Odiapua.com

ବ୍ୟୟବହୁଳ ବାଲେଶ୍ୱର ଉପ-ନିର୍ବାଚନ, ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଲିସ୍ ବିହୀନ ବର୍ଷୀୟାନ ପ୍ରାର୍ଥୀ ବେଣୁଧର

ବାଲେଶ୍ୱର, ୨୨ା୧୦ (ଓଡ଼ିଆ ପୁଅ): ଆସନ୍ତା ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ଦଳର ହେଭିୱେଟ୍ ନେତା ଓ କର୍ମୀଙ୍କ ପ୍ରଚାର କ୍ରମଶଃ ଜୋରଦାର ହୋଇ ଆସୁଥିଲେ ବି ୮୦ ବର୍ଷ ବୟସରେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଣୁଧର ବାରିକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ବିନା ଅର୍ଥରେ ୨/୪ ଜଣ ସମର୍ଥକଙ୍କ ନେଇ ନତୁବା ଏକୁଟିଆ ସେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଜୀବିକା ପାଇଁ କୌଳିକ ବୃତ୍ତିରୁ ନ ଓହରି ସେ ଏବେ ମଧ୍ୟ ଲୋକଙ୍କୁ କ୍ଷୌର କରୁଛନ୍ତି। ପୂର୍ବଭଳି ପ୍ରତିଦିନ ସକାଳୁ ନିଜର ଖୁରମୁଠି ବେଗ୍ ସହ ସାଇକେଲରେ ସେ ବାହାରି ଯା’ନ୍ତି ଘରୁ। ବର୍ତ୍ତନିଆଙ୍କ ଘରେ ଲୋକଙ୍କୁ କ୍ଷୌର କରିବା ସହିତ ନିଜର ପ୍ରଚାର ମଧ୍ୟ ସେ ଜାରି ରଖିଛନ୍ତି। ଅନ୍ୟାନ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କପର୍ଦ୍ଦକ ଶୂନ୍ୟ ହୋଇ ବି ଏହି ଉପ-ନିର୍ବାଚନରେ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ସମସ୍ତଙ୍କୁ ଚକିତ କରିଛି। ଗ୍ରାମର ଲୋକମାନେ ନିର୍ବାଚନରେ ଖର୍ଚ୍ଚ ପାଇଁ ତାଙ୍କୁ କିଛି କିଛି ଚାନ୍ଦା ଦେଉଥିବା ବେଳେ ବହୁ ଶିକ୍ଷତ ବ୍ୟକ୍ତି ମଧ୍ୟ ପ୍ରଚାର କରୁଛନ୍ତି। ପିଲାଟି ଦିନରୁ କମ୍ୟୁନିଷ୍ଟି ଆଦର୍ଶକୁ ଆପଣେଇ ପ୍ରତିଟି ବାମପନ୍ଥୀ କାର୍ଯ୍ୟକ୍ରମରେ ସେ ବାଲେଶ୍ୱରରେ ଆଗରେ ଥା’ନ୍ତି। ବିକ୍ଷୋଭ ହେଉ କି ଧାରଣା ସବୁଥିରେ ଆଗ ଖୋଜାପଡ଼େ ବସ୍ତି ବାସିନ୍ଦା ସଂଘର ସଭାପତି ବେଣୁଧର ବାରିକଙ୍କୁ। ତେବେ ଚଳିତ ନିର୍ବାଚନରେ କଂଗ୍ରେସ ସହ ବାମପନ୍ଥୀ ଦଳଙ୍କ ଆପୋସ ବୁଝାମଣା ସହ ସେ ସାଲିସ କରିପାରିଲେ ନାହିଁ। ଏକ ପୁରୁଣା ରାଜନୈତିକ ଦଳ ଭାବେ ଏହି ନିର୍ବାଚନେର ସିପିଆଇରୁ କେହି ପ୍ରାର୍ଥୀ ନହେବା ତାଙ୍କୁ ବ୍ୟଥୀତ କରିଥିଲା। ଶେଷରେ ସେ ନିଜେ ଜଣେ ସମର୍ଥକ ଓ ପ୍ରସ୍ତାବକଙ୍କୁ ନେଇ ପ୍ରାର୍ଥପତ୍ର ଦାଖଲ କରିବାକୁ ଆଗେଇ ଯାଇଥିଲେ। ଏନେଇ ତାଙ୍କୁ ସିପିଆଇ ନିଲମ୍ବିତ ହେବାକୁ ବି ପଡ଼ିଛି। ତଥାପି ଜଣେ ସାଲିସ ବିହୀନ ନେତା ଭାବେ ଶ୍ରୀ ବାରିକଙ୍କ ପ୍ରାର୍ଥିତ୍ୱ ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଯାଇଛି। ତାଙ୍କୁ ଏହି ନିର୍ବାଚନରେ କେତେ ଭୋଟ ମିଳିବ, ସେ ଜିତିବେ କି ହାରିବେ, ତାହା ତାଙ୍କ ପାଇଁ ପ୍ରସଙ୍ଗ ନୁହେଁ ବୋଲି ଶ୍ରୀ ବାରିକ କହିଛନ୍ତି। ତେବେ ବୟସର ଅପରାହ୍ନରେ ନିଜର କମ୍ୟୁନିଷ୍ଟ ଆଦର୍ଶ ସହ ସାଲିସ ନକରି ବ୍ୟୟବହୁଳ ଉପ-ନିର୍ବାଚରେ ପ୍ରାର୍ଥୀ ହେବାରେ ସେ ବେଶ୍ ଆତ୍ମସନ୍ତୋଷ ପାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯାତ୍ରା କଳାକାର ରାନୀ ପଣ୍ଡା ଓ ଦାମ ପଣ୍ଡା ତାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବା ନେଇ ଘୋଷଣା ହେବା ପରେ ଶ୍ରୀ ବାରିକ ଆହୁରି ଚର୍ଚ୍ଚିତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି।