Odiapua.com

ବ୍ୟାଙ୍କ ଅଫ୍ ବରୋଦା ଅଢାଳପଙ୍କ ଶାଖା ଜିଲା ଖାଉଟି ଫୋରମ ଦ୍ୱାରା ଦଣ୍ଡିତ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟାଙ୍କ ଅଫ୍ ବରୋଦା ଅଢାଳପଙ୍କ ଶାଖା ଏକମାସ ମଧ୍ୟରେ ଋଣ ବାବଦ ବେଆଇନ୍ ଭାବେ ଅଟକ ରଖିଥିବା ୩ ଲକ୍ଷ ୮୦ ହଜାର ଟଙ୍କାକୁ ଆବେଦନକାରୀ ବନ୍ତ ଥାନା ଜିରିଣା ଗ୍ରାମର ଯତିନ୍ଦ୍ର କୁମାର ଦାସଙ୍କୁ ପ୍ରଦାନ କରିବାକୁ ଜିଲା ଖାଉଟି ଫୋରମ୍ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏକମାସ ମଧ୍ୟରେ ଏହି ଟଙ୍କାକୁ ବ୍ୟାଙ୍କ ନଦେଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଜିରିଣା ଗ୍ରାମର ବସନ୍ତ କୁମାର ଦାସଙ୍କ ଶିକ୍ଷିତ ବେକାର ପୁତ୍ର ଯତିନ୍ଦ୍ର ନିଜର କର୍ମନିଯୁକ୍ତି ପାଇଁ ଜିଲା ଶିଳ୍ପକେନ୍ଦ୍ର ଦ୍ୱାରା ମନୋନୀତ ହୋଇ ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ଇଜିପି ଯୋଜନାରେ ୨୦୧୩-୧୪ ଆର୍ଥିକ ବର୍ଷରେ ନିଜର ଡିଟିପି ତଥା ମୋବାଇଲ୍ ଫୋନ୍ ମରାମତି ବ୍ୟବସାୟ କରିବା ପାଇଁ ଋଣ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଅଢାଳପଙ୍କ ବ୍ୟାଙ୍କ ଅଫ୍ ବରୋଦା ଏଥିପାଇଁ ଆର୍ଥିକ ପ୍ରୋତ୍ସାହନ ୬ ଲକ୍ଷ ଟଙ୍କା ଦେବାପାଇଁ ରାଜି ହୋଇଥିଲେ । ଆବଶ୍ୟକୀୟ କାଗଜପତ୍ର ଓ ପ୍ରୋଜେକ୍ଟର ସମସ୍ତ ବିବରଣୀ ପ୍ରଦାନ କରିବା ପରେ ଯତିନ୍ଦ୍ରଙ୍କୁ ଉକ୍ତ ବ୍ୟାଙ୍କ ଗତ ୨୦୧୫ ମାର୍ଚ୍ଚ ୧୪ ରେ ୨ ଲକ୍ଷ ୨ ହଜାର ଟଙ୍କାହ ପ୍ରଦାନ କରିବା ପରେ ଅବଶିଷ୍ଟ ଟଙ୍କା ଦେବାପାଇଁ ୬୦ ହଜାର ଟଙ୍କା ଲାଞ୍ଚ ଆକାରରେ ମାଗିଥିଲେ । ସେ ଉକ୍ତ ଟଙ୍କା ନଦେବାରୁ ତାଙ୍କଠାରୁ କୌଶଳ କ୍ରମେ କେତେଗୁଡିଏ ବ୍ଲାଙ୍କ ଚେକ୍ ନେଇ ତାହା ବଳରେ ବିଭିନ୍ନ ମାଲି ମୋକଦ୍ଦମା କରିଥିଲେ । କିନ୍ତୁ ଅବଶିଷ୍ଟ ଋଣ ଟଙ୍କାକୁ ପ୍ରଦାନ କରିନଥିଲେ । ଯତିନ୍ଦ୍ର ଉକ୍ତ ଟଙ୍କା ନେବାପାଇଁ ସବୁପ୍ରକାର ଚେଷ୍ଟାକରି ବିଫଳ ହେବାରୁ ଭଦ୍ରକ ଜିଲା ଖାଉଟି ଅଦାଲତରେ ସିଡି କେଶ୍ ନଂ ୪/୧୯ ଏକ ମାମଲା ରୁଜୁ କରିଥିଲେ । ଖାଉଟି ଅଦାଲତ ବ୍ୟାଙ୍କକୁ ନୋଟିସ୍ ଜାରି କରିବା ପରେ ସେ ଅଦାଲତରେ ହାଜର ହୋଇ ଯତିନ୍ଦ୍ର ପୂର୍ବ ଟଙ୍କା ନେଇ ତାକୁ ଉପଯୁକ୍ତ ମାର୍ଗରେ ଖର୍ଚ୍ଚ କରିନଥିବାରୁ ଅବଶିଷ୍ଟ ବକେୟା ଋଣ ଦିଆଯିବନାହିଁ ବୋଲି ଦର୍ଶାଇଥିଲେ । ତେବେ ଉଭୟପକ୍ଷଙ୍କ ଶୁଣାଣି କରି ମାନ୍ୟବର ଖାଉଟି ଫୋରମ ବ୍ୟାଙ୍କକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଭଦ୍ରକର ବରିଷ୍ଠ ଅଧିବକ୍ତା ବିନୟ କୁମାର ସ୍ୱାଇଁ ମକଦ୍ଦମା ପରିଚାଳନା କରିଥିବାର ଜଣାପଡିଛି ।