Odiapua.com

ଭଣ୍ଡାରିପୋଖରୀରେ ୧୬୦ ମି.ମି. ବର୍ଷା, ଚାଷଜମି ଉପରେ ୪ ଫୁଟ ଉଚ୍ଚତାର ବର୍ଷାଜଳ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଶନିବାର ବ୍ୟାପକ ବର୍ଷା ହୋଇଛି । ସକାଳ ୮ଟା ଠାରୁ ବଜ୍ରପାତ ସହ ଅବିରାମ ବର୍ଷା ଲାଗିରହିଛି । ଅପରାହ୍ନ ୪ ଟା ମଧ୍ୟରେ ୧୬୦ ମିଲିମିଟର ବର୍ଷା ହୋଇଛି । ଏହି ପରିମାଣ ବ୍ଲକ ବର୍ଷାଜଳ ମାପକ ଯନ୍ତ୍ରରେ ରେକର୍ଡ କରାଯାଇଛି । ବଜ୍ରପାତରେ କୌଣସି ଅଘଟଣ ଘଟିନାହିଁ । ମୁଷଳ ଧାରାରେ ବର୍ଷା ହେବା ଫଳରେ ତଳିହା ଅଞ୍ଚଳରେ ବର୍ଷାଜଳ ଜମି ରହିଛି । ଛତାବର-ଛଞ୍ôଛଣା ରାସ୍ତାର ଉଭୟ ପାଶ୍ୱର୍ ଜମି ଉପରେ ପ୍ରାୟ ୪ ଫୁଟ ଉଚ୍ଚତାର ବର୍ଷାଜଳ ଜମି ରହି ବନ୍ୟାର ଭ୍ରମ ସୃଷ୍ଟି କରିଛି । ଏହି ଅଞ୍ଚଳରେ ଜଳନିଷ୍କାସନକୁ ଗୁରୁତ୍ୱ ଦିଆଯାଇନଥିବାରୁ ଜଳବନ୍ଦୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ସନ୍ଧ୍ୟା ୬ଟାରେ ବୈତରଣୀ ନଦୀ ବିପଦସଙ୍କେତର ବହୁ ନିମ୍ନ ୧୬.୯୨ ମିଟରରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟାରେ ନଦୀର ଉପରମୁଣ୍ଡ ଆଖୁଆପଦାରେ ୪୩.୦ମି.ମି., ଆନନ୍ଦପୁରରେ ୧୩.୬ମି.ମି., ଚମ୍ପୁଆରେ ୧୨.୬ ମି.ମି., ସ୍ୱାମୀପାଟଣାରେ ୦.୮ ମି.ମି. ଓ ଠାକୁରମୁଣ୍ଡାରେ କୌଣସି ବର୍ଷା ହୋଇନଥିବା ରେକର୍ଡ କରାଯାଇଛି । ଶନିବାର ଦିନ ତମାମ ବର୍ଷା ଲାଗି ରହିବା ପଳରେ ସ୍ୱାଭାବିକ ଜୀବନଯାତ୍ରା ଉପରେ ପ୍ରଭାବ ପଡିଛି । ତେବେ ଏହି ବର୍ଷା ଚାଷୀକୂଳକୁ ଆଶ୍ୱସ୍ତ କରିଛି । ଆଷାଢ ମାସର ଶେଷରେ ଆଶାନୁରୂପକ ବର୍ଷା ଆରମ୍ଭ ହୋଇଥିବାରୁ ଚାଷବାସ ଆରମ୍ଭ କରିବାକୁ ଚାଷୀମାନେ ତତ୍ପର ହୋଇଉଠିଛନ୍ତି ।