ମୋର ଜଣେ ବନ୍ଧୁ, ଯିଏକି ସବୁବେଳେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି ଆଧୁନିକ ଯୁଗ ସହିତ ତାଳ ଦେଇ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ସେ ଯେତେବେଳେ ଦେଖା ହୁଅନ୍ତି କିମ୍ବା ଆମ ଘରକୁ ଆସନ୍ତି, କିଛି ପଚାରନ୍ତୁ କି ନପଚାରନ୍ତୁ କିନ୍ତୁ ଗୋଟେ କଥା ପଚାରିବାକୁ ଭୁଲନ୍ତି ନାହିଁ। ତାହା ହେଉଛି ଭଗବାନଙ୍କୁ କାହିଁକି ଡାକିବା? ବନ୍ଧୁଙ୍କ କଥାକୁ ଶୁଣି ଶୁଣି, ଏବେ ମୋର ଧର୍ମପତ୍ନୀଙ୍କର ସେହି ଗୋଟିଏ କଥା, ଆମେ ଭଗବାନଙ୍କୁ କାହିଁକି ଡାକିବା? ଭଗବାନ ଆମକୁ କ’ଣ ଟା ଦେଇଛନ୍ତି କି? ଆମେ କଉ ଭଲରେ ଅଛୁ ଯେ। ଭଲ ଘର ଖଣ୍ଡେ ନାହିଁ, ଆଜିକାଲି ଆଧୁନିକ ଯୁଗରେ ଅନ୍ୟମାନଙ୍କ ଘରେ କେତେ କ’ଣ ସବୁ ଅଛି। ଆମର କ’ଣ ଟା ଅଛି ଯେ, ଭଲ ଟିଭି ଖଣ୍ଡେ ନାହିଁ, କାର, ଫ୍ରୀଜ଼, ୱାସିଂ ମେସିନ କଥା ଛାଡ। ମୋବାଇଲ ଖଣ୍ଡେ ଅଛି ଯେ, ସେଥିରେ କିଛି ଦେଖି ହଉଚି ନା କାହା ସହିତ ଭଲରେ ଦିପଦ କଥା ହେଇ ହଉଛି, କ’ଣ ନା ଠାକୁର ଅଛନ୍ତି ସେ ସବୁ ବୁଝିବେ। ଧର୍ମପତ୍ନୀଙ୍କର ଏମିତିକା କଥା ନିତିଦିନିଆ ହେଇଗଲାଣି।
ଦିନକର କଥା, ସକାଳୁ ସକାଳୁ ଆମ ଘରେ ପହଂଚିଗଲେ ସେହି ବନ୍ଧୁ ଜଣକ। ଆରମ୍ଭ କଲେ ସେହି ନିତିଦିନିଆ ପ୍ରଶ୍ନ, ଭଗବାନଙ୍କୁ କାହିଁକି ଡାକିବା? ବଡ଼ ଅଜବ ମଣିଷ, ଦୁନିଆଯାକ ଲୋକ ଡାକୁଛନ୍ତି ନା ମୁଁ ଜଣେ ଡାକୁଛି, କି ଉତ୍ତର ଦେବି ଜାଣିପାରିଲି ନାହିଁ। ଠିକ୍ ଏହି ସମୟରେ ଧର୍ମପତ୍ନୀ କହିଲେ, ଶୁଣୁଛ ତମ ବନ୍ଧୁ ଆସିଛନ୍ତି ଚା ଟିକେ କରିଥାନ୍ତି ଯେ ଗ୍ୟାସ କାଲିଠାରୁ ସରିଗଲାଣି। କେତେ ଥର ଆଉ କହିଲେ ଗ୍ୟାସ ଆଣିବ। ଆଜି କ’ଣ କଳରେ ଜଳ ଆସୁ ନାହିଁ, ଜଳ ଦେବତାଙ୍କୁ ଟିକେ ସ୍ମରଣ କର। ବୁଝିଲା ବେଳକୁ କ’ଣ ନା ଜଳ କର ପଇଠ ହୋଇନାହିଁ, ଏଣୁ ଜଳ ଯୋଗାଣ ବନ୍ଦ। ଏହାର କିଛି ସମୟ ପରେ ଆଲୁଅ ଚାଲିଗଲା। ଘର ଅନ୍ଧାର, ବୁଝିଲା ବେଳକୁ କ’ଣ ନା ବିଜୁଳି କର ଦାଖଲ ହୋଇନାହିଁ। ଏଣୁ ବିଜୁଳି ଯୋଗାଣ ବିଛିନ୍ନ କରାଯାଇଛି। ଧର୍ମପତ୍ନୀ କହିଲେ ଟିକେ ଭଲ କରି ଠାକୁରଙ୍କୁ ସ୍ମରଣ କର, ବହୁତ ଗୁଡା ଅସୁବିଧା ଅଛି, ଶୀଘ୍ର ସମାଧାନ ହବା ଜରୁରୀ। ହଇ ହେ ମୁଁ କ’ଣ ଜାଣିଶୁଣି ଏହି ସବୁ କର ଜମା କରି ନାହିଁ। ଚାକିରୀ କରିଛି ଯେ, ଦରମା ଅଳପ, ତାହା ପୁଣି ନିୟମିତ ଠିକ୍ ସମୟରେ ମିଳୁ ନାହିଁ। କର୍ତ୍ତବ୍ୟରେ ମୁଁ କେବେ ହେଳା କରେନି। ଭଲରେ ଆଉ ବିଳାସବ୍ୟସନରେ ରହିବା ପାଇଁ ଆଉ କ’ଣ ଦୁର୍ନୀତି କରିବି ? ମୋ ବାପା, ଜେଜେ ବାପା କେହି କରିନାହାନ୍ତି, ମୁଁ କାହିଁକି କରିବି? ଆସିଅଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟ ହୋଇରେ। କ’ଣ ଟା ନେଇକି ଆସିଥିଲି ଯେ, କ’ଣ ଟା ନେଇକି ଯିବି। ଦରମାରୁ ଏହି ସବୁ ଖର୍ଚ ଠିକ୍ ସମୟରେ ପଇଠ କରିବା ସମ୍ଭବ ହେଉନାହିଁ କି ଆଜିକାଲିର ଅତ୍ୟାଧୁନିକ ସ୍ମାର୍ଟ ଯୁଗ ସହିତ ତାଳ ଦେଇ ଚାଲିବା ମୋ ପକ୍ଷେ ସମ୍ଭବ ହେଇପାରୁନି, ଯାହା ମୋର ନିୟନ୍ତ୍ରଣ ବାହାରେ। ଆଜି ନହେଲେ କଲି ମୁଁ କ’ଣ ଟଙ୍କାଟା ଦାଖଲ କରି ନଥାନ୍ତି। ମୋର ଘରକୁ ଜଳ ଆଉ ବିଜୁଳି ଯୋଗାଣ ବନ୍ଦ। ଆଜିକାଲି ଦୁନିଆରେ ଟଙ୍କାଟିଏ ପାଖରେ ନଥିଲେ, କିଛି ବି ସମ୍ଭବ ହେଇପାରୁନି। କିନ୍ତୁ ଭଗବାନ ସବୁଠାରୁ ଭଲ। ପ୍ରତିଦିନ ସକାଳ ହେଲେ ସୂର୍ଯ୍ୟ ଦେବତା ବିନା ସଙ୍କୋଚରେ ଠିକ୍ ସମୟରେ ପୂର୍ବ ଦିଗରେ ଉଇଁ ଆସୁଛନ୍ତି ପୃଥିବୀକୁ ଆଲୋକିତ କରି। ବିନା ଦ୍ୱିଧାରେ ପବନ ପ୍ରବାହିତ ହୋଇ ସକଳ ଜୀବଜଗତକୁ ଜିବନଧାରଣ ପାଇଁ ଖୋରାକ ଦିଅନ୍ତି। ବର୍ଷା ହୋଇ ଜଳ ଯୋଗାଣ କରନ୍ତି, ବଦଳରେ କିଛି ଆଶା ରଖି ନାହାନ୍ତି। ସୂର୍ଯ୍ୟ ଆଲୋକ ବିତରଣ କରୁଛନ୍ତି ମାଗଣା। ପବନ ପ୍ରବାହିତ ମାଗଣା। ବର୍ଷା ହୋଇ ପୋଖରୀ, ନଦୀ, ନାଳ, ସମୁଦ୍ର ଜଳରେ ପୁର୍ଣ ହେଉଛି ମାଗଣାରେ। ଯିଏ ସବୁର ଦାତା, ସେହି ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ଖର୍ଚ କିଛି ନାହିଁ କି ଶୁଳ୍କ କିଛି ଦେବାକୁ ପଡେ ନାହିଁ। ତେଣୁ ସମୟ ଅସମୟ କିଛି ନଭାବି, ଭଗବାନଙ୍କ ଠାରେ ମନ ଲଗାଇ ତାଙ୍କୁ ସ୍ମରଣ କଲେ ସୁଖ, ଶାନ୍ତି ଓ ମୁକ୍ତି ମିଳିବ।
ଡ଼ଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା