Odiapua.com

ବ୍ୟୟ ବହୁଳ ହେଉଛି ମତୋ ମେଲଣ,ସରକାରି ସହାୟତା ଦାବୀ

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନସ୍ଥ ମତୋ ଦେଳ ମେଲଣ ଏକ ପ୍ରସିଦ୍ଧ ପର୍ବ। କନିକାରେ କଥାଟିଏ ପ୍ରଚଳିତ ‘ଆଳି ଝୁଲଣ ଓ ମତୋ ମେଲଣ’। ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ସଂଲଗ୍ନ ମତୋ ହାଟ ପଡିଆରେ ଦୋଳ ପୂର୍ଣ୍ଣମୀ ଦିନ ଦୋଳ ମେଲଣ ପାଳିତ ହୁଏ ଓ ପ୍ରାୟ ୧୫୦ଟି ବିମାନରେ କାନ୍ଧୁଆମାନେ ଠାକୁରଙ୍କୁ ଆଣି ଏକତ୍ରିତ ହୋଇ ଥାଆନ୍ତି । ନିର୍ଦ୍ଦିଷ୍ଟଭାବେ ଲିପିବଦ୍ଧ ହୋଇ ନଥିଲେ ମଧ୍ୟ ମେଲଣ କନିକାରାଜା ବଳଭଦ୍ର ଭଞ୍ଜଦେବଙ୍କ ଦ୍ୱାରା ୧୮୦୩ ମସିହାରେ ଆରମ୍ଭ ହେବା ସହିତ ଏହା ପାଇଁ ଆବଶ୍ୟକୀୟ ପଡିଆ ସେ ଦେଇଥିଲେ। ଉତରରେ ହଳଦୀଗଣ୍ଡ ଠାରୁ ଦକ୍ଷିଣରେ କେଳାଗଣ୍ଡ ପର୍ଯ୍ୟନ୍ତ ମତୋ ପଂଚାୟତ ପରିସରରେ ଅନୁଷ୍ଠିତ ଏହି ମେଲଣକୁ ପ୍ରତ୍ୟେକ ପରିବାର ଏକ ଟଙ୍କା ଲେଖାଏଁ ଦାନ କରୁଥିଲେ । ଦେଶବାସୀଙ୍କ (ସ୍ଥାନୀୟଲୋକ) ଚାନ୍ଦା ଓ ସହଯୋଗରେ ମେଲଣଟି ଚାଲୁଥିବାରୁ ଏହା ‘ଦେଶମେଲଣ’ ଭାବେ ପରିଚିତ । ମେଲଣ ପାଇଁ ନୀତିନିୟମ (ସାଲିଆନା) କନିକାରାଜାଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଛି । ଠାକୁରବାଡିଆ ବା ସେବାୟତ ଏହାକୁ ମାନିଥାଆନ୍ତି । ମତୋ ମେଲଣକୁ ଚାନ୍ଦବାଲି ଅଂଚଳରୁ ଏକାଧିକ ବିମାନରେ ମୁଖ୍ୟତଃ ରାଧାକୃଷ୍ଣ, ନିତାଇ ଗୌର, ଆଣ୍ଠୁଆ ଗୋପାଳ ଭଳି ଦେବତାମାନଙ୍କ ବିଗ୍ରହ କାଠ ବିମାନରେ ସୋଲ, ଫୁଲ, ରଙ୍ଗୀନ କାଗଜରେ ସଜ୍ଜିତହୋଇ ଆସି ଥାଆନ୍ତି। ମୂର୍ତିଗୁଡିକ କାଠ, ପିତଳ ବା ପଥରରେ ନିର୍ମିତ ହୋଇଥାଆନ୍ତି। ମେଲଣର ମାସକ ପୂର୍ବରୁ ସେବାୟତଙ୍କୁ ପ୍ରସ୍ତୁତ ହେବାକୁ ହୁଏ। ଠାକୁର ରଙ୍ଗ ହେବା, ଠୋଲ ଛପର ସହ ନାଚପାର୍ଟି, ମାଇକ, ଜେନେରେଟର ଆଦି ପାଇଁ ବଇନା ଦେବାକୁ ପଡିଥାଏ। ମେଲଣ ପଡିଆରେ ଉପସ୍ଥିତ ସମସ୍ତ ଠାକୁରଙ୍କୁ ଚଷାଖଣ୍ଡ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଥମେ ଭୋଗ ଅର୍ପଣର ପରମ୍ପରା ପ୍ରଚଳିତ । କନିକାରାଜାଙ୍କ ଦ୍ୱାରା ସ୍ଥାପିତ ବଳଭଦ୍ରପୁର ଶାସନର ଗୋପୀନାଥ ଜୀଉ ମେଲଣରେ ମୁଖ୍ୟ ତଥା ରାଜାଘର ଠାକୁର । ସେ ମେଲଣ ପଡିଆର ଦକ୍ଷିଣରେ ବସିଥାଆନ୍ତି। ମେଲଣର ସମସ୍ତ ଉପଚାର ତାଙ୍କରିଠାରୁ ଆରମ୍ଭ ହୁଏ । ମତୋ ରାଜସ୍ୱ ଗ୍ରାମରେ ଏହି ମେଲଣ ଅନୁଷ୍ଠିତ ହେଉଥିବାରୁ ସେହି ଜାଗାର ମାଲିକ ଭାବରେ ମତୋ ଦକ୍ଷିଣସାହି ଠାକୁର ଗୋପାଳ ଜୀଉ ଥାନପତି ତଥା ରାଣୀଙ୍କ ଠାକୁର ଭାବେ ପରିଚିତ । ସେ ସମସ୍ତ ଠାକୁରଙ୍କୁ ମେଲଣ ପଡିଆକୁ ନିମନ୍ତ୍ରଣ କରିଥାଆନ୍ତି । ଶେଷରେ ସେ ଆସନ ଗ୍ରହଣ କରୁଥିବା ବେଳେ ଶେଷରେ ମଧ୍ୟ ମେଲଣ ପଡିଆ ଛାଡିଥାଆନ୍ତି । ଚଷାଖଣ୍ଡର ନିତାଇ ଗୌର ଠାକୁର ଜମିଦାରଙ୍କ ଠାକୁର ଭାବେ ପରିଚିତ । ପ୍ରାୟ୨ଫୁଟ ଉଚ୍ଚ କାଷ୍ଟନିର୍ମିତ ନିତାଇ ଗୌର ମୂର୍ତି ଏହାର ବିଶେଷତ୍ୱ। ସେହିପରି ପରମାନନ୍ଦପୁରର ଠାକୁର ରାଜାଙ୍କ ପଣ୍ଡିତଘର ଠାକୁର । ସେ ଶୋଭାଯାତ୍ରାରେ ଆସି ଉତର ଦିଗରୁ ମେଲଣ ପଡିଆରେ ପ୍ରବେଶ କରନ୍ତି। ସ୍ଥାନାଭାବ ଯୋଗୁଁ ଶତାଧିକ ବ୍ୟବସାୟୀ ମତୋ ମେଲଣ ପଡିଆରେ ବର୍ଷ ତମାମ ସେମାନଙ୍କର ବ୍ୟବସାୟ କରିଥାଆନ୍ତି । ଏଠାରେ ମୁଖ୍ୟତଃ ଅସ୍ଥାୟୀ ଚାଳଛପର, ଟିଣଘର, ତାଳ ବରଡା ତାଟି ବା କାଠ କ୍ୟାବିନ ପକାଇ ଲୋକମାନେ ପନି ପରିବା, ଗୋଟାପାନ, ଫଳ, ତେଜରାତି, ମଞ୍ଜି, ମିଠା, ହୋଟେଲ, ଟେଲର, ଖିଲିପାନ, ସେଲୁନ୍‌, କମାରଶାଳ ଓ ମୋବାଇଲ ମରାମତି ଆଦି ଦୋକାନ କରି ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି । ମେଲଣ ପାଇଁ ସେମାନେ ନିଜ ଖର୍ଚ୍ଚରେ ଦୋକାନ ଉଠାଇ ନେଇ ଅନ୍ୟସ୍ଥାନରେ ବସି ଥାଆନ୍ତି । ମେଲଣ ସରିବା ପରେ ପୂର୍ବ ସ୍ଥାନରେ ଦୋକାନ ସଜାଡି ପୂର୍ବସ୍ଥିତିକୁ ଆସିବାକୁ ସେମାନଙ୍କୁ ସପ୍ତାହରୁ ଅଧିକ ସମୟ ଲାଗେ।