Odiapua.com

ଭଣ୍ଡାରିପୋଖରୀ – ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ୪ ଦ୍ୱାର ଖୋଳିବା ଦାବିରେ କଂଗ୍ରେସର ସଙ୍କିର୍ତ୍ତନ ସତ୍ୟାଗ୍ରହ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୁରାଢିଆପଦା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗୁରୁବାର ସଙ୍କିର୍ତ୍ତନ ସତ୍ୟାଗ୍ରହ ହୋଇଯାଇଛି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରାନଯିବା, ସର୍ବୋଚ୍ଚ ନ୍ୟାୟାଳୟର ପ୍ରତିକୂଳ ଆଦେଶ ସତ୍ତ୍ୱେ ବେଦାନ୍ତ ଆଲୁମିନା କମ୍ପାନୀ ଠାରୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ବିପୁଳ ଜମିକୁ ଫେରସ୍ତ ଅଣାନଯିବା, ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଚାଷୀଙ୍କ ଜମିକୁ ଫେରସ୍ତ ଦିଆନଯିବା ଓ ରତ୍ନଭଣ୍ଡାରକୁ ଖେଲାନଯିବା ଆଦି ଦାବି ପୂରଣ ପାଇଁ ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଙ୍କିର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା । ଦଳର ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସତ୍ୟାଗ୍ରହ ପୂର୍ବରୁ ସାମୁହିକ ଦୀପଦାନ କରାଯାଇଥିଲା । ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସଙ୍କିର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା ।

ଏଥିରେ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ଯୋଗଦେଇ ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ନ୍ୟସ୍ତସ୍ୱାର୍ଥ ପାଇଁ ବେଦାନ୍ତ କମ୍ପାନୀଙ୍କୁ ଯେଉଁ ଜମି ଟେକିଦେଇଥିଲେ ତାହାକୁ କୋର୍ଟ ଆଦେଶ ପରେ ବି ଫେରାଇ ଆଣୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ୪ ଦ୍ୱାର କେବେ ଖୋଲିବେ ବୋଲି ସେ ମଧ୍ୟ ପ୍ରଶ୍ନ କରିଥିଲେ । ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ଓ ଭଣତି କରିବାକୁ ସେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ସବିତା ଚନ୍ଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ବରିଷ୍ଠ ନେତା ଗୋଲକ ବେହେରା, ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ବିଜୟ ସ୍ୱାଇଁ, ବିଜୟ ଶଙ୍କର ମହାନ୍ତି, ଗଣେଷ ଭାରତୀ, ସୁବୋଧ ସାମଲ, ଶ୍ୟାମସୁନ୍ଦର ମହାପାତ୍ର ଓ ନାରାୟଣ ଚନ୍ଦ୍ର ଘଡେଇ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ନୀଳମଣି ପଣ୍ଡା, କାଳିଆ ସାହୁ, ଅର୍ଜ୍ଜୁନ ଚରଣ ସାହୁ ପ୍ରମୁଖ ସତ୍ୟାଗ୍ରହ ପରିଚାଳନା କରିଥିଲେ ।