Odiapua.com

ବଡ଼ବର୍ଚ୍ଚିକୟାଁ ପଂଚାୟତ : ଫେଲ ମାରିଛି ଆମ ଗାଁ ଆମ ବିକାଶ ଯୋଜନା

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ରାଜ୍ୟର ପ୍ରତ୍ୟେକ ଗାଁର ବିକାଶକୁ ଆଖି ଆଗରେ ୨୦୧୮ ମସିହା ମାର୍ଚ୍ଚ ମାସ ୫ତାରିଖ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ତଥା ପଂଚାୟତରାଜ ଦିବସ ଅବସରରେ “ଆମ ଗାଁ ଆମ ବିକାଶ” ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ୨୦୧୮ ମସିହା ଅଗଷ୍ଟ ମାସ ୧ ତାରିଖରେ ଭଦ୍ରକ ଜିଲା ବନ୍ତ ବ୍ଲକ ଅର୍ନ୍ତଗତ ବନ୍ତ ଆଂଚଳିକ ମହାବିଦ୍ୟାଳୟ ପଡ଼ିଆରେ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବନ୍ତ ବ୍ଲକ ଅର୍ନ୍ତଗତ ୨୫ଟି ପଂଚାୟତରେ ଭିନ୍ନଭିନ୍ନ ୧୭୮ ଟି ପ୍ରକଳ୍ପ ପାଇଁ ୬ କୋଟି ୧୫ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଉକ୍ତ ଘୋଷଣା ପରେ ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତରେ “ଆମ ଗାଁ ଆମ ବିକାଶ” ଯୋଜନାରେ ବିଭିନ୍ନ ପ୍ରକଳ୍ପ ଯଥା: ଗୋଷ୍ଠୀ କେନ୍ଦ୍ର ନିର୍ମାଣ,ମିଶନ ଶକ୍ତି ଗୃହ ନିର୍ମାଣ ଏବଂ ପୋଖରୀ ପୁନଃରୁଦ୍ଧାର ଓ ପାଶ୍ୱର୍ କାନ୍ଥ ନିର୍ମାଣ କାର୍ଯ୍ୟମାନ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ଯୋଜନାର ରୂପରେଖକୁ ଦେଖିଲେ ଏଠାରେ ଏହି ଯୋଜନା ସଂପୂର୍ଣ୍ଣ ଫେଲ ମାରିଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ: ଉକ୍ତ ପଂଚାୟତ ୪ନଂ ୱାର୍ଡ଼ ଅର୍ନ୍ତଗତ ବିଶଲକଣା ଗ୍ରାମ ଠାରେ ‘ଆମ ଗାଁ ଆଗ ବିକାଶ’ ଯୋଜନାରେ ୧୩.୮.୨୦୧୮ରେ ଏକ ଗୋଷ୍ଠୀ କେନ୍ଦ୍ରର କାର୍ଯ୍ୟାରମ୍ଭ କରାଯାଇଥିଲା । କିନ୍ତୁ ଆଜି ସୁଦ୍ଧା ଏହା ଅଧାପନ୍ତରିଆ ଅବସ୍ଥାରେ । ସେହିପରି ଆପ୍ତିରା ଗ୍ରାମରେ ନିର୍ମିତ ଏକ ଗୋଷ୍ଠୀ କେନ୍ଦ୍ର ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ଦଣ୍ଡାୟମାନ ।

ମହିଳାମାନଙ୍କ ଉଦ୍ଦେଶ୍ୟରେ ବଡ଼ବର୍ଚ୍ଚିକୟାଁ ଗ୍ରାମର ପେଡ଼ି ସାହି ଠାରେ ନିର୍ମିତ ମିଶନ ଶକ୍ତି ଗୃହ ଆଜି ସୁଦ୍ଧା ବ୍ୟବହାର ଯୋଗ୍ୟ ହୋଇପାରିନାହିଁ । ଏହି ଗୃହକୁ ଦେଖିଲେ ଏହା ସରକାରଙ୍କ ନିର୍ଦ୍ଦେଶକୁ ଖୋଲା ଉଲଘଂନ କରିଥିବା ଜଣାପଡ଼େ । ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗୃହର ରଙ୍ଗରେ ତାଳମେଳ ନଥିବା ବେଳେ କାନ୍ଥରେ ‘ଆମ ଗାଁ ଆଗ ବିକାଶ’ଲୋଗୋ ନାହିଁ କି ଲେଖା ମଧ୍ୟ ସ୍ଥାନ ପାଇ ନାହିଁ । ‘ମିଶନ ଶକ୍ତି ଗୃହ’ ଲେଖା ହେବା ସ୍ଥାନରେ ‘ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ର’ ଲେଖା ଯାଇଛି । ଏହି ପରି ନାନାଦି ବ୍ୟତିକ୍ରମ ଉକ୍ତ ଗୃହ ଠାରେ ଦେଖିବାକୁ ମିଳିଛି । ଉକ୍ତ ପେଡ଼ି ସାହିରେ ପୋଖରୀ ପୁନଃରୁଦ୍ଧାର ଓ ପାଶ୍ୱର୍ କାନ୍ଥ ନିର୍ମାଣରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପାଶ୍ୱର୍ କାନ୍ଥ ଏପରି ନିର୍ମିତ ହୋଇଛି ଯେ ପୋଖରି ଜଳ ଏହି କାନ୍ଥ ପାରିହୋଇ ସାହୀ ରାସ୍ତାକୁ ଛୁଉଁଛି । ବଡ଼ବର୍ଚ୍ଚିକୟାଁ ପଂଚାୟତରେ “ଆମ ଗାଁ ଆମ ବିକାଶ”ଯୋଜନାରେ ନିର୍ମିତ ବିଭିନ୍ନ ପ୍ରକଳ୍ପରେ ଏହିପରି ବ୍ୟତିକ୍ରମ ମାନ ଦେଖିବାକୁ ମିଳିଛି । ତେଣୁ ଏହି ସବୁ ଦୃଷ୍ଟିରୁ ଉକ୍ତ ପଂଚାୟତରେ ଫେଲ ମାରିଛି ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା । ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତି ଓ ତଦାରଖରେ ଏହି ସବୁ କାର୍ଯ୍ୟ ସଂପାଦନ ହେଉଥିବା ବେଳେ ବିଭିନ୍ନ ପ୍ରକଳ୍ପରେ ବ୍ୟତିକ୍ରମ ସେମାନଙ୍କ କାର୍ଯ୍ୟପନ୍ଥାକୁ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ସରକାରଙ୍କ ପ୍ରଦତ୍ତ ନିୟମକୁ ମାନି ଯଥାଶିଘ୍ର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।