ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରୁ ସାମୁଦ୍ରିକ ବାତ୍ୟା ‘ୟସ’ ପ୍ରଭାବରେ ତୁହାକୁ ତୁହା ବର୍ଷା ସହ ପବନ ବହିବାରେ ଲାଗିଛି । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନର ପୂର୍ବ ପ୍ରସ୍ତୁତି ଚୁଡାନ୍ତ ସ୍ତରରେ ପହଞ୍ôଚଛି । ପ୍ରତ୍ୟେକଟି ଜୀବନକୁ ସୁରକ୍ଷା ଦେବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି । ବିଡିଓ ବିଜୟ କୁମାର ସାହୁ ଓ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ମିଳିତ ସଂଯୋଜନାରେ କ୍ଷେତ୍ରୀୟ ପ୍ରସ୍ତୁତି ହୋଇଛି । କଚ୍ଚା ଓ ମାଟି ଘରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ନିଶ୍ଚିତ ଭାବେ ଆଶ୍ରୟସ୍ଥଳୀକୁ ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କ ସହାୟତାରେ ଆଣିବାକୁ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ ଜଣେ ପଞ୍ଚାୟତସ୍ତରୀୟ ନୋଡାଲ ଅଫିସର ଓ ବ୍ଲକସ୍ତରରେ ଅତିରିକ୍ତ ବିଡିଓ ଶ୍ୟାମଳେନ୍ଦୁ ନାୟକଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏଥିପାଇଁ ବ୍ଲକର ଷୋଳମପୁର ପଞ୍ଚାୟତର ମଣିନାଥପୁର, ମାଳଦା ପଞ୍ଚାୟତର ଜଳହରୀ ଓ ବନ୍ଦାଳୋ-ମଢିଆଳି ପଞ୍ଚାୟତର ବନ୍ଦାଳୋ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ସମେତ ବ୍ଲକ ସମସ୍ତ ୨୩ଟି ଯାକ ପଞ୍ଚାୟତରେ ମୋଟ ୯୫ଟି ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ କରାଯାଇଛି । ଏହା ଅତିରିକ୍ତ ଆହୁରି ୬ଟି ବିଦ୍ୟାଳୟକୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ଔଷଧ, ଲାଇଟ, ଜେନେରେଟର, ପରିମଳ ବ୍ୟବସ୍ଥା ସହ କୋଭିଡ କଟକଣା ପାଳନ କରିବାକୁ ବ୍ୟବସ୍ଥା କରାଯାଇଛି । ଆଜି ଏଥିପାଇଁ ବ୍ୟାପକ ଭାବେ ମାଇକ ପ୍ରଚାର କରାଯାଉଥବା ବେଳେ ଆସନ୍ତାକାଲି କଚ୍ଚା ଓ ମାଟି ଘର ବାସିନ୍ଦାକୁ ସରପଞ୍ଚଙ୍କ ସୂଚନା କ୍ରମେ ଆଶ୍ରୟସ୍ଥଳକୁ ଆଣିବାକୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡଓ ଶ୍ରୀ ସାହୁ ଓ ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ସ୍ଥାନୀୟ ଦମକଳକେନ୍ଦ୍ର ଅଧିକାରୀ ରମାକାନ୍ତ ମଳ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ ମେସିନ କଟର, ମେସିନ ବୋଟ ଓ ଆସ୍କାଲାଇଟ ସହ ପ୍ରସ୍ତୁତ ହୋଇ ରହିଛନ୍ତି । ସମଗ୍ର ବ୍ଲକ ଅଞ୍ଚଳ ସମେତ ପାଶ୍ୱର୍ବର୍ତ୍ତି ବ୍ଳକ ଅଞ୍ଚଳକୁ ମଧ୍ୟ ଜରୁରୀ ପରିସ୍ଥିତିର ସେବା ଯୋଗାଇବାକୁ ଦମକଳକେନ୍ଦ୍ର କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ସେହିପରି ମେଡିକାଲ ପକ୍ଷରୁ ମଣିନାଥପୁର, ମାଳଦା, ରଘୁନାଥପୁର ଓ ବନ୍ଦାଳୋ ଅସ୍ଥାୟୀ ମେଡିକାଲ ରିଲିଫ କେନ୍ଦ୍ରରେ ଜରୁରୀକାଳୀନ ଔଷଧ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀଙ୍କ ସମେତ ନର୍ସ ଓ ଡାକ୍ତରଙ୍କୁ ମୁତୟନ କରାଯାଇଛି । ବ୍ଲକର ଛଅଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସିଏଚସି ମେଡିକାଲରେ ଔଷଧ, ଡାକ୍ତର ଦଳ, ୨୪ଘଣ୍ଟା ଆଲୋକ ଯୋଗାଣ ବ୍ୟବସ୍ଥା ସହ ଚିକିତ୍ସା ସେବା ଯୋଗାଇବାକୁ ପ୍ରସ୍ତୁତ କରାଯାଇଛି ବୋଲି ମେଡିକାଲ ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି । ବିଦ୍ୟୁତ ବିଭାଗ ପକ୍ଷରୁ ଦୁର୍ବଳ ଥିବା ଖୁଣ୍ଟ ଓ ତାରକୁ ବଦଳାଯାଇଛି । ବାତ୍ୟା ପରେ ତୁରନ୍ତ ଶକ୍ତିଯୋଗାଣକୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ କରାଯାଇଛି ବୋଲି କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ ସୂଚନା ଦେଇଛନ୍ତି ।