁଳନ କ୍ଷେତ୍ରରେ ୧୯୭୨ ମସିହାରେ ହୋଇଥିବା ‘ଷ୍ଟକ୍ ହୋମ୍ କନଭେନସନ’ ଜୁନ୍ ୫ ତାରିଖରେ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହୋଇଥିଲା । ଏହାର ସ୍ମାରକ ସ୍ୱରୂପ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଥିବାବେଳେ ଜୁନ୍ ୧୬ ତାରିଖକୁ ବିଶିଷ୍ଟ ସମାଜସେବୀ, ପରିବେଶବିତ୍ ତଥା ସୁପ୍ରିମ କୋର୍ଟ ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ ‘ବିଶ୍ୱ କର୍ଦ୍ଦମ ଦିବସ’ ଭାବେ ୨୦୧୦ ମସିହା ଠାରୁ ପାଳନ କରି ଆସୁଥିବା ସହିତ ପରିବେଶ ସନ୍ତୁଳନ କ୍ଷେତ୍ରରେ ‘ଆଦ୍ରଭୂମି’ ର ଗୁରୁତ୍ୱକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପରିବେଶ ସୁରକ୍ଷା କ୍ଷେତ୍ରରେ ଏହା ଏକ ବିରଳ ପଦକ୍ଷେପ ହୋଇଥିବାରୁ ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌’ ରେ ଏହି ଦିବସ ସ୍ଥାନିତ ହୋଇଛି । ଉକ୍ତ ଦିବସ ପାଳନ କେବଳ ଓଡ଼ିଶା କିମ୍ବା ଭାରତର ସୀମିତ ନରହୁ ବରଂ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ ହେବା ସହିତ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ପାଇଁ ଉଦ୍ୟମ ହେଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଉକ୍ତ ଦିବସ ପାଳନର ଶ୍ରେୟ ଶ୍ରୀ ତ୍ରିପାଠୀଙ୍କୁ ଦେଇ ଏହାଦ୍ୱାରା ଏକ ନୂତନ ସଭ୍ୟତାର ଅଭ୍ୟୁଦୟ ହୋଇଛି ବୋଲି ଅଭିହିତ କରିଛନ୍ତି । ଫକୀରମୋହନ ବିଶ୍ୱବିଦ୍ୟାଳୟ ମଧ୍ୟ ରାଧାକାନ୍ତଙ୍କର ପରିବେଶ ପ୍ରତି ଥିବା ଶ୍ରଦ୍ଧା ଓ ଭଲପାଇବାକୁ ସ୍ୱୀକୃତି ଦେଇ ତାଙ୍କୁ ‘ବିଶ୍ୱ ବିଦ୍ୟାଳୟ ସମ୍ମାନ’ ରେ ସମ୍ମାନିତ କରିଛନ୍ତି । ବିଗତ ବର୍ଷ ପରି ଚଳିତ ବର୍ଷ ଏହି ଦିବସ ଭଦ୍ରକ ସାହାପୁର ନିକଟସ୍ଥ ପଞ୍ଚମୁଖୀ ସାଳନ୍ଦୀ ନଦୀ କୂଳରେ ପାଳିତ ହୋଇଯାଇଅଛି । ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ତ୍ରିପାଠୀ, ଧର୍ମେନ୍ଦ୍ର ତ୍ରିପାଠୀ, ଦେବାଶିଷ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଏହି ଦିବସଟି ତଳଗୋପବିନ୍ଧା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚଙ୍କ ପ୍ରତିନିଧି ଆଦିତ୍ୟ ଜେନା, କ୍ୱାରେଣ୍ଟାଇନ୍ ଇନଚାର୍ଜ ଦିଲ୍ଲୀପ କୁମାର ପଣ୍ଡା, ବାଦଲ ବେହେରା, ବିକ୍ରମ ବେହେରା, ଆଲୋକ ସାମଲ, ଚିନ୍ମୟ ସାମଲ, ପ୍ରତିମା ବେହେରା, ମାନସୀ ବେହେରା, ଜୟନ୍ତୀ ବେହେରା, ମିନତୀ ନାୟକ, ଅଂଜଳି ବେହେରା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ ।