ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୂର୍ବତନ ବିଧାୟକଙ୍କ ସମ୍ପତିର ଅସ୍ୱାଭାବିକ ଅଭିବୃଦ୍ଧିକୁ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଚଳାଇଥିବା ତଦନ୍ତ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିଥିଲେ ମଧ୍ୟ ତାହାର ସଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନଥିବାରୁ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହେଉଥିବା ଅଭିଯୋଗ କରିଛି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି। ଆଜି ଆୟୋଜିତ ଏକ ପ୍ରେସ ସମ୍ମିଳନୀରେ ଦଳ ପକ୍ଷରୁ ଏହି ଦାବି ଉଠାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଇଡି, ଆୟକର ବିଭାଗ, ଅର୍ଥନୈତିକ ଅପରାଧ ଶାଖା ସମେତ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାମାନେ ଦୀର୍ଘ ସମୟ ଧରି ତଦନ୍ତ କରୁଥିଲେ ମଧ୍ୟ ତଦନ୍ତରେ ଅସ୍ୱାଭାବିକ ବିଳମ୍ବ ପରିଲକ୍ଷିତ ହେଉଛି। ଫଳରେ ତଦନ୍ତର ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ବଢ଼ିବାରେ ଲାଗିଛି। ତେଣୁ ସମସ୍ତ ତଦନ୍ତକାରୀ ସଂସ୍ଥା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ କାର୍ଯ୍ୟ ଶେଷ କରି ଯଦି କୌଣସି ଅନିୟମ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହା ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ସିପିଆଇ(ଏମ) ଦାବି କରିଛି। ପ୍ରେସ ସମ୍ମିଳନୀରେ ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ, ଜନପ୍ରତିନିଧି ଓ ରାଜନୈତିକ ବ୍ୟକ୍ତିତ୍ୱମାନଙ୍କ ଉପରେ ସମାଜର ଆସ୍ଥା ଓ ବିଶ୍ୱାସ ନିର୍ଭର କରେ। ସେମାନେ ଯଦି ସ୍ୱଚ୍ଛ, ସଚ୍ଚୋଟ ଓ ଉଚ୍ଚ ନୈତିକ ମୂଲ୍ୟବୋଧ ବଜାୟ ରଖିବାରେ ବିଫଳ ହୁଅନ୍ତି, ତେବେ ରାଜନୀତି ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ କ୍ଷୀଣ ହେବା ସହ ସାମାଜିକ ଅଧୋପତନର ଆଶଙ୍କା ମଧ୍ୟ ବଢ଼ିଥାଏ। ଏହି ପରିସ୍ଥିତିରେ ସ୍ୱଚ୍ଛ ଓ ମୂଲ୍ୟବୋଧ ଭତିକ ରାଜନୈତିକ ସଂସ୍କୃତି ଗଢ଼ି ତୋଳିବା ପାଇଁ ଏକ ପ୍ରଗତିଶୀଳ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସିପିଆଇ(ଏମ) ମତ ପ୍ରକାଶ କରିଛି। ଏହି ପ୍ରେସ ସମ୍ମିଳନୀରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଏହାର ଫଳାଫଳ ଶୀଘ୍ର ସାର୍ବଜନୀନ କରିବାକୁ ଦାବି କରିଛନ୍ତି।