Odiapua.com

ବଡ଼ ଦୁର୍ଘଟଣା: ବସ୍ ଡ୍ରାଇଭରଙ୍କୁ ହୃଦଘାତ, ନିୟନ୍ତ୍ରଣ ହରାଇ କାର ସହ ଧକ୍କା ୯ ଜଣଙ୍କର ମୃତ୍ୟୁ, ୩୨ ଆହତ

ନୂଆଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ଶନିବାର ସକାଳେ ଗୁଜୁରାଟର ନଭସାରୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର ଏବଂ ବସ୍ ମଧ୍ୟରେ ସିଧାସଳଖ ଧକ୍କା ହୋଇଥିଲା। ଏଥିରେ ୯ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏଥିସହ ୩୨ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ, ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଜାତୀୟ ରାଜପଥ ନମ୍ବର ୪୮ ର ଭେସମା ଗ୍ରାମ ନିକଟରେ ଏହା ଘଟିଛି। କୁହାଯାଉଛି ଯେ ବସ୍ ଡ୍ରାଇଭରର ଚଳନ୍ତା ଗାଡିରେ ହୃଦଘାତ ହେବା କାରଣରୁ ସେ ଗାଡି ଉପରେ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଇଥିଲେ।

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଉଛି। ମୃତଦେହ ହଟାଇବା ପାଇଁ ଉଭୟ ଗାଡି କାଟିବାକୁ ପଡିଥିଲା ବୋଲି ପୋଲିସ କହିଛି।

ସକାଳେ ଏହି ଦୁର୍ଘଟଣା ଘଟିବା ପରେ ରାଜପଥରେ ଏକ ଲମ୍ବା ଜାମ ହୋଇଥିଲା। ପୋଲିସର ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବସ୍ ଡ୍ରାଇଭରଙ୍କର ହୃଦଘାତ ଜନିତ ରୋଗ ପୂର୍ବରୁ ଥିଲା। ଯଦିଓ ସେ ଗାଡ଼ି ଚଳାଇବା ପୂର୍ବରୁ ସୁସ୍ଥ ଅନୁଭବ କରୁଥିଲେ। କିନ୍ତୁ ଶନିବାର ସକାଳେ ପ୍ରବଳ ଥଣ୍ଡା ହେତୁ ସେ ହୃଦଘାତରେ ପୀଡିତ ହୋଇଥିଲେ। ଏହି କାରଣରୁ ସେ ଗାଡିର ନିୟନ୍ତ୍ରଣ କରିପାରିନଥିଲେ ଏବଂ ଏହି ଦୁର୍ଘଟଣା ଘଟିଥିଲା।