Odiapua.com

ଭଣ୍ଡାରିପୋଖରୀର ବନ୍ୟାଞ୍ଚଳ ବୁଲିଲେ ବିଧାୟକ ସଂଜୀବ, ଗାଡ଼ିରେ ବାଣ୍ଟିଲେ ଶୁଖିଲା ଖାଦ୍ୟ ଓ ଔଷଧ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫୁଲୁଛି ବୈତରଣୀ ନଦୀ। ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ବହୁ ଲୋକ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। ପ୍ରଶାସନ ପକ୍ଷରୁ ଅନେକ ବନ୍ୟାକ୍ଳିଷ୍ଟଙ୍କୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ। ତେବେ ଆଜି ବିଧାୟକ ଶ୍ରୀ ମଲ୍ଲିକ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଆଖୁଆପଦା ଠାରେ ବୈତରଣୀ ନଦୀ ଜଳ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି।ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଳବନ୍ଦୀ ଅବସ୍ଥାରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳ ମଧ୍ୟରେ ରହଣୀଆ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ଆବଶ୍ୟକ ଅନୁଯାୟୀ ଶୁଖିଲା ଖାଦ୍ୟ, ମେଡ଼ିସିନ ଯୋଗାଇଦେବାକୁ ସେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ବି ପିଇବା ପାଣି ଟିକେ ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ଧନଜୀବନ ଜୀବିକା ସବୁ ଏବେ ଜଳବନ୍ଦୀରେ। ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସରକାରୀ ସହାୟତା ଯୋଗାଇ ଦେବାର ବିଫଳତାର ଚିତ୍ର ଏବେ ଜଳ ଜଳ ଦେଖିବାକୁ ମିଳିଛି ବୋଲି ସେ ଗଣ ମାଧ୍ୟମକୁ କହିଛନ୍ତି। ତେବେ ସେ ଜଳବନ୍ଦୀ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ଆବଶ୍ୟକ ସାମଗ୍ରୀ ପଠାଇ ଛନ୍ତି।