ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶୀ ନୃତ୍ୟର ନବ ପ୍ରତିଭାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ଓଡ଼ିଶୀ ପ୍ରତିଭାର ଅନ୍ୱେଷଣ’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ସମାରୋହ ଟାଉନ୍ ହଲ୍, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଶୀ ନୃତ୍ୟ ଅନ୍ୟ ନୃତ୍ୟ ଓ ସଙ୍ଗୀତ ପରି ନୁହେଁ। ଏହାର ନିଜସ୍ୱ ସଙ୍ଗୀତ, ନିଜସ୍ୱ ମୁଦ୍ରା, ନିଜସ୍ୱ ଭଙ୍ଗୀ ରହିଛି। ସବୁଠାରୁ ବଡ଼ କଥା ହେଲା ଏହି ନୃତ୍ୟର ଦୁଇ ହଜାର ବର୍ଷର ଇତିହାସ ରହିଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦ ଜଣ ନବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ଚୟନ କରାଯାଇଛି। ଓଡ଼ିଶୀ ନୃତ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ସେମାନଙ୍କୁ ନିଶୁଳ୍କ ପ୍ରଶିକ୍ଷଣ ପ୍ରଦାନ କରାଯିବ, ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାର ବହନ କରିବେ ଏବଂ ପ୍ରତ୍ୟେକ ଶିଳ୍ପୀଙ୍କୁ ୨୦୦୦ ଟଙ୍କା ସ୍କଲାରସିପ୍ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାମାନଙ୍କରେ ଜାରି ରହିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ଗୁରୁ ପଣ୍ଡିତ କେଶବ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଭାବେ ଆୟୋଜନ କରିଛନ୍ତି। ଶେଷରେ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଚୟନ ହୋଇଥିବା ନୃତ୍ୟଶିଳ୍ପୀ ମାନଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରାଯାଇଥିଲା ।