Odiapua.com

ଭଣ୍ଡାରିପୋଖରୀରେ ଜଳ ନିଷ୍କାସନ ସମସ୍ୟା, ବିଭିନ୍ନ ଅଂଚଳ ପାଣିଘେରରେ, ପ୍ରତିବର୍ଷ ସମସ୍ୟା ଭୋଗୁଛନ୍ତି ଚାଷୀ

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଗୋଟିଏ ଦିନର ବର୍ଷାରେ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ଅଂଚଳରେ ଜଳବନ୍ଦୀଙ୍କ ସମସ୍ୟାର ଅନ୍ତ ଘଟୁନାହିଁ । ଏହି ବ୍ଲକ୍‌ର ବିସ୍ତୀର୍ଣ୍ଣ ଅଂଚଳ ତିନିଦିନ ପରେ ବି ଜଳ ନିଷ୍କାସନ ହୋଇନପାରିବା କାରଣରୁ ଅନେକ ପରିବାର ଏବେବି ପାଣିଘେରରେ ରହିଛନ୍ତି । ବାରିକପୁର ଡାକ୍ତରଖାନା ନିକଟରେ ଥିବା ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ରହୁଥିବା ୧୦ ଟି ପରିବାର ପାଣିଘେରରେ ରହିଥିବାବେଳେ ପ୍ରତ୍ୟେକ ଭାରି ବର୍ଷା ସମୟରେ ଏଠାରେ ଜଳ ନିଷ୍କାସନ ହୋଇନପାରିବାରୁ ସେମାନଙ୍କର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ । ଅନୁରୂପ ରାମଚନ୍ଦ୍ରପୁର ପଂଚାୟତ ଅଧୀନସ୍ଥ ଭୂତିଆ ଗ୍ରାମର କେତେକ ଆଦିବାସୀ ପରିବାର ଏବେବି ପାଣି ଘେରରେ ରହିଛନ୍ତି । ରାମଚନ୍ଦ୍ରପୁର ଓ ତେସିଙ୍ଗା ପଂଚାୟତର ପ୍ରାୟ ଶହେ ହେକ୍ଟର ଜମିରେ ଏବେବି ପାଣି ବୁଡି ସ୍ରୋତ ଚାଲୁଥିବାବେଳେ ପ୍ରତିବର୍ଷ ଖରିଫ ଚାଷ ସମୟରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ଚାଷୀମାନେ କ୍ଷତି ସହୁଛନ୍ତି । ଏହାଛଡା ବାହାଦଲପୁର, ମଂଜୁରୀରୋଡ୍ ପରି ଅନେକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଆଜି ବିଜେପିର ଏକ ପ୍ରତିନିଧି ଦଳ ଦଳୀୟ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ପାଣିଘେରରେ ଥିବା ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହ ଆଦିବାସୀ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏଥିରେ ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ପଂଚାୟତ ସମିତି ସଦସ୍ୟ ପ୍ରତାପ ଦ୍ୱିବେଦୀ, କୃଷକ ମୋର୍ଚ୍ଚା ସଭାପତି କ୍ଷୀରୋଦ ରାୟ, ଜୟସ୍ମିତ ଗୋଚ୍ଛାୟତ ପ୍ରମୁଖ ପାଣିଘେର ଅଂଚଳ ଅନୁଧ୍ୟାନ କରିବା ସହ ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏବଂ ପ୍ରଶାସନ ତୁରନ୍ତ ଜଳନିଷ୍କାସନ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବା ସହ ସ୍ଥାୟୀ ସମାଧାନର କାର୍ଯ୍ୟ କରିବାକୁ ଦାବି କରିଛନ୍ତି ।