Odiapua.com

ବଢ଼ୁଛି କନ୍ୟା ଭୃଣ ହତ୍ୟା, ବୃଦ୍ଧି ପାଉଛି ଲିଙ୍ଗଗତ ବୈଷମ୍ୟତା, ସଚେତନତା ସହ ଆଇନ କଡାକଡି ହେବା ଜରୁରୀ

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ କନ୍ୟା ଭୃଣହତ୍ୟା ଉଦବେଗଜନକ ଆକାର ଧାରଣ କରିଛି । ସମସ୍ତଙ୍କ ଜ୍ଞାତସାରରେ ଏହା ଚାଲିଛି । ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧି ସହରର ଏକ ଅଲଟ୍ରା ସାଉଣ୍ଡ କ୍ଲିନିକ ନିୟମିତ ଭାବେ ପିଏନଡିଟି ଆଇନକୁ ବେଖାତିର କରି ଭୃଣ ନିରୂପଣ କରି ଚାଲିଛି । ଫଳରେ ସହରର ବିଭିନ୍ନ ସ୍ଥାନରୁ ବହୁ ସମୟରେ ସଦ୍ୟଜାତ ଶିଶୁ କନ୍ୟାଙ୍କ ମୃତ ଦେହ ଦେଖିବାକୁ ମିଳୁଛି । ବିଶେଷକରି ଭୃଣ ନିରୂପଣ ପରେ କେତେକ ବ୍ୟକ୍ତି ସହରର ୨/୩ଟି ନର୍ସିଂହୋମରେ ଗର୍ଭପାତ କରାଇବା ପରେ ମଲା ଶିଶୁକନ୍ୟମାନଙ୍କୁ ରାସ୍ତା କଡ଼ରେ କିମ୍ବା ସାଳନ୍ଦୀ ନଦୀରେ ଭସାଇ ଦେଉଥିବା ଦେଖିବାକୁ ମିଳୁଛି । ଯାହାର ଏକ ଉଦାହରଣ ଇଚ୍ଛାପୁର ଛକ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଦେଖିବାକୁ ମିଳିଛି । ରାସ୍ତା ପାଶ୍ୱର୍ରେ ଏକ ସଦ୍ୟଜାତ ଶିଶୁ କନ୍ୟାର ମୃତ ଦେହ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ କହୁଛି ଜିଲ୍ଲାରେ ପୁଅ ଓ ଝିଅଙ୍କ ଆନୁପାତିକ ହାର ପ୍ରତି ଶହେ ଜଣରେ ୮୯ । ଏହି ତଥ୍ୟ ବାସ୍ତବତା ଉପରେ ଆଧାରିତ ହୋଇପାରେ । କିନ୍ତୁ ଏବେ ଜିଲ୍ଲାରେ ଯେଭଳି ଭାବରେ କନ୍ୟା ଭୃଣ ଚିହ୍ନଟ କରି ଏଗୁଡ଼ିକୁ ହତ୍ୟା କରାଯାଉଛି ତାହା ଭବିଷ୍ୟତରେ ଭୟାବହ ଲିଙ୍ଗଗତ ବୈଷମ୍ୟତା ସୃଷ୍ଟି କରିବା ନିଶ୍ଚିତ । ତେବେ ସମାଜରେ ସାମାଜିକ ସନ୍ତୁଳନ ନଷ୍ଟ କରୁଥିବା ଏହି ପ୍ରକ୍ରିୟାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରିଚାଲିଛି ।

ରାଜ୍ୟ ସରକାରଙ୍କ ‘କନ୍ୟାରତ୍ନ’ ଯୋଜନା ହେଉ କିମ୍ବା କେନ୍ଦ୍ର ସରକାରଙ୍କ’ସୁକନ୍ୟା’ ଯୋଜନା ସବୁକିଛି ମୂଲ୍ୟହୀନ ହୋଇପଡ଼ିଛି ସ୍ୱାସ୍ଥ୍ୟ ପ୍ରଶାସନ ଓ କିଛି ଅବିବେକୀ ଲୋକଙ୍କ ପାଇଁ । ସେହିପରି ବିଭିନ୍ନ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ କିମ୍ବା ରିଓ ଅଲମ୍ପିକ୍ସରେ ଝିଅଙ୍କ ସଫଳତା ସମ୍ପର୍କୀତ ସୋସିଆଲ ମେଡ଼ିଆରେ ପୋଷ୍ଟ ହେଉଥିବା ତଥ୍ୟ କଛି ଲାଇକ ଓ କମେଣ୍ଟ ମଧ୍ୟରେ ସିମୀତ ରହିଯାଉଛି । ଏହାର ସାମନ୍ୟତମ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁନାହିଁ । ଅବଶ୍ୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ, କନ୍ୟାରତ୍ନଙ୍କୁ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ସ୍ୱୀକାର ନକରିବା ସର୍ବୋପରି କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ ପ୍ରଣୀତ ବିଭିନ୍ନ ଆଇନକୁ ଠିକ ଭାବରେ ଲାଗୁ କରାଯାଉନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଅଧିକାଂଶ ସମୟରେ ଭଦ୍ରକ ସହରର ପୌରପାଳିକାର ଅସ୍ଥାୟୀ ବର୍ଜ୍ୟବସ୍ତୁ ସ୍ଥାନ ଠାରୁ ଆରମ୍ଭ କରି ସାଳନ୍ଦୀ ନଦୀପଠା, ଓ ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ନିୟମିତ ବ୍ୟବଧାନରେ ମୃତ କନ୍ୟାଭୃଣ ପଡ଼ି ରହୁଥିବା ଦେଖିବାକୁ ମିଳୁଛି । ପୁଲିସ ସେସବୁ ସ୍ଥାନରେ ପହଞ୍ଚୁଥିଲେ ମଧ୍ୟ କୌଣସି ତଦନ୍ତ କରୁନଥିବାରୁ ଏଗୁଡ଼ିକ କେଉଁଠୁ ଓ କେଉଁ ପରିସ୍ଥିତିରେ ଆସିଲା ତାହା ଜଣାପଡ଼ୁ ନାହିଁ । କନ୍ୟାଭୃଣ ହତ୍ୟା ପଛରେ ରହୁଛି ସଚେତନତାର ଅଭାବ । ପ୍ରଶାସନିକ ଉଦାସିନତା ପାଇଁ ସରକାରଙ୍କ କନ୍ୟାରତ୍ନ ପରି ଯୋଜନା ସମ୍ପର୍କରେ ଲୋକ ଜାଣି ପାରୁନାହାନ୍ତି । ଅନେକ ବିକାରଗ୍ରସ୍ତ ମାନସିକତାଧାରୀ ବାପା ଓ ମା’ ମାନେ ଦୁନିଆର ଆଲୋକ ଦେଖିବା ପୂର୍ବରୁ କନ୍ୟା ଭୃଣକୁ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଥିପାଇଁ ପ୍ରଚଳିତ ଆଇନର ସଂଶୋଧନ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।