Odiapua.com

ବ୍ୟାଲଟ ପେପର ମତ ସଂଗ୍ରହରେ ଚଞ୍ଚକତା : ଶାସକଦଳ କର୍ମୀଙ୍କ ଜୁଲମକୁ ନେଇ ଉତ୍ତେଜନା

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଉପ-ନିର୍ବାଚନରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ପୋଷ୍ଟାଲ ବ୍ୟାଲଟ ପେପର ବ୍ୟବସ୍ଥାକୁ ବାଲେଶ୍ୱରରେ ଅପବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଉଠିଛି। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ବୁଥ ସ୍ତରୀୟ ଅଧିକାରୀମାନେ(ବିଏଲଓ) ବୁଥ ଅଞ୍ଚଳରେ ଘରଘର ବୁଲି ଆବେଦନକାରୀଙ୍କ ଚିଠା ପ୍ରସ୍ତୁତ କରିବା ସହ ପୋଲିଂ ଅଫିସରମାନେ ବ୍ୟାଲଟ ପେପର ଜରିଆରେ ଚଳିତ ନିର୍ବାଚନର ମତ ସଂଗ୍ରହ କରିଥା’ନ୍ତି। ଏହି କ୍ରମରେ ବାଲେଶ୍ୱର ପୌରାଞ୍ଚଳରେ ୧ ନଂ ୱାର୍ଡ଼ର ସୁସ୍ଥ ସବଳ ମହିଳା ପ୍ରତିମା ନାୟକଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ତାଙ୍କଠାରୁ ମତ ସଂଗ୍ରହ କରାଯାଉଥିବା ଆରୋପ ହୋଇଛି।ଏମିତିକି ପୋଷ୍ଟାଲ ବ୍ୟାଲଟରେ ମତ ସଂଗ୍ରହ ବେଳେ କେବଳ ପ୍ରତିମା ନାୟକ ନୁହେଁ ଅନ୍ୟାନ୍ୟ ଭୋଟରଙ୍କୁ ଶାସକ ଦଳର କର୍ମୀମାନେ ଜୋର ଜବରଦସ୍ତ ପ୍ରଭାବିତ କରୁଥିବା ନେଇ ଅଭିିଯୋଗ ହୋଇଛି। ତେବେ ପ୍ରତିମାଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ଜୋର ଜବରଦସ୍ତ ପ୍ରଭାବିତ କରାଯାଉଥିବା ବେଳେ ଅନ୍ୟାନ୍ୟ ଦଳର କର୍ମୀମାନେ ପ୍ରତିବାଦ କରିବା ସହ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସଦର ତହସିଲଦାର ଓ ଟାଉନଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ଓ ଏନେଇ ବିଧିବଦ୍ଧ ଭାବେ ଅଭିିଯୋଗ କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ। ତେବେ ଏ ସମ୍ପର୍କରେ ପୁଲିଂ ଅଫିସରଙ୍କୁ ପଚାରିବାରୁ ସେ ବିଏଲଓଙ୍କ ଚିଠା ଅନୁସାରେ ମତ ସଂଗ୍ରହ ପାଇଁ ଆସିଥିବା ସଫେଇରେ କହିଛନ୍ତି। ତେବେ ଶାସକ ଦଳ ଓ ସରକାରୀ ଅଧିକାରୀଙ୍କର ଏହି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ। ଏନେଇ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।