Odiapua.com

ଭଣ୍ଡାରିପୋଖରୀରେ ୩୯୦ ପ୍ରକଳ୍ପ ପାଇଁ ୧୧.୫୦ କୋଟି ମଞ୍ଜୁର, ‘ଲୋକଙ୍କ ଭରଷା ନବୀନ ଓ ପସନ୍ଦ ଶଙ୍ଖ’- ପ୍ରଫୁଲ୍ଲ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ୨୩ ପଞ୍ଚାୟତ ଅଧିନ ୩୯୦ ପ୍ରକଳ୍ପ ପାଇଁ ୧୧ କୋଟି ୫୦ ଲକ୍ଷ ଟଙ୍କା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ମଞ୍ଜୁର ହୋଇଛି । ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ମଠ, ମନ୍ଦିର, ଯୁବକ ସଂଘ ଗୃହ ନିର୍ମାଣ, କ୍ରୀଡା, ମିଶନଶକ୍ତି, ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରିକରଣ ଭଳି ଜନ ଉପଯୋଗୀ ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ ହେବ । ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ମଙ୍ଗଳବାର ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଆଭାସି ଯୋଗେ ଏହାକୁ ମଞ୍ଜୁର କରିଥିଲେ । ଏହି ଯୋଜନା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଲୋକଙ୍କ ନିକଟତର କରିପାରିବ ବୋଲି ଉତ୍ସବରେ ଯୋଗଦେଇ ମତ ରଖିଥିଲେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ । ଏବେ ‘ଲୋକଙ୍କ ଭରଷା ନବୀନ ଓ ଲୋକଙ୍କ ପସନ୍ଦ ଶଙ୍ଖ’ ବୋଲି ଶ୍ରୀ ସାମଲ ପ୍ରକାଶ କରିବା ସହ ଏହାଦ୍ୱାରା ଓଡିଶାରେ ଏକ ନୂତନ ସାଂସ୍କୃତିକ ଯୁଗର ଆରମ୍ଭ ହେବା ସମ୍ଭବ ହେବ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାସଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ, ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ମିଶନଶକ୍ତି ମହିଳାମାନେ ଉପସ୍ଥିତ ଥିଲେ ।