Odiapua.com

ବ୍ୟାପକ ପୋଲିସ ଛାଉଣିରେ ଗୁଡୁପାଙ୍ଗି ଓ ୧୭ ଖଣ୍ଡ ମୌଜାର ୬ବର୍ଷର ବିବାଦୀୟ ରାସ୍ତା ଫିଟିଲା

ନୟାଗଡ଼, ୨୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ସଦରଥାନା ନୂଆଗାଁ ବ୍ଳକର ଗୁଡ଼ୁପାଙ୍ଗି ଓ ୧୭ଖଣ୍ଡ ମୌଜାର ବିବାଦୀୟ ରାସ୍ତା ୧୪୪ ଧାରା ଲାଗୁ ସହ ବ୍ୟାପକ ପୋଲିସ ଫୋର୍ସ ଛାଉଣିରେ ଫିଟିଛି। ଫଳରେ ଯେଉଁ ରାସ୍ତାକୁ ନେଇ ୬ବର୍ଷର ହେଲା ବିବାଦ ଲାଗି ରହିଥିଲା ସେହି ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ ଗୁଡ଼ୁପାଙ୍ଗି ସୀମା ସରହଦ ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଂଚିଛି। ଯାହାକୁ ନେଇ ୬ବର୍ଷ ହେଲା ଜିଲ୍ଲାପ୍ରଶାସନର ମୁଣ୍ଡବ୍ୟଥାର କାରଣ ଥିଲା ତାହାର ଏକପ୍ରକାର ଅନ୍ତ ଘଟିଥିବା କୁହାଯାଉଛି। ମାଳିସାହି ପଂଚାୟତର ଏହି ବିବାଦୀୟ ରାସ୍ତା ହେଉଛି ବଳଭଦ୍ରପୁର ଠାରୁ ଢିପାମାଳ ପର୍ଯ୍ୟନ୍ତ ରାସ୍ତା। ଏହି ରାସ୍ତା ନିର୍ମାଣକୁ ନେଇ ୨୦୧୬ରୁ ବିବାଦ ଲାଗି ରହିଥିଲା। ଜିଲ୍ଳାପ୍ରଶାସନ ଏହାର ସମାଧାନ ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। କାରଣ ଏହି ରାସ୍ତା ନିର୍ମାଣକୁ ଗୁଡ଼ୁପାଙ୍ଗି ଗ୍ରାମବାସୀ ବିରୋଧ କରୁଥିଲେ। ସେମାନେ ଚାହୁଁଥିଲେ ବଳଭଦ୍ରପୁର ଠାରୁ ଢିପାମାଳ ରାସ୍ତା ନଯାଇ ଗୁଡ଼ୁପାଙ୍ଗି ଦେଇ ଢିପାମାଳ ପର୍ଯ୍ୟନ୍ତ ରାସ୍ତା ଯାଉ। ଯାହାକି ଗୁଡ଼ୁପାଙ୍ଗି ଗ୍ରାମକୁ ଛାଡ଼ି ଖଣ୍ଡୁଗାଁ, ଢେଙ୍କେଣା ଓ ମାଳିସାହି ପଂଚାୟତର ୧୭ଖଣ୍ଡ ଗ୍ରାମ ଏହାକୁ ବିରୋଧ କରିବା ସହ ବଳଭଦ୍ରପୁର ଠାରୁ ଢିପାମାଳ ରାସ୍ତା ନିର୍ମାଣକୁ ଅଡ଼ି ବସିଥିଲେ। ଫଳରେ ଏହାକୁ ନେଇ ୨୦୧୬ ମସିହାରୁ ବିବାଦ ଲାଗ୍‌ି ରହିଥିଲା। ତେବେ ବଳଭଦ୍ରପୁର –ଢିପାମାଳ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିଷ୍ପତି ନେବା ସହ ମନରେଗା ଯୋଜାନାରେ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲା। ବିବାଦୀୟ ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଜିଲ୍ଲା ପ୍ରଶାସନ। ଘଟଣାସ୍ଥଳରେ ଉପ ଜିଲ୍ଲାପାଳ ଲଗ୍ନଜୀତ ରାଉତଙ୍କ ସହ ନୂଆଗାଁ ତହସିଲଦାର ପ୍ରଳୟକାନ୍ତ ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ ଓ ବିଦ୍ୟୁତ ରଞ୍ଜନ ପଣ୍ଡା, ୪ଜଣ ଡିଏସପି, ବିଡିଓ, ତହସିଲଦାର, ବିଭିନ୍ନ ଥାନାର ଥାନାଧିକାରୀ, ୫ଜଣ ଇନ୍ସପେକ୍ଟର, ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ରାସ୍ତା ନିର୍ମାଣ ଚାଲିଥିଲାବେଳେ ଗୁଡ଼ୁପାଙ୍ଗି ଗ୍ରାମର ଲୋକେ ସମାଧାନ ପାଇଁ ଆସିଥିଲାବେଳେ ରାସ୍ତା ନିର୍ମାଣରେ ସହଯୋଗ କରିବା ପାଇଁ ପ୍ରଶାସନ ସେମାନଙ୍କୁ କହିଥିଲା। ତେବେ ୧୪୪ ଧାରା ଜାରି ସହ ରାସ୍ତା ନିର୍ମାଣ ଯେନତେନ ପ୍ରକାରେ କରିବା ପାଇଁ ଜିଲ୍ଲାପ୍ରଶାସନ କଠୋର ପନ୍ଥା ଅବଲମ୍ବନ କରି ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିବାଦୀୟ ରାସ୍ତା ନିର୍ମାଣ ତିନିଦିନ ପରେ ଲକ୍ଷ୍ମଣରେଖା ପାର ହୋଇ ଶେଷ ସୀମାରେ ପହଂଚିଛି। ଗୁଡ଼ୁପାଙ୍ଗିରେ ୧୪୪ ଧାରା ଲାଗୁ ସହ ବ୍ୟାପକ ପୋଲିସ ଛାଉଣିରେ ରାସ୍ତା ନିର୍ମାଣ ଚାଲିଥିବାବେଳେ ପରବର୍ତ୍ତୀ ପରିସ୍ଥିତି କ’ଣ ରହୁଛି ତାହାକୁ ଜିଲ୍ଲା ପ୍ରଶାସନ ତୀକ୍ଷ୍‌ଣ ନଜର ରଖିଛି।