Odiapua.com

ଭଣ୍ଡାରିପୋଖରୀ ସିଏଚସିକୁ ବିବିଧ ସଫଳତା ପୁରସ୍କାର

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁବିଧ ପୁରସ୍କାର ହାସଲ କରିବାରେ ସମର୍ଥ ହୋଇଛି। ଗତକାଲି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଆଦି ସମାବେଶରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ‘ଇ ସଞ୍ଜବନୀ’ ପ୍ରଥମ ପୁରସ୍କାର, ‘ଆଭା ଆଇଡି ସୃଷ୍ଟି’ରେ ଦ୍ୱିତୀୟ ପୁରସ୍କାର, ‘ଉତ୍ତମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର’ରେ ଦ୍ୱିତୀୟ ପୁରସ୍କାର ହାସଲ କରିଥିବା ଜଣାଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ପ୍ରମୁଖ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ, ବିପିଏମ ରଶ୍ମିରେଖା ପୃଷ୍ଟି, ଅର୍ଥ ପରିଚାଳକ ରଞ୍ଜିତ ବରାଳ, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ସର୍ବୋତ୍ତମ ‘ଅଶା’ ପୁରସ୍କାର ସାବିତ୍ରୀ ସେଠୀ, ଉତ୍ତମ ଗାଁ କଲ୍ୟାଣ ସମିତି ପୁରସ୍କାର ଉତ୍ତରବାଡକୁ ପ୍ରଦାନ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୩ ଥର ସର୍ବୋତ୍ତମ କାୟାକଳ୍ପ ପୁରସ୍କାର ସହ ମଞ୍ଜୁରୀରୋଡ, ବାରିକପୁର ଓ ମଞ୍ଜୁରୀ ପ୍ରାତମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ସର୍ବଶେଷ୍ଠ କାୟାକଳ୍ପ ପୁରସ୍କାରପ୍ରାପ୍ତ ହୋଇଛନ୍ତି। ଏହି ପୁରସ୍କାର ହାସଲ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କୁ ରୋଗୀ ସେବା ପାଇଁ ଉତ୍ସାହ ମିଳିପାରିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି।