Odiapua.com

ଭଣ୍ଡାରିପୋଖରୀ ବ୍ଲକ୍‌ରେ ଅଙ୍ଗନବାଡ଼ି, ବିଦ୍ୟାଳୟରେ ଖାଦ୍ୟର ମାନ ଯାଞ୍ଚକଲେ ଖାଦ୍ୟ ଆୟୋଗ ସଦସ୍ୟ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁଙ୍କ ନିର୍ଦ୍ଦଶ କ୍ରମେ ଆୟୋଗ ସଦସ୍ୟ ଦୟାନିଧି ଦାଶ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଅଚାନକ ପରିଦର୍ଶନ କରି ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ । ମାନ୍ୟବର ସଦସ୍ୟ ଭଣ୍ଡାରିପୋଖରୀ ବ୍ଲକ୍‌ର ରାଜେନ୍ଦ୍ରପୁର, ଶାସନ କହରାପୋଖରୀ, ରାମଚନ୍ଦ୍ରପୁର, ବିଶୋଳ, ବିଶୋଳ-୧ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । ପୋଷଣ ଆପ୍‌ରେ ଶିଶୁମାନଙ୍କର ଓଜନ ଓ ମାପ ଅପ୍‌ଡ଼େଟ୍ କରାଯାଇଥିବାରୁ ମାନ୍ୟବର ସଦସ୍ୟ ସନ୍ତୋଷ ପ୍ରକଟ କରିଥିଲେ । ସକାଳେ ଭଦ୍ରକ ବ୍ଲକ ବହୁଦରଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସହ ବହୁ ଦରଡ଼ା ନୋଡ଼ାଲ ହାଇସ୍କୁଲରେ ୫-ଟି ରୂପାନ୍ତରୀତ କାର୍ଯ୍ୟ ନେଇ ଆନନ୍ଦ ପ୍ରକାଶ କରିଥିଲେ । ସେହିପରି ମାନ୍ୟବର ସଦସ୍ୟ ରାଜେନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶାସନ କହରାପୋଖରୀ ପ୍ରାଇମେରୀ ସ୍କୁଲ, ମୁରଲୀଧର ସରକାରୀ ଉ.ପ୍ରା. ବିଦ୍ୟାଳୟ, ବିଶୋଳ କୁଲଣା ମୈତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଗିରିଧାରୀ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ । ୫-ଟି ଅଧୀନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ମାନ୍ୟବର ସଦସ୍ୟ ନିଜର ଖୁସିବ୍ୟକ୍ତ କରିଥିଲେ । ଆଜି ସକାଳେ ମାନ୍ୟବର ସଦସ୍ୟ ଜିଲ୍ଲାପାଳ ଡା. ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହ, ପିଡ଼ିଏସ୍ ବ୍ୟବସ୍ଥା ଅଙ୍ଗନବାଡ଼ି ଏବଂ ମଧ୍ୟାହ୍ନ ଭୋଜନ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।