Odiapua.com

ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ

ପୁରୀ, ୧୭।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଚକ୍ରତୀର୍ଥ ରୋଡ଼ରେ ହେବାକୁ ଯାଉଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ। ମତ୍ସଜୀବି, ଉଠା ଦୋକାନୀମାନେ ବ୍ଲୁ ଫ୍ଲାଗ ବିଚକୁ କଡା ବିରୋଧ କରିବା ସହ କାର୍ଯ୍ୟ ଚାଲିଥିବା ସ୍ଥାନରେ ଧାରଣା ଦେଇଛନ୍ତି। ଶହ ଶହ ପୁରୁଷ, ମହିଳା ଏକତ୍ର ହୋଇ ବ୍ଲୁ ଫ୍ଲାଗ ବିଚ କୁ ବିରୋଧ କରିବା ସହ କାର୍ଯ୍ୟ ବନ୍ଦ ନେଇ ଦାବି କରିଛନ୍ତି। ଆନ୍ଦୋଳନକାରୀ କହିଛନ୍ତି ଯେ ପୂର୍ବରୁ ରାଜ ଭବନ ପଛ ବେଳାଭୂମିକୁ ପ୍ରଶାସନ ବ୍ଲୁ ଫ୍ଲାଗ ବିଚ କରି ଏଥିରେ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା ଲଗା ଯାଇଛି। ସେହିପରି ଉଠା ଦୋକାନୀଙ୍କୁ ବ୍ୟବସାୟ ନେଇ କଟକଣା ଜାରି କରାଯାଇଛି। ଫଳରେ ହଜାର ହଜାର ଉଠା ଦୋକାନୀ ନିଜର ରୋଜଗାର ହରେଇ ଆର୍ଥିକ ଅନାଟନ ଦିନ କାଟୁଛନ୍ତି। ଘର ଓ ପରିବାର ପ୍ରତିପୋଷଣ କରିବା ଏକ ପ୍ରକାର ଅସମ୍ଭାଳ ହୋଇ ପଡିଛି। ତେବେ ଦୁର୍ଭାଗ୍ୟ ର ବିଷୟ ପ୍ରଶାସନ ହଜାର ହଜାର ଲୋକଙ୍କ ଜିବନ ଜୀବିକା ପ୍ରତି ଦୃଷ୍ଟି ନ ଦେଇ ପୁଣି ଆଉ ଏକ ବ୍ଲୁ ଫ୍ଲାଗ ବିଚ ଚକ୍ରତୀର୍ଥ ବେଳାଭୂମିରେ କରୁଛି। ଏହା ଦ୍ୱାରା ହଜାର ହଜାର ଲୋକ ବେକାର ହେବା ସହ ଆର୍ଥିକ ଅନାଟନରେ ଦିନ କାଟିବେ। ରାଜ୍ୟ ସରକାର ଲୋକଙ୍କୁ ରୋଜଗାର ଓ ଜୀବନ ଜୀବିକା ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉ ଥିବା କଥା ପ୍ରଚାର କରାଯାଉ ଥିବା ବେଳେ ପୁରୀ ପ୍ରଶାସନ ର ଏଭଳି ଗରିବ ମାରଣ ନୀତି ନେଇ ଆନ୍ଦୋଳନକାରୀ ସରକାରଙ୍କ ଅସଲ ଉଦେଶ୍ୟ କଣ ସେ ନେଇ ପ୍ରଶ୍ନ କରିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଯଦି ଚକ୍ର ତୀର୍ଥ ରୋଡ଼ ବେଳାଭୂମି ରୁ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ବନ୍ଦ ନ କରେ ଏହାକୁ ଦୃଢ଼ ବିରୋଧ କରାଯିବ ଓ ଆଗାମୀ ଦିନରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ଆନ୍ଦୋଳନ କାରୀ ଚେତାବନୀ ଦେଇଛନ୍ତି।