Odiapua.com

ଭଣ୍ଡାରିପୋଖରୀ – ରାସ ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀର ପୁରପଲ୍ଲୀରେ ରାସ ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ପାଳନ କରାଯାଇଛି। ଚନ୍ଦ୍ରଗ୍ରହଣ ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବୈତରଣୀ ନଦୀ, ରେବ, କପାଳୀ, ନୂଆନଈ, ପୁଷ୍କରିଣୀ ଆଦି ଜଳଉତ୍ସ ଗୁଡିକରେ ଆବାଳବୃଦ୍ଧବନିତା ପବିତ୍ର ବୁଡ ପକାଇ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ କଦଳୀ ପଟୁଆ ବା ସୋଲ ନିର୍ମିତ ଡଙ୍ଗା ବନ୍ଦାପନା କରିବା ପରେ ଏହାକୁ ଭସାଇ ଆ-କା-ମା-ବୈ… ଉଚ୍ଚାରଣ କରିଥିଲେ। ଝିଅବୋହୂମାନେ ତୁଳସୀ ଚଉରା ସମ୍ମୁଖରେ ମୁରୁଜରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଚିତ୍ର ଆଙ୍କି ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ଦେବାଳୟରେ ହବିଷ୍ୟାଳିମାନେ ଆଜିର ହବିଷ ଭୋଜନକରି ପ୍ରଭୁ କୃପା ଲାଭ କରିଥିଲେ। ଭକ୍ତମାନେ ସାରାଦିନ ଭଜନ କିର୍ତ୍ତନରେ ଦେବାଳୟରେ ସମୟ ଅତିବାହିତ କରିଥିଲେ। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଛି। ସାତସୋଳା, କୁଲଣା, ମଞ୍ଜୁରୀରୋଡ ଜଗନ୍ନାଥ ମନ୍ଦିର, ଭଣ୍ଡାରିପୋଖରୀ ଶ୍ରୀରାମଦୟା ପରିଷଦ ଆନୁକୂଲ୍ୟରେ ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ, ମଣିନାଥପୁର ମା’ ଜାଗୁଳାଇ ପୀଠସ୍ଥିତ ବାବାବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଦଶମ ସାମ୍ବତ୍ସରିକ ମାନସ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଥିବା ବେଳେ ରାଢ଼ୋର ବିଶ୍ୱେଶ୍ୱର ମନ୍ଦିର ଠାରେ ୧୦ ଦିନ ବ୍ୟାପି ପଞ୍ଚମ ଖଣ୍ଡ ଶିବପୁରାଣ ପାଠ ଓ ରହଣିଆର ମା’ମଙ୍ଗଳପୀଠ ଓ କଚେରୀ ସାହି ଠାରେ ନବନିର୍ମିତ ମହାଦେବ ପୀଠରେ ଶିବପୁରାଣ ପାଠ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଜଗନ୍ନାଥପ୍ରସାଦରେ ରାହାସ ଉତ୍ସବ ଅବସରରେ କୁଞ୍ଜ ନିର୍ମାଣ କରାଯାଇ ଉତ୍ସବ ପାଳନ କରାଯାଉଛି। ଏତଦ୍‌ବ୍ୟତୀତ ମାଳଦାର ଧବଳେଶ୍ୱର ମନ୍ଦିର, ବନ୍ଦାଳୋ, ବିଶୋଳ ଆଦି ବିଭିନ୍ନ ଗ୍ରାମରେ ଥିବା ଶିବମନ୍ଦିର ଠାରେ ଗୁରୁବାର ବଡ଼ଓଷା ଅବସରରେ ଶିବପୂଜା ଅନୁଷ୍ଠିତ ହେବା ସହ ଭଜନ କିର୍ତ୍ତନର ଆୟାଜନ କରାଯାଇଛି। ରାଜେନ୍ଦ୍ରପୁରସ୍ଥିତ ଗିରିଗୋବର୍ଦ୍ଧନ ମଠ ଓ ମୁଢ଼ାପଦାସ୍ଥିତ ମହାବୀର ମନ୍ଦିରରେ ନାମସଙ୍କିର୍ତ୍ତନ ସହ ଭଜନକିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।