Odiapua.com

ଭଣ୍ଡାରିପୋଖରୀ-ପାଟୁଳି ରାସ୍ତା ପୁନଃନିର୍ମାଣ, ଅହେତୁକ ବିଳମ୍ବ ଅଭିଯୋଗ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ମେଡିକାଲ ଠାରୁ ପାଟୁଳିକୁ ସଂଯୋଗକାରୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ପୁନଃନିର୍ମାଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଜନଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ମେଡିକାଲ ଛକ ଠାରୁ ପାଟୁଳି ଗ୍ରାମ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ୭ କିଲୋ ମିଟର ଦୈଘ୍ୟ ବିଶିଷ୍ଟ ଏହି ରାସ୍ତା ପୁନଃ ନିର୍ମାଣ ପାଇଁ ୫ କୋଟି ୬୩ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଏକ ବର୍ଷ ସମୟସୀମା ଧାର୍ଯ୍ୟ କରାଯାଇ ୨୦୨୨ ନଭେମ୍ବର ୧୪ ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ଚୁକ୍ତି ହୋଇଥିଲା । ଧାର୍ଯ୍ୟ ସମୟସୀମା ପୂରଣକୁ ୧ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ରାସ୍ତାର ବହୁଅଂଶ ନିର୍ମାଣ ବାକି ରହିଛି । ପୁନଃ ନିର୍ମାଣ ଆଳରେ ଠିକାଦାର ରାସ୍ତାକୁ ଅଗମ୍ୟ କରିଦେଇଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ବୋଲି ପାଟୁଳି ଅଞ୍ଚଳର ଧରଣୀଧର ଜେନା, ଅଭୟ କୁମାର ବେହେରା, ଅଶୋକ ଦାସ, ବଟକୃଷ୍ଣ ଦାସ, ଉମାକାନ୍ତ ଜେନା, ହୃଷିକେଶ ଯେନା, ସନ୍ତୋଷ ମୁଣ୍ଡା, ପଦନ ମୁଣ୍ଡା, ସନାତନ ମୁଣ୍ଡା, ଗଙ୍ଗାଧର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି । ବିଶେଷ କରି ରାତ୍ର ସମୟରେ ଯାତାୟତ ବେଳେ ପଥିକ ଓ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କ ଉଦାସୀନତାର ସୁଯୋଗ ନେଇ ଠିକାଦାର ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । ନିର୍ମାଣ ଠାରୁ ବର୍ଷ ୱାରୀ ରକ୍ଷଣାବେକ୍ଷଣ ବ୍ୟୟବରାଦ ମଧ୍ୟ ସଂପୃକ୍ତ ଠିକାଦାର ଉପରେ ନ୍ୟସ୍ତ କରାଯାଇଛି । ରାସ୍ତା ନିର୍ମାଣ ସମ୍ପୁର୍ଣ୍ଣ ହୋଇନଥିବା ବେଳେ ୨୦୨୨-୨୩ ବର୍ଷ ପାଇଁ ବ୍ୟବବରାଦ ହୋଇଥିବା ୪ଲକ୍ଷ ୬୩ ହଜାର ଟଙ୍କା କ’ଣ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣକୁ ତୁରନ୍ତ ସାରିବାକୁ ଦାବି ହୋଇଛି । ଏଥିନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।