ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ଦ୍ୱିତୀୟ ସୋମବାରରେ ଭଣ୍ଡାରିପୋଖରୀ ବ୍ଲକ୍ରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୪୩ଟି ଅଭିଯୋଗ ଶୁଣିଥିଲେ । ସେଥିମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ସଂଖ୍ୟା ୩୮ ଓ ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ସଂଖ୍ୟା ୫ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ରୁ ଧାମନଗର ବ୍ଲକ୍ର ଜାହାଙ୍ଗୀର ଅଞ୍ଚଳର ଦୃଷ୍ଟିବାଧିତ ସୌଭାଗ୍ୟ ସେଠୀ, ପିତା ବିନୋଦ ସେଠୀଙ୍କୁ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଭଣ୍ଡାରିପୋଖରୀର ବାୟାବନାପୁରର ବିଜୟ ଜେନାଙ୍କୁ ଚିକିତ୍ସା ସହାୟତା ବାବଦ ରେଡ୍କ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ବି.ଡି.ଓ. ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତି ରହି ଅଭିଯୋଗ ସମାଧାନ ଦିଗରେ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ସୂଚନା ପ୍ରଦାନ କରିଥିଲେ । ଆଗତ ଅଭିଯୋଗ ସବୁର ସମାଧାନ ପାଇଁ ନିୟମାନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଶିବିରରେ ସାମାଜିକ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ହ୍ୱିଲ୍ଚେୟାର ୪ଟି, ତିନିଚକିଆ ସାଇକେଲ୍ ୨ଟି, ଦୃଷ୍ଟିବାଧିତ ବାଡ଼ି-୧ଟି, ଏଲ୍ବୋ ଷ୍ଟିକ୍-୧ଟି, ଶ୍ରବଣ ଯନ୍ତ୍ର-୨ଟି ବଣ୍ଟନ କରାଯାଇଥିଲା ।