Odiapua.com

ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ବୈଠକ; ଯୋଜନା ରୂପାୟନରେ ଦୁର୍ନୀତି ବାଧକ ଅଭିଯୋଗ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ପଞ୍ଚାୟତ ସମିତିର ୧୪ତମ ବୈଠକ ବୁଧବାର ଦିନ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଭିନ୍ନ ଉନ୍ନୟନମୂଳକ ଯୋଜନା ରୂପାୟନରେ ଦୁର୍ନୀତି ବାଧକ ହୋଇଥିବାରୁ ନୈରାଶ୍ୟ ପ୍ରକାଶ ଯାଇଛି । ବ୍ଲକକୁ ଆସୁଥିବା ଉନ୍ନୟନମୂଳକ ପାଣ୍ଠିର ବ୍ୟୟବରାଦ ସମ୍ପର୍କରେ ଅଧିକାଂଶ ସରପଞ୍ଚ ଓ ସମିତି ସଦସ୍ୟଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ । ଅନେକ ସରପଞ୍ଚ ଓ ସମିତି ସଦସ୍ୟ ବୈଠକରେ ଏଥିନେଇ ଆପତ୍ତି ଜଣାଇବା ସହ ‘ମୋ ଉପକାରୀ ବଗିଚା ଓ ରାସନକାର୍ଡ’ ପ୍ରସଙ୍ଗରେ ବିଭାଗୀୟ ଅଧକାରୀଙ୍କ ମନମାନୀକୁ ମଧ୍ୟ ସମାଲୋଚନା କରିଥିଲେ । ବ୍ଲକରେ ସମିତି ସଦସ୍ୟମାନଙ୍କୁ ନେଇ ଗଠିତ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ ବସୁନଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଓ ବନ୍ୟା ସମୟରେ ବ୍ଲକର ବୈତରଣୀ ନଦୀଦ୍ୱାରା ପ୍ରଭାବିତ ଅଞ୍ଚଳ ବ୍ୟତୀତ ରେବ ଓ କପାଳି ନଦୀ ଦ୍ୱାରା ସୃଷ୍ଟ ଜଳମଣ୍ଡୁଆ, ନଗୁଆ, ନିର୍ଗୁଣ୍ଡି ଓ ବିଷ୍ଣୁପୁର ପଞ୍ଚାୟତର ବନ୍ୟାକ୍ଷତିଗ୍ରସ୍ତଙ୍କୁ ମଧ୍ୟ ରିଲିଫ ପ୍ରଦାନ ପାଇଁ ସରପଞ୍ଚ ଜଗବନ୍ଧୁ ଦାସ ଆପତ୍ତି ଉଠାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୃହନିର୍ମାଣ ସାରି ପ୍ରେତ୍ସାହନ ରାଶି ପାଇ ସାରିଥିବା ହିତାଧିକାରୀମାନଙ୍କୁ ଯୋଜନା ଅନ୍ତର୍ଭୁକ୍ତ ମନରେଗା ଯୋଜନାର ଶ୍ରମିକ ମଜୁରୀ ଅର୍ଥ ମିଳିନଥିବା ନେଇ ଅଭିଯୋଗ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଓ ରାସନ କାର୍ଡ ପାଇଁ ହିତାଧିକାରୀ ଚୟନରେ ଦୁର୍ନୀତି ହେଉଥିବା ନେଇ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ଜଗବନ୍ଧୁ ଦାସ, ବିଜୟ ଶଙ୍କର ମହାନ୍ତି ପ୍ରମୁଖ ଆପତ୍ତି ଉଠାଇ ଅସନ୍ତୋଷ ପ୍ରକାଶ କରିଥିଲେ । କୋଭିଡ ପରିଚାଳନା ପାଊଣା ପଞ୍ଚାୟତକୁ ପ୍ରଦାନ କରାଯାଇନଥିବା ସମ୍ପର୍କରେ ସରପଞ୍ଚ ବିଜୟ କୁମାର ସ୍ୱାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଖରିଫ ଧାନ କ୍ରୟ ବ୍ୟବସ୍ଥା, ମୋ ବଗିଚା, ମୋ ଗୁହାଳ ପ୍ରସଙ୍ଗରେ ମଧ୍ୟ କେତେକ ସଭ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଅନୁପସ୍ଥିତି ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଅସହଯୋଗ ନେଇ କେତେକ ସଭ୍ୟମାନଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । କୋଭିଡ ଯୋଗୁଁ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବିଡିଓ ସଫେଇ ଦେବା ସହ ଜାନୁୟାରୀ ମାସରୁ କାର୍ଯ୍ୟନ୍ୱୟନ ପାଇଁ ଗୁରୁତ୍ୱ ଦେବାକୁ କହିଥିଲେ । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବତ ଦାସ, ବିଡିଓ ବିଜୟ ସାହୁ, ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ, ମୀନକେତନ ବାରିକଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଦସ୍ୟ, ଜିଲ୍ଲାପରିଷଦ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।