Odiapua.com

ଭଦ୍ରକରେ ଅବାଧ ନିଶା କାରବାର ଓ ସଂଗୀତା ମୋଟର୍ସ କର୍ମଚାରୀ ମୃତ୍ୟୁ ମାମଲାରୁ ମୁଖ୍ୟ ଅଭିଯୁକ୍ତ ଗିରଫ ଦାବି ନେଇ ନଳିନୀ ଭେଟିଲେ ପୂର୍ବାଞ୍ଚଳ ଆଇଜିଙ୍କୁ

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଚାଲୁଥିବା ଅବାଧ ନିଶା କାରବାରରୁ ଭଦ୍ରକକୁ ମୁକ୍ତ କରିବା, ଡ୍ରଗ୍ସ, ମଦ କାରବାରର ସମ୍ରାଟ କୁହାଯାଉଥିବା ଶ୍ୟାମସୁନ୍ଦର ଗୁପ୍ତାକୁ ଗିରଫ କରିବା, ସଂଗୀତା ମୋଟର୍ସର କର୍ମଚାରୀ ଚିତ୍ତରଂଜନଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଶାହାଙ୍କୁ ଗିରଫ କରିବା ଦାବି ନେଇ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଭଦ୍ରକ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆଜି ଶ୍ରୀ ମହାନ୍ତି ଆଇଜିଙ୍କ ବାଲେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ଯାଇ ଭଦ୍ରକରେ ଚାଲିଥିବା ଅବାଧ ଡ୍ରଗ୍ସ କାରବାର, ଦେଶୀ ମଦର ବ୍ୟାପକ ବିକ୍ରି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ବହୁ ସଂଖ୍ୟକ ମାଫିଆ ଭଦ୍ରକର ନିଶା ସମ୍ରାଟ କୁହା ଯାଉଥିବା ଶ୍ୟାମସୁନ୍ଦର ଗୁପ୍ତାଙ୍କ ଅଧିନରେ ରହି ଏହି କାରବାର କରୁଛନ୍ତି । ବାଲେଶ୍ୱରରୁ ମୋଟର ସାଇକେଲରେ ବ୍ରାଉନ ସୁଗାର ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଛନ୍ତି । ସେହିପରି ଗୁପ୍ତାଙ୍କ ଅନୁଚରମାନେ କେଉଁଝର ଜିଲ୍ଲାରୁ ଚୋରାରେ ଦେଶୀ ମଦ ଆଣି ଭଦ୍ରକର ବିଭିନ୍ନ ସାହି ବସ୍ତି ଠାରୁ ଆରମ୍ଭ କରି ଛକ, ବଜାରମାନଙ୍କରେ ବ୍ୟାପକ ଭାବେ ବିକ୍ରି କରୁଛନ୍ତି । ଯାହାକୁ ବନ୍ଦ କରିବାରେ ପୁଲିସ ଆଦୌ ପଦକ୍ଷେପ ନେଉ ନାହିଁ । ବରଂ କେତେକ ଥାନା ମଦ ବେପାରୀଙ୍କ ଠାରୁ ମୋଟ ଅଙ୍କର ମାସିକିଆ ଚାନ୍ଦା ନେଇ ମଦ ବ୍ୟବସାୟକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଜିଲ୍ଲା ପୁଲିସ ସମ୍ପୂର୍ଣ୍ଣ ଭାବେ ଡ୍ରଗ୍ସ ଓ ମଦ କାରବାରକୁ ବନ୍ଦ କରିବା କ୍ଷେତ୍ରରେ ଆଖି ବୁଜି ଦେଇଛି ।

 

 

ସହର ଠାରୁ ଗ୍ରାମାଞ୍ଚଳର ଯୁବ ସମାଜ ଡ୍ରଗ୍ସ କବଳରେ କବଳିତ ହୋଇସାରିଲେଣି ବୋଲି ଶ୍ରୀ ମହାନ୍ତି ଆଇଜିଙ୍କୁ ଅବଗତ କରାଇଥିଲେ । ଏହା ସହିତ ଗତ କିଛିଦିନ ତଳେ ଭଦ୍ରକ ସହର ଉପକଣ୍ଠ ନୂଆବସ୍‌ଷ୍ଟାଣ୍ଡ ଠାରେ ଥିବା ସଂଗୀତା ମୋଟର୍ସର କାର୍ଯ୍ୟରତ କର୍ମଚାରୀ ତଥା ଭଦ୍ରକ ଗବସାହି ଞ୍ଚଳର ଯୁବକ ଚିତ୍ତ ରଂଜନ ଜେନା ସୋ’ରୁମ୍ ମାଲିକ ଚନ୍ଦନ ଶାହାଙ୍କ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବା ଏବଂ ଆତ୍ମହତ୍ୟା ପାଇଁ ସୋ’ରୁମ୍ ମାଲିକଙ୍କୁ ଦାୟୀ କରି ସୁଇସାଇଡାଲ ନୋଟ ଲେଖିଥିବା ଘଟଣାକୁ ପୁଲିସ ଅତି ହାଲୁକା ଭାବେ ଗ୍ରହଣ କରୁଛି । ସୁଇସାଇଡାଲ ନୋଟ ପାଇ ମଧ୍ୟ ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ମାମଲାକୁ ରଫାଦଫା କରିବାକୁ ବସିଥିଲା । ମାତ୍ର କଂଗ୍ରେସର ଚାପରେ ବାଧ୍ୟ ହୋଇ ଏହାକୁ ହତ୍ୟା ମାମଲା ଭାବେ ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ । ଯାହା ଅନୁମାନ କରାଯାଏ ଚନ୍ଦନ ଶାହାକୁ ଫେରାର କରାଇବାରେ ପୁଲିସ ସହାୟକ ହୋଇଛି । ଏହି ହତ୍ୟା ମାମଲାକୁ ଚପାଇ ଦେବା ପାଇଁ ପୁଲିସକୁ ବହୁ ଅର୍ଥ ଦିଆ ଯାଇଥିବା ବେଳେ ଚିତ୍ତରଂଜନଙ୍କ ପରିବାରକୁ ମଧ୍ୟ ଭୟଭୀତ କରି ରଖା ଯାଇଛି । ଏ ନେଇ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯାଇଥିବା ବେଳେ ପୁଲିସ ୩ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇ ଧାରଣା ପ୍ରତ୍ୟାହାର କରାଇଥିଲା । ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଚନ୍ଦନ ଶାହାଙ୍କ ବାପାଙ୍କୁ ଧରିଆଣି ଥାନାରେ ଅଟକ ରଖି ବାହାବା ନେଉଛି । ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ଗିରଫ କରିବା ପାଇଁ ଆଇଜିଙ୍କୁ ଶ୍ରୀ ମହାନ୍ତି ଅନୁରୋଧ କରିଥିଲେ । ଆଇଜି ପଟ୍ଟନାୟକ ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି । ଆଇଜିଙ୍କୁ ଭେଟିବା ସମୟରେ ଶ୍ରୀ ମହାନ୍ତିଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ସୁବ୍ରତ ଦାସ ମଧ୍ୟ ଉପସ୍ଥିତ ଥିଲେ ।