Odiapua.com

ଭଦ୍ରକରେ ଇଦ୍‌-ଉଲ୍‌-ଫିତର ପାଳନ ପାଇଁ ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ବୈଠକ, ଇଦଗା ମଇଦାନରେ ସମୂହ ନମାଜ ପାଠରେ ୧୫ରୁ ୨୦ ହଜାର ଭକ୍ତ ଯୋଗ ଦେବେ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଆସନ୍ତା ଇଦ୍‌-ଉଲ୍‌-ଫିତର ଉତ୍ସବ–୨୦୨୬ କୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଭାଗୃହ ଓସୱାନରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ରବି ନାରାୟଣ ସାହୁ , ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଡେପୁଟି କଲେକ୍ଟର(ବିଚାର) କାର୍ତିକ ନାଥ ମଣ୍ଡଳ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଜିଲ୍ଲା ଗୁଇନ୍ଦା ସଂସ୍ଥା) ଅଂଶୁମାନ ଦ୍ୱିବେଦୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗଦେଇଥିଲେ।ବୈଠକ ଆରମ୍ଭରେ ଡେପୁଟି କଲେକ୍ଟର(ବିଚାର) ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉପସ୍ଥିତ ମୁସଲିମ ଜମାତ କମିଟି, ହିନ୍ଦୁ ସୁରକ୍ଷା ସମିତି ଓ ଶାନ୍ତି କମିଟିର ସଦସ୍ୟମାନେ ପର୍ବ ପାଳନ ନେଇ ସେମାନଙ୍କର ଯୋଜନା ଓ ପ୍ରସ୍ତାବ ରଖିଥିଲେ।ଏହି ଅବସରରେ ମୁସଲିମ ଜମାତ କମିଟିର ସମ୍ପାଦକ ଅବଦୁଲ ମୋକିତ ଖାନ ପ୍ରଶାସନର ସହଯୋଗରେ ପୂର୍ବବର୍ଷମାନଙ୍କରେ ସମସ୍ତ ପର୍ବପର୍ବାଣି ଶାନ୍ତି ଓ ଶୃଙ୍ଖଳାରେ ପାଳିତ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ ଇଦ୍ ଏକ ଖୁସି, ଧର୍ମ, ଦାନ, ତ୍ୟାଗ ଓ ଭାଇଚାରାର ପର୍ବ। ଚନ୍ଦ୍ର ଦର୍ଶନ ଅନୁସାରେ ଏହି ପର୍ବ ଆସନ୍ତା ୧୯ କିମ୍ବା ୨୦ ତାରିଖରେ ପଡ଼ିପାରେ। ସେହି ଦିନ ଜିଲ୍ଲାର ପ୍ରାୟ ୧୪୬ଟି ମସଜିଦରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ସମୂହ ନମାଜ ପାଠ ହେବା ସହ ଭଦ୍ରକ ପୁରୁଣା ବଜାର ସ୍ଥିତ ଇଦଗା ମଇଦାନରେ ସକାଳ ୯.୩୦ ଘଟିକା ସମୟରେ ବିଶେଷ ସମୂହ ନମାଜ ପାଠ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୧୫ରୁ ୨୦ ହଜାର ଭକ୍ତ ଅଂଶଗ୍ରହଣ କରିବେ। ଏଥିପାଇଁ ଇଦଗା ମଇଦାନର ସଫେଇ, ଆଲୋକିକରଣ,ସୁରକ୍ଷା ବ୍ୟବସ୍ଥା ସହ ପର୍ବ ଦିନ ପାଣି ଟ୍ୟାଙ୍କର, ଭ୍ରାମ୍ୟମାଣ ଆମ୍ବୁଲେନ୍ସ, ଦମକଳ ଗାଡ଼ି ଓ ଆବଶ୍ୟକ ସ୍ଥାନରେ ସିସିଟିଭି ସ୍ଥାପନ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଆସନ୍ତା ପବିତ୍ର ଇଦ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ୟପୂର୍ଣ୍ଣ ଭାବରେ ପାଳନ ପାଇଁ ଆୟୋଜିତ ଶାନ୍ତି କମିଟି ସଭାରେ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିମାନେ ନିଜ ମତାମତ ପ୍ରକାଶ କରିଥିଲେ।