Odiapua.com

ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ, କୃଷି, ଜୀବନ ଜୀବିକା, ରାସ୍ତା, ସ୍ୱାସ୍ଥ୍ୟ ଉପରେ ଫୋକସ୍

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ଯୋଜନା ଓ ପରିଚାଳନା ୟୁନିଟ୍‌ର ଯୁଗ୍ମ ନିର୍ଦ୍ଦେଶକ ମହେଶ ସ୍ୱାଇଁ, ସି.ଡ଼ି.ଏମ୍‌.ଓ. ଡା. ସନ୍ତୋଷ କୁମାର ପାତ୍ର, ବନ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଏପିଡ଼ି ଏମ୍‌.ଆଇ.ଏସ୍‌. ପ୍ରହ୍ଲାଦ ରଣା ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ୍ ସର୍କୁଲାର-୪୭ ର କାର୍ଯ୍ୟାନ୍ୱୟନ ନେଇ ଜନପ୍ରତିନିଧି ମାନଙ୍କ ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ଉତ୍ତର ଦାୟୀତ୍ୱ ସମ୍ବନ୍ଧରେ ସଚେତନତା ମୂଳକ ଆଲୋଚନାରୁ ସଭାପତିଙ୍କ ଦ୍ୱାରା ଏହି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୯ଟି ବିଭାଗ ଦ୍ୱାରା ଉକ୍ତ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା, ପ୍ରଗତି, ସଫଳତା ଓ ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କୃଷି, ଉଦ୍ୟାନକୃଷି, ପ୍ରାଣୀସମ୍ପଦ, ଜଙ୍ଗଲ ଓ ପରିବେଶ, ଜଳସେଚନ, ରାସ୍ତାଘାଟ, ଡ଼୍ରେନ, ମିଶନ୍ ଶକ୍ତି, ରେସନ୍ କାର୍ଡ଼, ଭତ୍ତା, ପାନୀୟଜଳ ଯୋଗାଣ, ଶିଳ୍ପ ଆଦି ସମ୍ବନ୍ଧରେ ସମୀକ୍ଷା କରାଯାଇ ଆବଶ୍ୟକ ମତେ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ନିକଟ ଅତୀତରେ ବନ୍ତ ବ୍ଲକ୍‌ର ରାଜସ୍ୱ ଗ୍ରାମ ଆପଣ୍ଡା ଓ କେଉଁଝର ର ଓରାଳି ମଧ୍ୟରେ ସୀମାବିବାଦକୁ ନେଇ ଘଟିଥିବା ଘଟଣା ସମ୍ବନ୍ଧରେ ଆଲୋଚନା କରାଯାଇ ଆପଣ୍ଡାରେ ପୋଲିସ୍ ବିଭାଗ ତରଫରୁ ଗୋଟିଏ ଆଉଟ୍‌ପୋଷ୍ଟ ବା ଅତିକମ୍‌ରେ ଗୋଟିଏ ବିଟ୍ ହାଉସ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସୀମା ବିବାଦ ପରିପ୍ରେକ୍ଷୀରେ ମୂଳ ରାଜସ୍ୱ ଗ୍ରାମ ଅଳଉତିରୁ ଗଠିତ ହୋଇଥିବା ନୂଆ ରାଜସ୍ୱ ଗ୍ରାମ ଡ଼ିହସାହି ମଧ୍ୟରେ ଥିବା ସୀମା ବିବାଦକୁ ଆପୋଷ ଆଲୋଚନା ମତେ ସମାଧାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ।

ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ପ୍ରତି ଆକର୍ଷିତ ହୋଇ ଘରୋଇ ସ୍କୁଲରୁ ପିଲାଙ୍କ ପ୍ରତ୍ୟାବର୍ତ୍ତନ ଓ ଆଗାମୀ ଦିନରେ ସରକାରୀ ସ୍କୁଲରେ ଅଧିକାଂଶ ପିଲାଙ୍କ ଅଧ୍ୟୟନ ସମ୍ଭାବନା ଦେଖାଦେଇଥିବାରୁ ପିଲା ସଂଖ୍ୟା କମ୍ ଯୋଗୁଁ ବନ୍ଦ ହୋଇଯାଇଥିବା ସ୍କୁଲ ଗୁଡ଼ିକୁ ପୁନଃ ଖୋଲିବା ପାଇଁ ପ୍ରସ୍ତାବ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ବାଚନ ମଣ୍ଡଳୀର ୭ଟି ସ୍କୁଲ ପୁନଃ ଖୋଲାଯିବା ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ । ଜଣିକିଆ ଶିକ୍ଷକଥିବା ସ୍କୁଲ ପ୍ରତି ଧ୍ୟାନ ଦିଆଯାଇ ଅତିକମ୍‌ରେ ୨ ଜଣ ଶିକ୍ଷକ ଦିଆଯାଉ ବୋଲି ଆଲୋଚନା କରାଯାଇଥିଲା । ବନ୍ତ ଡାକ୍ତରଖାନାକୁ ତୁରନ୍ତ ଡାକ୍ତର ପ୍ରେରଣ ପାଇଁ ସି.ଡ଼ି.ଏମ୍ ଓଙ୍କୁ କୁହାଯାଇଥିଲା । କୃଷକ ମାନଙ୍କ ଆୟ ଦୁଇଗଣ କରାଯିବା ଆଭିମୁଖ୍ୟ ପୂରଣ ପାଇଁ ଅଣଧାନ କୃଷି ଯୋଜନାରେ ମୁଗ, ସୂର୍ଯ୍ୟମୁଖୀ ଓ ସମନ୍ୱିତ କୃଷି ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମଧ୍ୟ ପ୍ରଚଳିତ ବିଭିନ୍ନ ଯୋଜନା ଜରିଆରେ କିପରି ଚାଷୀମାନଙ୍କର ରୋଜଗାର ବଢ଼ାଇବା ଦିଗରେ ପଦକ୍ଷେପ ନିଆଯାଇଛି ପ୍ରକାଶ କରାଯାଇଥିଲା । ଡ଼୍ରେନ ଉପରେ ଜବରଦଖଲ ଓ ନିର୍ମାଣ ଜନିତ ଅବରୋଧକୁ ଉଚ୍ଛେଦ କରାଯିବା ସହିତ ସରମରା, କାଦବରାଙ୍ଗ, ବସନ୍ତିଆ ଭଳି ଜାଗାରେ ରାସ୍ତାରେ ବର୍ଷାଦିନେ ଜମୁଥିବା ପାଣି ନିଷ୍କାସନ ପାଇଁ ଡ଼୍ରେନ ନିର୍ମାଣ ବିଷୟରେ ଆଲୋଚନା କରାଯାଇଥିଲା । ୨୦୨୩ ସୁଦ୍ଧା ସହରାଞ୍ଚଳ ଓ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ପ୍ରତି ଘରେ ପାଇପପାଣି ପହଞ୍ଚାଇବା ନେଇ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀତା ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନେଇ ଉଠା ଜଳସେଚନ, କାଡ଼ାନାଳ ଦ୍ୱାରା ଜଳସେଚନ, ନଦୀଦ୍ୱାରା ଜଳସେଚନ ସମ୍ବନ୍ଧରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଓ ସମସ୍ୟା ଆଧାରରେ ଆଲୋଚନା କରାଯାଇଥିଲା । ମିଶନ୍ ଶକ୍ତି ଯୋଜନାରେ ମହିଳା ଗୋଷ୍ଠୀମାନଙ୍କ ସଶକ୍ତି କରଣ ପାଇଁ ଆର୍ଥିକ ସହାୟତା ଓ ଜୀବନ ଜୀବିକା ନେଇ ବିଭିନ୍ନ କ୍ଷେତ୍ରରେ ସଫଳତା ସମ୍ବନ୍ଧରେ ବିଷଦ ଆଲୋକପାତ କରାଯାଇଥିଲା । ଶିଳ୍ପର ବିକାଶ ପାଇଁ ଅଦ୍ୟାବଧି ନିଆଯାଇଥିବା ଓ ଆଗକୁ ନେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଆଗରପଡ଼ାରେ ହାତୀ ସମସ୍ୟା ଓ ତଦ୍‌ଜନିତ କ୍ଷତିପୂରଣ ପ୍ରଦାନ ନେଇ ସରକାରୀ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବା ସହିତ ରାସ୍ତା ତିଆରି ବେଳେ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛ ନଷ୍ଟ ହେଉଥିବାରୁ ଆଗାମୀ ଦିନରେ ସେ ସମସ୍ୟାକୁ ଦୂର କରିବା ପାଇଁ ଏବେ ର ନୂତନ ରାସ୍ତା ର ଯଥା ସମ୍ଭବ ଦୂରରେ ବୃକ୍ଷରୋପଣ କରାଯିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା ।