Odiapua.com

ବୟସ୍କ ଓ ଶିଶୁଙ୍କ ପାଇଁ କାଳ ସାଜିଛି ଡିଜେ ସାଉଣ୍ଡ!

ରାଉରକେଲା ୨୦-୫(ଓଡ଼ିଆ ପୁଅ/ସୁବୋଧ ନାୟକ): ସଙ୍ଗୀତ ଦ୍ୱାରା ମନ ପ୍ରଫୁଲ୍ଲିତ ହୁଏ। ମାତ୍ର ଉଚ୍ଚଶକ୍ତି ସମ୍ପନ୍ନ ସଙ୍ଗୀତ ମଧ୍ୟ ବେଳେ ବେଳେ ବ୍ୟକ୍ତିର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରି ତା’ ପାଇଁ ଘାତକ ହୋଇପାରେ। ବର୍ତମାନ ବିବାହ ରୁତୁରେ ରାଉରକେଲା ସମେତ ଦକ୍ଷିଣ ରାଉରକେଳାରେ ବିଭିନ୍ନ ବରଯାତ୍ରୀ ଦଳଙ୍କୁ ବାଜା, ରୋଷଣୀ, ବାଣ ସହିତ ସଂଧ୍ୟାରୁ ରାତ୍ରୀ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାରନଗରୀ ରାଜରାସ୍ତାରେ ଯିବା ଦେଖିବାକୁ ମିଳୁଛି। ଏହା ସହ ବରଯାତ୍ରୀ ଯିବାର ସମୟରେ ବାଜୁଛି ଉଚ୍ଚଶକ୍ତି ସମ୍ପନ୍ନ ଡ଼ି ଜେ.। ଯାହାକି ସ୍ଥାନୀୟ ଅଂଚଳରେ ରହୁଥିବା ଶିଶୁ, ବୟସ୍କ ବ୍ୟକ୍ତି, ମହିଳା ମାନଙ୍କୁ ଅସହ୍ୟବୋଧ ହେଉଛି। ଏହି ଡ଼ି.ଜେ. ସାଉଣ୍ଡ ଶଦ୍ଦ ପ୍ରଦୂଷଣର ବାହକ ସାଜିଛି। ଡ଼ି.ଜେ. ସାଉଣ୍ଡ ବଜାଇବା ଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଧ୍ୱନୀ ସୃଷ୍ଟି ଯୋଗୁ ଏହାଦ୍ୱାରା ଅଂଚଳାବସୀ ପ୍ରଭାବିତ ହେଉଛନ୍ତି। ସେହିପରି କେତେକ ବିବାହ ଭୋଜିରେ ମଧ୍ୟ ଡ଼ିଜେ ସାଉଣ୍ଡର ବ୍ୟବହାର କରାଯାଉଛି। ସେହି ସମୟରେ ପାଠ ପଢାପଢି କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଶଦ୍ଦ ପ୍ରଦୂଷଣ ଯୋଗୁ ପ୍ରଭାବିତ ହେଉଛନ୍ତି। ଶଦ୍ଦ ପ୍ରଦୂଷଣ ବ୍ୟକ୍ତିର ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଶଦ୍ଦ ପ୍ରଦୂଷଣ ଫଳରେ ଶ୍ରବଣଶକ୍ତି ହ୍ରାସ, ୮୫ ଡି.ବିରୁ ଅଧିକ ଧ୍ୱନୀ ବ୍ୟକ୍ତିର ହୃଦସ୍ପନ୍ଦନ ବଢାଇ କେତେକସ୍ଥଳେ ହୃଦରୋଗର ଆଶଙ୍କା ସୃଷ୍ଟି କରିଥାଏ। ଉଚ୍ଚଶକ୍ତି ସମ୍ପନ୍ନ ଧ୍ୱନୀ ନିଦ୍ରାରେ ମଧ୍ୟ ପ୍ରଭାବ ପକାଇଥାଏ। ଡ଼ି ଜେ. ସାଉଣ୍ଡ ବନ୍ଦ କରିବା ଲାଗି ଏଯାଏ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି କଟକଣା ଲାଗୁ କରାଯାଇନାହିଁ। ତେଣୁ ଡି.ଜେ.ର ବ୍ୟବହାର ବିଭିନ୍ନ ସାମାଜିକ ଉତ୍ସବରେ ଦେଖିବାକୁ ମିଳୁଛି। ଗୋଟିଏ ପଟେ ବର୍ତମାନ ଡି.ଜେ. ସାଉଣ୍ଡର ଚାହିଦା ବୃଦ୍ଧି ପାଉଥିବାରୁ ପ୍ରାୟ ୯୦ ପ୍ରତିଶତ ବରଯାତ୍ରୀ ଦଳ ଡି.ଜେ. ସାଉଣ୍ଡ ବ୍ୟବହାର କରୁଛନ୍ତି। ଏହାର ବିକଳ୍ପ ପନ୍ଥା ବାହାର କରି କମଶକ୍ତି ସମ୍ପନ ସାଉଣ୍ଡ ବ୍ୟବହାର କରିବା ଲାଗି ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ବୁଦ୍ଧଜିବୀ ମହଲରେ ମତ ପ୍ରକାଶ ପାଇଛି।