ମୁସଲିମ ଜମାତ କମିଟିର ଉପ-ସଭାପତି ସେକ୍ ମହମ୍ମଦ ଜକାଉଲ୍ଲା ଆଲୋଚନାରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଆସନ୍ତା ଇଦ ଉତ୍ସବ ଅବସରରେ ମୁସଲମାନ ଭାଇ ଓ ଭଉଣୀମାନଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ। ସେ ଇଦକୁ ଶାନ୍ତି ଓ ସୌହାର୍ଦ୍ୟର ପରିବେଶରେ ପାଳନ କରିବାକୁ ଆହ୍ୱାନ ଜଣାଇବା ସହ ଯୁବପିଢୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଦ୍ୱାରା ନିୟମିତ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଥିଲେ। ଇଦ ପୂର୍ବରୁ ବଜାରରେ ବଢୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଦୋକାନଗୁଡିକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରଖିବା, ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ସେ ପ୍ରଶାସନଙ୍କୁ ଅନୁରୋଧ କରିଥିଲେ। ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ସଭାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଜିଲ୍ଲା ପ୍ରଶାସନଙ୍କୁ ପରିମଳ ବ୍ୟବସ୍ଥା, ପୁରୁଣା ବଜାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଓ ପାରମ୍ପାରିକ ମାର୍ଗମାନଙ୍କର ମରାମତି ପାଇଁ ପ୍ରୟୋଜନୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ମିଳନ ରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ଆଶା କରିଥିଲେ ଓ ଇଦ ପାଳନରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ।ଶାନ୍ତି କମିଟି ସଦସ୍ୟ ଅତିଶ କୁମାର ବେହେରା ଗଣମାଧ୍ୟମରେ ହେଉଥିବା ଅପପ୍ରଚାରକୁ ରୋକିବା ପାଇଁ ସମସ୍ତ ସମ୍ପ୍ରଦାୟର ସଚେତନତା ଆବଶ୍ୟକ ବୋଲି କହିଥିଲେ। ସେ ଇଦଗା ମଇଦାନର ସଫା-ସୁତୁରା ରକ୍ଷା ପାଇଁ ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ କରିବା ସହ ଅନୁଶାସନହୀନ ଯୁବପିଢୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରିଥିଲେ।ଶାନ୍ତି କମିଟିର ସଦସ୍ୟ ଶ୍ରୀ ଗୌରାଙ୍ଗ ପଣ୍ଡା ଚରମ୍ପା ଅଞ୍ଚଳରେ ଟ୍ରାଫିକ ସମସ୍ୟା, ପରିମଳ ବ୍ୟବସ୍ଥା ଓ ରାସ୍ତା ମରାମତି ପାଇଁ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଥିଲେ। ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ଆଶ୍ୱାସନା ଦେଇ କହିଥିଲେ ଯେ ଇଦ ଉତ୍ସବ ଅବସରରେ ସହରର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା କରାଯିବ ଓ ସାମ୍ପ୍ରଦାୟିକ ସୌହାର୍ଦ୍ୟ ରକ୍ଷା କରି ଶାନ୍ତିପୂର୍ଣ୍ଣ ଭାବରେ ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ ପୂର୍ଣ୍ଣ ସହଯୋଗ ଯୋଗାଇବ।ଶେଷରେ ଜିଲ୍ଲାପାଳ ସମସ୍ତ ସମ୍ପ୍ରଦାୟର ସହଯୋଗରେ ଇଦ୍‌-ଉଲ୍‌-ଫିତର ପର୍ବକୁ ଶାନ୍ତିପୂର୍ଣ୍ଣ, ସାମ୍ପ୍ରଦାୟିକ ସମ୍ମିଳନ ଓ ଭାଇଚାରାର ପରିବେଶରେ ପାଳନ କରିବାକୁ ଆହ୍ୱାନ ଦେବା ସହ ସମ୍ବନ୍ଧିତ ବିଭାଗମାନଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।