ଭଦ୍ରକ:୧୭/୧୦(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)”ବାବୁ, ବଳ-ବୟସ ଥିଲେ, ସଭିଏଁ ଆଦରିବେ।ଫାଇଦା ଉଠାଇ କୋଳରେ ବସାଇବେ।ହେଲେ ସେତକ ଚାଲିଗଲେ, କି ପୁଅ, କି ଝିଅ, କି ସ୍ତ୍ରୀ ସଭିଏଁ ଅଳିଆ ପାଛିଆ ଭଳି ଫିଙ୍ଗି ଦେବେ”।ଏ କଥା କୌଣସି ଯାତ୍ରା କି ସିନେମାର ସଂଳାପ ନୁହେଁ।ଏହା ଆଜି ଭଦ୍ରକ ସହରର ରାଜଘାଟ ପୋଲ ଶେଷ ମୁଣ୍ଡରେ ଥିବା ଏକ ଗଛମୂଳକୁ ରାତିର ବିଛଣା କରି ଭୋକରେ ଆଉଟୁ ପାଉଟୁ ହେଉଥିବା ଜଣେ ଅସହାୟ ବୃଦ୍ଧର ଥରିଲା କଣ୍ଠର ମର୍ମସ୍ପର୍ଶୀ ସ୍ୱର।ଆଜି ଦିନସାରା ବହୁ ଲୋକ ଏହି ଚଳ ଚଞ୍ଚଳ ରାଜ ରାସ୍ତାରେ ଯାଉଛନ୍ତି, କିନ୍ତୁ ଏଥି ପ୍ରତି କାହାରି ନିଘା ନାହିଁ।ତେବେ ଶେଷ ସନ୍ଧ୍ୟାରେ ସତ୍ୟବ୍ରତ ସାହୁ ନାମକ ଜଣେ ସ୍ଥାନୀୟ ଯୁବକ ବୃଦ୍ଧଙ୍କୁ ଦେଖି ଏ ପ୍ରତିନିଧିକୁ ଖବର ଦେବାରୁ ଯେଉଁ ତାଙ୍କର ଯେଉଁ କରୁଣ କାହାଣୀର ବାସ୍ତବ କଥା ପଦାକୁ ଆସିଲା, ତାହା ଏମିତି।ଏହି ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର କାଶୀନ୍ଦିପୁର-ପଛାଲୋ ଗ୍ରାମ ମଳିକ ସହିର ରଘୁନାଥ ମଳିକ।ବୟସ ଥିବାବେଳେ ଘରେ ଥିବା ବଡ଼ପୁଅ ଘନଶ୍ୟାମ ସହ ଅନ୍ୟ ୪ ପୁଅ-ବୋହୁ ଓ ପତ୍ନୀ ତାଙ୍କ ମୂଲ ମଜୁରୀ ଟଙ୍କା ନେଇ ବେଶ ଆଦର ଯତ୍ନ କରୁଥିଲେ।ହେଲେ ବଳ ବୟସ ହଟିବା ପରେ ତାଙ୍କ ସହ ଝଗଡା କରି ଘରୁ କାଢି ଦେଲେ।ରଘୁନାଥ ଏ ବୟସରେ ଆଉ କଣ କରିବେ।ଦୀର୍ଘ ୨ ମାସ ହେବ ଏମିତି ମାଗି ଯାଚି ପେଟ ପୁରେଇବା ଭିତରେ ଏମିତି ରାତି ହେଲେ କେଉଁ କେବିନ ତଳ ନ ହେଲେ ଗଛ ମୂଳକୁ ଆଶ୍ରା କରିଆସୁଛନ୍ତି।ଏ କଥା ଶୁଣି ତାଙ୍କୁ ଯେତେ ବୁଝାଇଲେବି ସେ କେଉଁଆଡ଼େ ନ ଯାଇ ସେହି ଗଛ ମୂଳକୁ ଆଦରିବା ଜିଦରେ ଅଟଳ ରହିଲେ।ଏଣୁ ବାଧ୍ୟ ହୋଇ ଏ ପ୍ରତିନିଧି ତାଙ୍କର ସରପଞ୍ଚ ଉତ୍ତମ ସେଠୀଙ୍କୁ ଫୋନ କରିବାରୁ ସେ ଏତେ ରାତିରେ ପ୍ରାୟ ୩୦ କିଲୋମିଟର ଦୂର ଗାଁରୁ ତାର ଦିନ ମଜୁରିଆ ପୁଅମାନେ ଗାଡି ରିଜରଭେସନ କରି ଯିବା ଅସମ୍ଭବ ବୋଲି କହି ସକାଳ ହେଲେ ଭଦ୍ରକ ଯାଇ ନେଇଆସିବେ ବୋଲି କହିଥିଲେ। ଫଳରେ ଏ ପ୍ରତିନିଧି ସ୍ଥାନୀୟ ଯୁବକଙ୍କୁ ରଘୁନାଥଙ୍କୁ କିଛି ଖାଇବାକୁ ଦେଇ ହେପାଯତରେ ରଖିବାକୁ କହି ଫେରିଥିଲା।ହେଲେ ଫେରିବା ରାସ୍ତାରେ ଭାବୁଥିଲା, ସତରେ ଏ ଦୁନିଆଁରେ ମଣିଷ ପଣିଆଁ କାହିଁକି ହଜିଗଲାଣି।