Odiapua.com

ଭତା ଅପେକ୍ଷାରେ ୨୫ ହଜାର ୫୨୩ ଆବେଦନକାରୀ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭତାକୁ ଅପେକ୍ଷା କରି ଜିଲାରେ ଏବେ ପଡିରହିଛନ୍ତି ୨୫ ହଜାର ୫୨୩ ଆବେଦନକାରୀ। ଏହି ଆବେଦନକାରୀମାନେ ସରକାରଙ୍କ ଭତା ନିର୍ଦ୍ଧାରିତ ବୟସରେ ପହଂଚିବା ପରେ ଗତବର୍ଷ ଠାରୁ ଚଳିତବର୍ଷ ମାର୍ଚ୍ଚ ମାସରୁ ଆବେଦନ କରିଚାଲିଛନ୍ତି। ଆବେଦନକାରୀମାନେ ଭତା ପାଇବା ଆଶାରେ ଦୈନନ୍ଦିନ ବ୍ଲକ୍ ଅଫିସ୍‌ରୁ ଆରମ୍ଭ କରି ଜିଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇ ଫେରିବାକୁ ପଡୁଛି। ନୂଆ ଭତା ବାବଦରେ ସରକାର ଅର୍ଥ ମଂଜୁର କରିନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବାର ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଏମାନଙ୍କ ମଧ୍ୟରେ ମଧୁବାବୁ ବାର୍ଦ୍ଧକ୍ୟ ଭତା ପାଇଁ ୨୦ ହଜାର ୯୦୮ ଆବେଦନକାରୀଙ୍କ ଦରଖାସ୍ତ ପଡିଥିବାବେଳେ ମଧୁବାବୁ ବିଧବା ଭତା ପାଇଁ ୧୨୬୫, ମଧୁବାବୁ ଭିନ୍ନକ୍ଷମ ଭତା ପାଇଁ ୧୭୭୭, ଅବିବାହିତଙ୍କ ସଂଖ୍ୟା ୧୫୦ ଓ ଛାଡପତ୍ର ମହିଳା ୩୮୩, ୬ ଜଣ କିନ୍ନର ଆବେଦନ କରିଛନ୍ତି। ସେହିପରି ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତା ପାଇଁ ୯୮୯ ଜଣ ଆବେଦନ କରିଥିବାବେଳେ ବିଧବା ଭତା ପାଇଁ ୩୩ ଜଣ ଓ ୧୨ ଜଣ ଭିନ୍ନକ୍ଷମ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ୮୦ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ଜିଲାରେ ୧୫ ହଜାର ୩୨୯ ଜଣଙ୍କୁ ୩୫୦୦ ଟଙ୍କା ଭତା ପ୍ରଦାନ କରାଯାଉଥିବାବେଳେ ଏବେ ଆହୁରି ଅପେକ୍ଷାରେ ଅଛନ୍ତି ଜିଲାର ୭ଟି ବ୍ଲକ୍‌ରେ ୭୧୮୪ ଜଣ। ଏମାନଙ୍କ ମଧ୍ୟରେ ବାର୍ଦ୍ଧକ୍ୟ ଭତା ପାଇଁ ୬୨୬୦ ଜଣ ଆବେଦନ କରିଥିବାବେଳେ ୮୦ ପ୍ରତିଶ୍ରତରୁ ଉର୍ଦ୍ଧ୍ୱ ୯୨୪ ଜଣ ଆବେଦନ କରିଛନ୍ତି। ଏହାପୂର୍ବରୁ ଜିଲାରେ ୧୫ ହଜାର ୩୨୯ ଜଣଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଭତା ପ୍ରଦାନ କରାଯାଉଛି। ଆବେଦନକାରୀଙ୍କ ମଧ୍ୟରେ ଭଦ୍ରକ ବ୍ଲକ୍‌ରେ ୮୬୪ ଜଣ, ବାସୁଦେବପୁର ବ୍ଲକ୍‌ରେ ୧୫୭୬, ଭଣ୍ଡାରିପୋଖରୀରେ ୧୦୫୦, ବନ୍ତରେ ୫୦୨, ଚାନ୍ଦବାଲିରେ ୧୨୬୯, ଚାନ୍ଦବାଲି ଏନଏସିରେ ୨୦୦, ଧାମନଗର ବ୍ଲକ୍‌ରେ ୬୭୯, ଧାମନଗର ଏନଏସିରେ ୫୬ ଓ ତିହିଡି ବ୍ଲକ୍‌ରେ ୯୮୮ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ଭତା ଅପେକ୍ଷାରେ ଅଛନ୍ତି। ସେହିଭଳି ମଧୁବାବୁ (ଏମ୍‌ବିପିୱାଇ) ଓ ଏନଏସ୍‌ଏ ଭତା ପାଇଁ ଅପେକ୍ଷାରତ ୨୪ ହଜାର ୭୦୦ ଆବେଦନକାରୀଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକ୍‌ରେ ୪୧୯୭, ପୌରପାଳିକାରେ ୫୨୬, ଭଦ୍ରକ ବ୍ଲକ୍‌ରେ ୨୯୪୬, ପୌରପାଳିକାରେ ୧୦୯୭, ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨୨୧୮, ବନ୍ତ ବ୍ଲକ୍‌ରେ ୨୯୩୧, ଚାନ୍ଦବାଲି ବ୍ଲକ୍ ୨୯୬୯, ଏନଏସିରେ ୩୧୭, ଧାମନଗର ବ୍ଲକ୍‌ରେ ୨୨୭୫, ଏନଏସିରେ ୨୨୩ ଓ ତିହିଡି ବ୍ଲକ୍‌ରେ ୫୦୦୬ ଜଣ ଆବେଦନକାରୀ ଭତାକୁ ଚାହିଁ ବସିଛନ୍ତି।