Odiapua.com

ବ୍ଲକ ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଭଦ୍ରକ ଆନୁକୂଲ୍ୟରେ ମଧୁବାବୁ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ମଞ୍ଜୁର ହୋଇଥିବା ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବି.ଡ଼ି.ଓ. ମନୋଜ କୁମାର ବେହେରାଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋତ୍ସା ମଞ୍ଜରୀ ରାଉତ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ମଳୟ ଜେନା, ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ୍ ଯୋଜନାରେ ୨୨୪ ଜଣ, କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା ପେନ୍‌ସନ୍ ଯୋଜନାରେ ୨୧୯ ସମୁଦାୟ ୪୪୩ ଜଣ ହିତାଧିକାରୀଙ୍କୁ ଆଦି ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।

ଜାତୀୟ ସାମାଜିକ ସହାୟତା ପେନସନ୍ ଯୋଜନା ଅନ୍ତର୍ଗତ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତାପାଇଁ ୨୦୦ ଜଣ, ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା ପାଇଁ ୧୯ଜଣ, ମଧୁବାବୁ ପେନ୍‌ସନ୍ ଯୋଜନାରେ ମଧୁବାବୁ ବାର୍ଦ୍ଧକ୍ୟଭତ୍ତା ପାଇଁ ୩୯ ଜଣ, ବିଧବା ଭତ୍ତା ପାଇଁ ୧୪୩ ଜଣ, ଦିବ୍ୟାଙ୍ଗ ଭତ୍ତା ପାଇଁ ୨୯ ଜଣ, ୩୫ ବର୍ଷରୁ ଉର୍ଦ୍ଧ୍ୱ ଅବିବାହିତା ମହିଳା ୩ ଜଣ, ସ୍ୱାମୀ ପରିତ୍ୟକ୍ତା ୧୦ ଜଣ ଏହିପରି ବ୍ଲକ୍‌ର ୩୬ଟି ପଞ୍ଚାୟତରେ ସମୁଦାୟ ୪୪୩ ଜଣଙ୍କ ପାଇଁ ନୂତନ ଭତ୍ତା ମଞ୍ଜୁର କରାଯାଇଛି । ଏହି ସବୁଭତ୍ତା ବାବଦ ମାସିକ ୫୦୦ ଟଙ୍କା ଲେଖାଏଁ ଅନ୍‌ଲାଇନ୍‌ରେ ହିତାଧିକାରୀମାନଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । ତାସହିତ ପାସବୁକ୍ ମଧ୍ୟ ପ୍ରଦାନ କରାଯାଉଛି । ଉଲ୍ଲେଖ ଯୋଗ୍ୟ କି ୫୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଓ ୬୦% ରୁ ଅଧିକ ପ୍ରମାଣପତ୍ର ଧାରୀ ଦିବ୍ୟାଙ୍ଗ ମାନଙ୍କୁ ମାସିକ ୭୦୦ ଟଙ୍କା ଭତ୍ତା ଆକାଉଣ୍ଟରେ ପ୍ରଦାନ କରାଯିବା ନିୟମ ରହିଛି । ଆଜିର ଏହି ଭତ୍ତା ବଣ୍ଟନରେ ସେହି ବର୍ଗର କୌଣସି ହିତାଧିକାରୀ ଅନ୍ତର୍ଭୁକ୍ତ ନାହାନ୍ତି । ବୟସ ଭିତ୍ତିରେ ହିଁ ଏହି ଭତ୍ତା ପ୍ରଦାନ କରାଯାଇଥାଏ । ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଇଥାଏ । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଗୀତାରାଣୀ ମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁଷଙ୍ଗିକ ସହଯୋଗ କରିଥିଲେ ।