ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳକୁ ପଶିଆସିଛି ଜଙ୍ଗଲି ହାତୀ । ହଦଗଡ ଜଙ୍ଗଲରୁ ଦଳଛଡା ଓ ବାଟବଣା ହୋଇ ଏକାକୀ ଆସି ଆଗକୁ ଆଗକୁ ମାଡିଚାଲିଛି । ବାଟରେ ପାଚିଲା ଧାନ ଖାଉଛି ତ ଗଛଡାଳ ଭାଙ୍ଗି ପାଟିରେ ପୁରାଇ ଦେଉଛି । ଦଳଛଡା ହୋଇଥିଲେ ବି ଅସ୍ୱାଭାବିକ ଆଚରଣ ଦେଖିବାକୁ ମଳିନାହିଁ । କାହାରିକୁ ଆକ୍ରମଣ କରିବା ସ୍ୱଭାବ ଦେଖାଇ ନାହିଁ କି ଘରଦ୍ୱାର ଭାଙ୍ଗି ନାହିଁ । ହେଲେ ହାତୀକୁ ଦେଖିବା ପାଇଁ ଶହ ଶହ ଲୋକ ପଛେପଛେ ଧାଇଁଛନ୍ତି । ମାତ୍ର ଜଙ୍ଗଲ ବିଭାଗ ଟିମ୍ ଓ ପୁଲିସ ସଦଳବଳେ ଜଗିରହିଛନ୍ତି । ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ହେବା ପାଇଁ ଘନ ଘନ ପ୍ରଚାର କରାଯାଉଛି । ଗୁରୁବାର ସନ୍ଧ୍ୟାରୁ କେଉଁଝର ଜିଲ୍ଲା ଡଅଁର ଅଞ୍ଚଳ ଦେଇ ନାଆମୀ ପଞ୍ଚାୟତ ଅନ୍ତର୍ଗତ ଛଞ୍ôଚଣା ଗ୍ରାମକୁ ପ୍ରାୟ ୬୦ କିଲୋମିଟର ରାସ୍ତା ଅତିକ୍ରମ କରି ପ୍ରବେଶ କରି ଥିବା ମାଈ ଦନ୍ତାହାତୀକୁ ନେଇ ଶୁକ୍ରବାର ଦିନତମାମ ତନାଘନା ଲାଗିରହିଛି । ହାତୀଟିର ବୟସ ୧୬ ରୁ ୧୮ ବର୍ଷ ବୟସ ହେବ ବୋଲି ବନ ବିଭାଗ ଅନୁମାନ ଲଗାଇଛି । ଗତ ସନ୍ଧ୍ୟାରେ ଦେଖାଯାଇଥିବା ଏହି ହାତୀଟି ଛଞ୍ôଚଣାରୁ ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କଙ୍ଗିରା ଗ୍ରାମକୁ ରେବନଦୀ କୂଳେ ଚାଲିଯାଇଥିଲା ।
ପୁନଶ୍ଚ ସେଠାରୁ ଛଞ୍ôଚଣା ତୋଟାସାହିକୁ ଫେରିଥିଲା । କେଉଁଝର ବନ ବିଭାଗ ପକ୍ଷରୁ ଭଦ୍ରକ ବନବିଭାଗକୁ ଏଥିନେଇ ସୂଚନା ଦିଆଯାଇଥିଲା । ଖବର ପାଇଁ ବନବିଭାଗ ପକ୍ଷରୁ ଡି.ଏଫ.ଓ. ଅଧିର ବେହେରା, ଧାମନଗର ରେଞ୍ଜର କୃଷ୍ଣଚନ୍ଦ୍ର ବାସ୍କେ, ଭଦ୍ରକ ରେଞ୍ଜର ପିତାମ୍ବର ନାୟକ, ବାସୁଦେବପୁର ରେଞ୍ଜର କପିଳ ଚନ୍ଦ୍ର ପ୍ରଧାନ, ବନପାଳ ପ୍ରୀତିରାଣୀ ଦାସଙ୍କ ସମେତ ଦଳ ଓ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପୁଲିସ ଦଳ ହାତୀ ଥିବା ସ୍ଥାନରେ ପହଞ୍ôଚ ଘଉଡାଇବା ପାଇଁ ବାଣପୁଟାଇବା ସହ ଲୋକଙ୍କୁ ସତର୍କ କରାଇଥିଲେ । ତହସିଲଦାର ସରୋଜକାନ୍ତ ନାୟକ ଓ ଉଚ୍ଚ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି । ହାତୀଟି ନାଆମୀରୁ ଛତାବର ବାଟ ଦେଇ ୩ନଂ କେନାଲ ରାସ୍ତାରେ ହଳଦୀଗଡିଆ ଗ୍ରାମ ଅତିକ୍ରମ କରି ରାଢୋ ଗ୍ରାମରେ ପ୍ରବେଶ କରିଥିବା ଜଣାଯାଇଛି । ଖବର ପ୍ରସ୍ତୁତ ବେଳକୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତା ଅତିକ୍ରମ କରି ରହଣିଆ ମେଡିକାଲ ପାର ହୋଇ ଦୋବଲ ଆଡକୁ କ୍ରମେ ଗତି କରୁଥିବା ଜଣାଯାଇଛି । ପ୍ରଥମ ଥର ପାଇଁ ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖାଦେଇଥିବା ଏହି ବଣୁଆ ହାତୀର ଉପସ୍ଥିତି ଯୋଗୁଁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବନବିଭାଗ ଓ ପୁଲିସ ପକ୍ଷରୁ ଲୋକଙ୍କୁ ଆଶ୍ୱାସନା ଦିଆଯାଇଛି ।