Odiapua.com

ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଇଁନ୍ତଳା ପୁଲିସକୁ ମିଳିଲା ସଫଳତା, ୮ ଗିରଫ

ବଲାଙ୍ଗୀର, ୨୯, ୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ): ସଇଁନ୍ତଳା ପୁଲିସ ଏକ ଡକାୟତି ଦଳ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ବୋଲି ସୂଚନା ମିଳିଛି। ଉକ୍ତ ଡକାୟତି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଟିଟିଲାଗଡ଼ ଥାନା ବେଲପଦର ଗ୍ରାମର ଯୋଗେନ୍ଦ୍ର ସେଲମାଙ୍କ ପୁଅ ନାଥ ସେଲମା (୪୦), ଲେସୁନ ବାହାଳି ଗାଁର ମଣ୍ଟୁ ତାଣ୍ଡି (୨୨), ବଛାଯୁଗା ଗାଁର ଭୂପତି ଭୋଇ (୨୦), ଲେସୁନବାହାଲି ଗାଁର କାଳିଆ ତାଣ୍ଡି (୪୧), ବଛାଜୁଝା ଗାଁର ପ୍ରଦୀପ ଭୋଇ (୨୨), କାପସିଭଟା ଗାଁର ଜୟ ବିଭାର (୩୫), ବଛାଜୁଝା ଗାଁର ଅର୍ଜୁନ ଭୋଇ (୫୦), ସଇଁନ୍ତଲା ବ୍ଲକ ଯୁବାମାଲଗାଁର ମନ ଗୋବିନ୍ଦ ରଣା (୨୫)।

ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖରେ ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରିଥିଲେ। ଏଥିସହିତ ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ନେଇଥିବା ନେଇ ଅଜିତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସଇନ୍ତଲା ଥାନାଧିକାରୀ ଅବନୀ ସାହୁ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ। ଏହି କ୍ରମରେ ଅପରାଧୀଙ୍କୁ ଧରିବା ପାଇଁ ବଲାଙ୍ଗୀର ଏସପି ନିତିନ କୁଶଲକର ଙ୍କ ନେତୃତ୍ୱରେ ଟିଟିଲାଗଡ଼ ଏସଡ଼ିପିଓ ଶ୍ରୀ ଶତପଥୀ, ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ କୁମାର ବରୀହା, ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ, ଏସଆଇ ସଙ୍ଗୀତା ବେକ, ଏସଆଇ ଥବିର ମହାରଣା, କାର୍ତିକ ପ୍ରଧାନ, ଦୀନବନ୍ଧୁ ମୁଦୁଲି, ପ୍ରମୋଦ କହ୍ନର, ସଂକର୍ତ୍ତନ ପୁଟେଲ ଓ ଏମକେ ଭୋଇଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଉକ୍ତ ଟିମ ଘଟଣା ସମ୍ପର୍କରେ ତଦାରଖ କରିବା ସହ କଡ଼ା ପେଟ୍ରୋଲିଂ କରୁଥିଲା। ତେବେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ବେଲଗାଁ ହାଇସ୍କୁଲ ଖେଳ ପଡ଼ିଆରେ କିଛି ବ୍ୟକ୍ତି ସଶସ୍ତ୍ର ସହ ଡକାୟତ କରିବା ପାଇଁ ଆଲୋଚନା କରୁଥିବାବେଳେ ସେମାନଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା। ସେମାନଙ୍କଠୁ କିଛି ମାରଣାସ୍ତ୍ର ଜବତ କରିବା ସହ ଥାନାକୁ ଆଣି ପଚରାଉଚୁରା କରିଥିଲା। ତେବେ ପଚରାଉଚୁରା ପରେ ଉକ୍ତ ବ୍ୟକ୍ତିମାନେ ଡୁଙ୍ଗୁରିପାଲିର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଡକାୟତି କରିଥିବା ସ୍ୱୀକାର କରିଥିଲେ। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସଇଁନ୍ତଳା ପୁଲିସ କୋର୍ଟ ଚାଲାଣ କରିଛି। ଏମାନଙ୍କଠାରୁ ୨ଟି ଠେଙ୍ଗା, ୨ଟି ବଡ଼ ରଡ଼, ଏକ ମରିଚ ପାଉଡର, ଏକ ବନ୍ଧୁକ, ୨ ମାରଣାସ୍ତ୍ର, ୩ ଟି ବାଇକ, ୬ ହଜାର ଟଙ୍କା, ୮ଟି ମୋବାଇଲ ଫୋନ, ଏକ ସୁନା ହାର, ରୂପା ଭଳି ଅନେକ ଡକାୟତିରେ ବ୍ୟବହାର କରାଯାଉଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ନୂଆପଡ଼ା ଜିଲ୍ଲା ଖରିଆଡ଼ ଥାନା, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା, କେସିଙ୍ଗା ଥାନା, କେଗାଁ ଥାନା, ଟିଟିଲାଗଡ଼ ଥାନା ଓ ସଇଁନ୍ତଳା ଥାନାରେ ଅନେକ ମାମଲା ରୁଜୁ ହୋଇଥିବା ସହ ଡକାୟତି କରି ଜେଲ ମଧ୍ୟ ଯାଇଥିବା ଜଣାପଡ଼ିଛି। ତେବେ ଏହି ଅଭିଯୁକ୍ତଙ୍କ ମୁଖ୍ୟ ସହଯୋଗୀ ସେଲମା ଗ୍ୟାଙ୍ଗଷ୍ଟାରର ମୁନା ରଣା ବୋଲି ପୁଲିସ ପ୍ରକାଶ କରିଛି।