Odiapua.com

ଭଣ୍ଡାରିପୋଖରୀ ଜନଶୁଣାଣି ଶିବିରରେ ୯୩ ଅଭିଯୋଗର ଶୁଣାଣି

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଣ୍ଡାରିପୋଖରୀ ବ୍ଲକରେ ଅନୁଷ୍ଠିତ ଉକ୍ତ ଜନଶୁଣାଣି ଶିବିରରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଏସ୍‌.ପି. ଚରଣ ସିଂ ମୀନା ସମୁଦାୟ ୯୩ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏଥି ମଧ୍ୟରେ ୮୭ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲାବେଳେ ୬ଟି ସାମୂହିକ ସମସ୍ୟା ମୂଳକ ଥିଲା। ରେଡ଼କ୍ରସ ସମ୍ବନ୍ଧୀୟ ଜଣେ ଆବେଦନକାରୀଙ୍କ ଚିକିତ୍ସା ପାଇଁ ୭ ହଜାର ଟଙ୍କା ଜିଲ୍ଲାପାଳଙ୍କ ଦ୍ୱାରା ମଞ୍ଜୁର କରାଯାଇଥିଲା। ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ, ଯୋଗାଣ ବିଭାଗରେ ରେସନ୍‌କାର୍ଡ଼ ସମ୍ବନ୍ଧୀୟ, ଜମିଜମା ରାସ୍ତାଘାଟ ସମ୍ବନ୍ଧୀୟ ଆଦି ଅଭିଯୋଗ ଏହି ଶିବିରରେ ଆବେଦନକାରୀମାନେ ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ୩୧ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଶ୍ରବଣଯନ୍ତ୍ର ୧ଟି, ୩ ଚକିଆ ସାଇକେଲ ୧ଟି, କ୍ରଚ୍ ୧ଟି, ଆଶ୍ରା ବାଡ଼ି ୧ଟି ସମୁଦାୟ ୪ଟି ଉପକରଣ ବଣ୍ଟନ କରାଯାଇଥିଲା। ବି.ଡ଼ି.ଓ. ଭଣ୍ଡାରିପୋଖରୀ ଦେବଦତ୍ତ ଦାସ, ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଏହି ଶିବିରରେ ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ।