Odiapua.com

ଭଦ୍ରକରେ ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା ଦାବି ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଆୟୁର୍ବେଦ ଚିକିତ୍ସକ ସଂଘର ଡାକ୍ତରମାନେ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଦର ମହକୁମାରେ ଏକ ସ୍ୱତନ୍ତ୍ର ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା କରିବା ଦାବି ଜୋରଦାର ହୋଇଛି। ଏନେଇ ଭଦ୍ରକ ଆୟୁର୍ବେଦ ଚିକିତ୍ସକ ସଂଘ ପକ୍ଷରୁ ଡାକ୍ତରମାନେ ରାଜ୍ୟ ବିଜେପି ସଭାପତି ତଥା ଭଦ୍ରକର ବରିଷ୍ଠ ରାଜନେତା ମନମୋହନ ସାମଲଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆୟୁର୍ବେଦ ଚିକିତ୍ସା ପ୍ରତି ଲୋକଙ୍କ ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଭଦ୍ରକ ଜିଲ୍ଲା ସଦର ମହକୁମାରେ ଏକ ସୁସଜ୍ଜିତ ଓ ସ୍ୱତନ୍ତ୍ର ଆୟୁର୍ବେଦ ଚିକିତ୍ସାଳୟର ଆବଶ୍ୟକତା ରହିଥିବା ସଂଘ ପକ୍ଷରୁ ଦର୍ଶାଯାଇଛି। ଆୟୁର୍ବେଦ ଚିକିତ୍ସା ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହାକୁ ଅଧିକ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ନିକଟରେ ଉନ୍ନତମାନର ଆୟୁର୍ବେଦ ଚିକିତ୍ସା ସେବା ପହଞ୍ଚାଇବା ଦିଗରେ ଏପରି ଚିକିତ୍ସାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ଡାକ୍ତରମାନେ ମତ ରଖିଛନ୍ତି। ସଂଘ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଭଦ୍ରକ ସଦର ମହକୁମାରେ ଆୟୁର୍ବେଦ ଚିକିତ୍ସାଳୟ ଖୋଲିବା ସହ ଆବଶ୍ୟକ ଭିତିଭୂମି, ଚିକିତ୍ସା ସୁବିଧା ଓ ଆବଶ୍ୟକ ମାନବସମ୍ବଳ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। ଏହାଦ୍ୱାରା ଭଦ୍ରକ ଜିଲ୍ଲାର ଲୋକମାନେ ନିଜ ଜିଲ୍ଲାରେ ଆୟୁର୍ବେଦ ଚିକିତ୍ସାର ସୁବିଧା ପାଇପାରିବେ ବୋଲି ସଂଘ ଆଶା ପ୍ରକାଶ କରିଛି। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ବିଭିନ୍ନ ରୋଗର ଚିକିତ୍ସା ସହ ରୋଗ ପ୍ରତିରୋଧକ ଶକ୍ତି, ସୁସ୍ଥ ଜୀବନଶୈଳୀ ଓ ପ୍ରାକୃତିକ ଚିକିତ୍ସା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଏ। ତେଣୁ ଭଦ୍ରକ ଭଳି ଏକ ବଡ଼ ଜିଲ୍ଲାର ସଦର ମହକୁମାରେ ଏକ ସ୍ୱତନ୍ତ୍ର ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା ହେଲେ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ସ୍ମାରକପତ୍ର ଗ୍ରହଣ କରି ଶ୍ରୀ ମନମୋହନ ସାମଲ ଏହି ଦାବି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଓ ଉଚିତ ସ୍ତରରେ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଭଦ୍ରକରେ ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା ହେଲେ ଏହା ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ଆୟୁର୍ବେଦ ଚିକିତ୍ସାକୁ ଆହୁରି ଲୋକାଭିମୁଖୀ କରିପାରିବ ବୋଲି ଭଦ୍ରକ ଆୟୁର୍ବେଦ ଚିକିତ୍ସକ ସଂଘ ଆଶା ପ୍ରକାଶ କରିଛି। ଜିଲ୍ଲାରେ ଆୟୁର୍ବେଦ ଚିକିତ୍ସା ସେବାର ବିକାଶ ଓ ସାଧାରଣ ଲୋକଙ୍କୁ ଉତମ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ସରକାର ଏହି ଦାବିକୁ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।