Odiapua.com

ବ୍ୟୟବହୁଳ କିଡ୍‌ନୀ ପ୍ରତିରୋପଣ ପାଇଁ ସପରିବାର ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଟି କିଡ୍‌ନୀ ନଷ୍ଟ ହୋଇଥିବା ପରିବାରର ଏକମାତ୍ର ରୋଜଗାରକ୍ଷମ ୩୪ ବର୍ଷର ଯୁବକ ପପୁ ବର୍ମନ ଆଜି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜର ବ୍ୟୟ ବହୁଳ କିଡ୍‌ନୀ ରୋପଣ ସହ ଏକମାତ୍ର ୧୧ ବର୍ଷର ପୁତ୍ରର ପାଠପଢା ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବଂ ସରକାରଙ୍କ ପକ୍ଷରୁ ଚିକିତ୍ସା ବାବଦ ଅର୍ଥ ସହାୟତା ପାଇଲେ ସେ ନିଜର ଜୀବନ ବଂଚାଇ ପାରିବା ସହ ୫ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ହସ ଫୁଟାଇ ପାରିବ ବୋଲି ନିବେଦନ କରିଛି । ଜିଲାପାଳଙ୍କୁ ସେ ଦେଇଥିବା ନିବେଦନ ପତ୍ର ମୂଳେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ରମ୍ଭିଳା ଗ୍ରାମନିବାସୀ ସୁରେନ ବର୍ମନଙ୍କ ୩୪ ବର୍ଷର ପୁତ୍ର ପପୁ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟେ । ଏବେ ଦୁଇବର୍ଷ ହେବ ତାଙ୍କର ଦୁଇଟି କିଡ୍‌ନୀ ବହୁଳମାତ୍ରାରେ ନଷ୍ଟହୋଇଛି । ଏ ଦିଗରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ଡାକ୍ତରଖାନାରେ ୪-୫ ମାସ ଚିକିତ୍ସା ପରେ ସେଠାରେ ଥିବା ସଦ୍‌ଗୁରୁ ହସ୍‌ପିଟାଲରେ ସପ୍ତାହକୁ ଦୁଇଥର ଡାୟୋଲିସିସ୍ କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ ପ୍ରତ୍ୟେକ ସପ୍ତାହରେ ୪ ରୁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଯାଉଛି । ଇତିମଧ୍ୟରେ ତାଙ୍କଭଳି ଏକ ଗରିବ ପରିବାରର ସମସ୍ତ ସଂପତ୍ତି ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି । ଏଣୁ ତାଙ୍କର ବୃଦ୍ଧ ଛୋଟା ପିତା ଓ ମାତା, ପତ୍ନୀ ଓ ୧୧ ବର୍ଷର ପୁଅଙ୍କ ପ୍ରତିପୋଷଣ ସହ ନିଜର ଚିକିତ୍ସା ଖର୍ଚ୍ଚ ବହନ କରିବା ଆଉ ସମ୍ଭବ ହେଉନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ପତ୍ନୀ ଗୋଟିଏ କିଡ୍‌ନୀ ଦେବାପାଇଁ ଇଚ୍ଛୁକ ଥିଲେ ମଧ୍ୟ ଏ ଦିଗରେ ପ୍ରାୟ ୧୨ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି । ଏଣୁ ସେ ଜିଲାପାଳଙ୍କ ନିକଟରେ ନିବେଦନ କରିବା ସହ ତାହାର କପି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ଭଦ୍ରକ ଜିଲା ଚିକିତ୍ସାଧିକାରୀଙ୍କ ନିକଟକୁ ପଠାଇଛନ୍ତି ।