Odiapua.com

ଭଦ୍ରକରେ ଆରମ୍ଭ ହେବ ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି-୨.୦, ସାତ ଜିଲ୍ଲାର ୨୨୦ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆସନ୍ତା ୬ ଓ ୭ ଜୁନ ତାରିଖରେ ଭଦ୍ରକ କଲେଜ ପଡ଼ିଆଠାରେ ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି-୨.୦ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହି ଦୁଇଦିନିଆ ପ୍ରତିଯୋଗିତାରେ ଫୁଟବଲ, ଭଲିବଲ, ଖୋ-ଖୋ ଓ କବାଡ଼ି ଖେଳ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ସାତଟି ଜିଲ୍ଲାରୁ ପ୍ରାୟ ୧୧୦ ଜଣ ବାଳକ ଓ ୧୧୦ ଜଣ ବାଳିକା କ୍ରୀଡ଼ାବିତଙ୍କ ସହ ପ୍ରାୟ ୨୦ ଜଣ ଅଧିକାରୀ ଯୋଗଦେବେ। ପ୍ରତିଯୋଗୀ ଓ ଅଧିକାରୀମାନେ ୫ ଜୁନରେ ଭଦ୍ରକରେ ପହଓଠିବେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଭାଗକୁ ଆବଶ୍ୟକ ଦାୟିତ୍ୱ ପ୍ରଦାନ କରାଯାଇଛି। କ୍ରୀଡ଼ାବିତମାନଙ୍କ ରହଣି, ଖାଦ୍ୟ, ପରିବହନ, ସୁରକ୍ଷା ଓ ଚିକିତ୍ସା ସେବା ସମେତ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ନେଇ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଥିବା ବେଳେ କ୍ରୀଡ଼ାପ୍ରେମୀ ଏବଂ ସାଧାରଣ ଜନତାଙ୍କୁ ଖେଳ ଦେଖିବା ସହ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରତିଯୋଗିତା ଜିଲ୍ଲାର କ୍ରୀଡ଼ା ପରିବେଶକୁ ଆହୁରି ସୁଦୃଢ଼ କରିବା ସହ ଯୁବ ପ୍ରତିଭାମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ପ୍ରଦାନ କରିବ।