Odiapua.com

ଭଣ୍ଡାରିପୋଖରୀରେ ମହାଶିବରାତ୍ରୀ ପାଳିତ

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ଓ ଜାଗରଯାତ୍ରା କୋଭିଡ କଟକଣା ମଧ୍ୟରେ ଆଜି ଅନୁଷ୍ଠିତ ହୋଇଛି। ଭକ୍ତମାନେ ଉପବାସ ରହିବା ସହ ଇଶ୍ୱର ଦର୍ଶନ କରି କାଗଜ ନିର୍ମିତ ଛତା, ଦୀପ ଦାନ କରିଥିଲେ। ବେଲପତ୍ର ପାଦୁକା ସେବନ ପୂର୍ବକ ପ୍ରଭୁଙ୍କୁ ଉପାସନା କରିଥିବା ଦେଖାଯାଇଥିଲା। ଔଁ ନମଃ ଶିବାୟ ମନ୍ତ୍ର ଜପ କରି ଶ୍ରଦ୍ଧାଳୁମାନେ ମନ୍ଦିର ଉପରେ ପ୍ରଜ୍ଜ୍ୱଳିତ ମହାଦୀପକୁ ଦର୍ଶନ କରିବା ନିମନ୍ତେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହିଥିଲେ। ଏହି ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରକୁ ଆକର୍ଷଣୀୟଭାବେ ସଜ୍ଜିତ କରାଯାଇଥିଲା। ସେହିପରି ଭଣ୍ଡାରିପୋଖରୀ ଥାନା ପରିସରରେ ଥିବା ବାବାଶିତିକଣ୍ଠେଶ୍ୱର, ମେଡିକାଲ ପରିସରରେ ରାମେଶ୍ୱର, ଭଣ୍ଡାରିପୋଖରୀ ବଜାରରେ ଦର୍ପେଶ୍ୱର, ଅଗେଇବେହେରାର ଆଖଣ୍ଡଳେଶ୍ୱର, ଥଇଳାର ଥାନେଶ୍ୱର, ରହଣିଆର କଚେରୀଶ୍ୱର, ରାଢୋର ବିଶ୍ୱେଶ୍ୱର, ମାଳଦାର ଛୋଟେଶ୍ୱର ଓ ନୂଆମହାଦେବ, ନଗୁଆଁର ନଗେଶ୍ୱର ଓ ଭଗେଶ୍ୱର, ଝୁଟଣାର ଅଷ୍ଟଶମ୍ଭୁ ଓ ସ୍ୱପ୍ନେଶ୍ୱର, ରହଣିଆର ଉତ୍ତରେଶ୍ୱର, ଦେଓପଦାର ଶୈବପୀଠ, ଝଟୁଣାରେ ସ୍ୱପ୍ନେଶ୍ୱର, ଶାତଶୋଳାର ଅଖିଳେଶ୍ୱର, ବାରିକପୁର ମେଡିକାଲ ପରିସର ଶିବମନ୍ଦିର, ରଣଜିତ ପଞ୍ଚାୟତର ନୂଆନଈ ନିକଟରେ ଅପୂଜା ମହାଦେବପୀଠ, ପନଖାର ନୀଳକଣ୍ଠେଶ୍ୱର, ନାଆଁମୀର ଧବଳେଶ୍ୱର, ବନ୍ଦାଳୋର ଗତେଶ୍ୱର, ରାଜେନ୍ଦ୍ରପୁରର ସର୍ବେଶ୍ୱର, ସାରୋର ବିଘ୍ନେଶ୍ୱର ଓ ସିଦ୍ଧେଶ୍ୱର, ଶାସନର ଭାବେଶ୍ୱର, ଆକୁଲିକଣାର ବରୁଣେଶ୍ୱର, ଜଗନ୍ନାଥପ୍ରସାଦର ଲୋକନାଥେଶ୍ୱର, ଆଖୁଆପଦାର ହରପାର୍ବତୀ ଆଦି ମୁଖ୍ୟ ଶିବ ମନ୍ଦିର ସହ ଗାଁ ଗହଳିରେ ଥିବା ସମସ୍ତ ଶିବମନ୍ଦିରରେ ବିପୁଳ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା। ମୁଢାପଦାର ପ୍ରସିଦ୍ଧ ବାବା ବୈଦ୍ୟନାଥ ମନ୍ଦିରରେ ଭଦ୍ରକ ଓ ଯାଜପୁରର ଜିଲ୍ଲାର ବହୁଭକ୍ତଙ୍କ ସମାଗମ ହୋଇଥିଲା।